ବିହାରରେ ବଢୁଛି ନିର୍ବାଚନୀ ସରଗରମ, ଏପଟେ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ ଲାଲୁ, ଦୁମକା କୋଷାଗାର ମାମଲାରେ ଲଗାଇଲେ ଗୁହାରି

Published By : Prameya-News7 Bureau | October 20, 2020 IST

ରାଞ୍ଚି ୨୦।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ବଢିବାରେ ଲାଗିଛି ରାଜନୈତିକ ସରଗରମ। ଏହା ମଧ୍ୟରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ  ହୋଇଛନ୍ତି। ଝାଡଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ ଦାଖଲ କରି ଦୁମକା କୋଷାଗାରରୁ ବେଆଇନ ଭାବେ ଅର୍ଥ କାଢିବା ମାମଲାରେ ଜାମିନ ଦେବାକୁ ନିବେଦନ କରିଛନ୍ତି। ଉଲ୍ଲେଖନୀୟ ସିବିଆଇର ସ୍ଵତନ୍ତ୍ର ଅଦାଲତ ଲାଲୁ ପ୍ରସାଦ ଯାଦବଙ୍କୁ  ଏହି ମାମଲାରେ ସାତ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଲାଲୁ ପ୍ରସାଦଙ୍କ ଆଡଭୋକେଟ୍ ଦେବର୍ଷୀ ମଣ୍ଡଲ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ ଦାଖଲ କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ଦୁମକା କୋଷାଗାର ମାମଲାରେ ଲାଲୁ ୪୨ ମାସ ଜେଲରେ କାଟି ସାରିଲେଣି। ଏହି ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ସେ ନିଜର ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଲାଲୁ ପ୍ରସାଦ ଯାଦବ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ର କଏଦୀ। ମାତ୍ର ଗମ୍ଭୀର ସ୍ଵାସ୍ଥ୍ୟଗତ କାରଣରୁ ରିମ୍ସରେ ଚିକିତ୍ସାଧୀନ ଅଛନ୍ତି।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପ୍ରତି ଲାଲୁଙ୍କୁ କେଲି ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଛି। ଲାଲୁ ପ୍ରସାଦଙ୍କ ଉପରେ ଦୁମକା କୋଷାଗାର, ଚାଇବାସା କୋଷାଗାରର ଦୁଇ ମାମଲା, ଡୋରଣ୍ଡା କୋଷାଗାର ଓ ଦେବଘର କୋଷାଗାରରୁ ବେଆଇନ ଭାବେ ଟଙ୍କା କାଢିବା ଅଭିଯୋଗ ହୋଇଥିଲା।

ଲାଲୁ ପ୍ରସାଦ ଯାଦବଙ୍କୁ ଗୋଖାଦ୍ୟ ଦୁନୀର୍ତିର ଚାଇବାସା କୋଷାଗାରର ଦୁଇଟି ମାମଲା ଓ ଦେବଘର କୋଷାଗାର ମାମଲାରେ ଜାମିନ ମିଳି ସାରିଛି। ଡୋରଣ୍ଡା କୋଷାଗାରରୁ ବେଆଇନ ଅର୍ଥ କାଢିବା ମାମଲା ଏବେ ମଧ୍ୟ ସିବିଆଇ କୋର୍ଟରେ ବିଚାରଧୀନ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.