ଲାଲୁଙ୍କ ଡାକ୍ତର କ୍ଵାରେଣ୍ଟାଇନରେ, ଚିନ୍ତାରେ ତେଜସ୍ଵୀ

Published By : Prameya-News7 Bureau | April 28, 2020 IST

ପାଟନା ୨୮।୦୪: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ଵୀ ଯାଦବ ମଙ୍ଗଳବାର ନିଜର ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, କୋଭିଡ୍-୧୯ ନେଇ ବହୁତ ସମ୍ବେଦନଶୀଳ ଥିଲେ। ସାବଧାନପୂର୍ବକ ନିଜ ପିତାଙ୍କ ଯତ୍ନ ନେବାକୁ ସେ ଅଧିକାରୀଙ୍କୁ ଅପିଲ୍ କରିଛନ୍ତି। କିନ୍ତୁ ତାଙ୍କ ଅପିଲ୍ ପରେ ଲାଲୁଙ୍କ ଚିକିତ୍ସା କରୁଥିବା ଡାକ୍ତର କୋଭିଡ୍-୧୯ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ନିଜକୁ କ୍ଵାରେଣ୍ଟାଇନ୍ କରି ଦେଇଛନ୍ତି।

ଡ. ରମେଶ ପ୍ରସାଦ, ଯିଏ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁୟଟ୍ସ ଅଫ ମେଡିକାଲ ସାଇନ୍ସ ଆଡମିନିଷ୍ଟ୍ରେସନରେ ଲାଲୁଙ୍କ ଚିକିତ୍ସା କରୁଥିଲେ। କିନ୍ତୁ ଡାକ୍ତର ଏବେ ନିଜର ୟୁନିଟ୍ ସହିତ ସଙ୍ଗରୋଧରେ ଅଛନ୍ତି। ଅନ୍ୟପଟେ ଲାଲୁ ହସ୍ପିଟାଲର ପେଇଙ୍ଗ ଓ୍ଵାର୍ଡରେ ଭର୍ତ୍ତି ଅଛନ୍ତି।

ଗତ ତିନି ସପ୍ତାହରୁ ଚିକିତ୍ସା ବିଭାଗରେ ଭର୍ତ୍ତି ଜଣେ ରୋଗୀ କୋଭିଡ୍ ୧୯ ଚିହ୍ନଟ ହୋଇଛନ୍ତି। ସେ ଡାକ୍ତର ରମେଶ ପ୍ରସାଦଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ। ଏହା ପରେ ଡାକ୍ତର ଏବେ ନିଜକୁ କ୍ଵାରେଣ୍ଟାଇନ୍ କରିଛନ୍ତି। ଉଲ୍ଲେଖନୀୟ ଲାଲୁ ପ୍ରସାଦଙ୍କ ଚିକିତ୍ସା ମଧ୍ୟ ଏହି ୟୁନିଟ୍‌ରେ ଜାରି ରହିଛି।

ତେଜସ୍ଵୀ ଯାଦବ କହିଛନ୍ତି ଯେ, ଲାଲୁଙ୍କୁ ୭୨ ବର୍ଷ ହୋଇ ଗଲାଣି ଏବଂ ଅନେକ ରୋଗରେ ମଧ୍ୟ ପୀଡିତ। ମୋ ପିତାଙ୍କ ଚିକିତ୍ସା କରୁଥିବା ଡାକ୍ତର କୋଭିଡ୍-୧୯ ରୋଗୀଙ୍କ ସଂସ୍ପର୍ଶରେ ଆସି ନିଜକୁ କ୍ଵାରେଣ୍ଟାଇନ କରିବା ବିଷୟରେ ଜାଣିବା ବାସ୍ତବରେ ମୋ ପାଇଁ ଚିନ୍ତାଜନକ। ୭୨ ବର୍ଷ ବୟସରେ ପୁଣି ଅନେକ ରୋଗରେ ପୀଡିତ  ଜଣେ ବ୍ୟକ୍ତି କେମିତି କରୋନା ସଂକ୍ରମଣ ସମୟରେ ନିଜକୁ ସୁରକ୍ଷିତ ରଖିବେ। ତେଣୁ ଅତ୍ୟନ୍ତ ସାବଧାନ ସହିତ ଲାଲୁଙ୍କ ଯତ୍ନ ନେବା ଉଚିତ୍।

ଉଲ୍ଲେଖନୀୟ ବିହାରରେ ଗୋ ଖାଦ୍ୟ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ ସଜା କାଟୁଥିବା ଲାଲୁଙ୍କୁ କିଡନୀ ଜନିତ ରୋଗର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.