ଜମୁଛି ବିହାର ନିର୍ବାଚନୀ ପ୍ରଚାର: ମଞ୍ଚ ଉପରେ ନୀତିଶ କୁମାରଙ୍କ ପାଦ ଛୁଇଁଲେ ଲାଲୁଙ୍କ ବୋହୂ ଐଶ୍ଵର୍ଯ୍ୟା ରାୟ

Published By : Prameya-News7 Bureau | October 21, 2020 IST

ପାଟନା ୨୧।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ  ବଡ ନେତା ରାଲି କରୁଛନ୍ତି। ଏହି କ୍ରମରେ ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରଣ ଜିଲ୍ଲାର ପରସା ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାରରେ ପହଞ୍ଚିଥିଲେ। ଏଠାରେ ଲାଲୁଙ୍କ ସମୁଦି ଚନ୍ଦ୍ରିକା ରାୟ ଜନତା ଦଳ ୟୁନାଇଟେଡ୍‌ର ପ୍ରାର୍ଥୀ ଅଛନ୍ତି। ମଞ୍ଚରେ ନିଜ ବାପାଙ୍କ ସହିତ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ତଥା ତେଜ ପ୍ରତାପଙ୍କ ପତ୍ନୀ ଐଶ୍ଵର୍ଯ୍ୟା ରାୟ ମଧ୍ୟ ଉପସ୍ଥିତ ଥିଲେ। ନିର୍ବାଚନୀ ସଭା ସମୟରେ ମଞ୍ଚ ଉପରେ ଲାଲୁଙ୍କ  ବୋହୂ ଐଶ୍ଵର୍ଯ୍ୟା ନୀତିଶ କୁମାରଙ୍କ ପାଦ ଛୁଇଁଛନ୍ତି।

ଏହା ପରେ ସଭାକୁ ସମ୍ବୋଧିତ କରି ଐଶ୍ଵର୍ଯ୍ୟା କହିଛନ୍ତି  ନିଜ ବାପାଙ୍କ ପାଇଁ ଆପଣ ସମସ୍ତଙ୍କ ଭୋଟ୍ ମାଗିବାକୁ ମୁଁ ଏଠାକୁ ଆସିଛି। ଏହା ପରସା ବିଧାନସଭା କ୍ଷେତ୍ରର ମାନ ସମ୍ମାନର ବିଷୟ। ନିଜର ସମ୍ବୋଧନରେ ଐଶ୍ଵର୍ଯ୍ୟା ନିଜେ ରାଜନୀତିରେ ଆସିବାକୁ ସଙ୍କେତ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ମୁଁ କିଛି ସମୟ ପରେ ଆପଣଙ୍କ ନିକଟକୁ ଆସୁଛି।

ନିର୍ବାଚନୀ ସଭାକୁ ସମ୍ବୋଧିତ କରି ନୀତିଶ କୁମାର ନିଜ ସରକାରର ଉପଲବ୍ଧି ଜନତାଙ୍କ ସାମ୍ନାରେ ରଖିଛନ୍ତି। ତେଜପ୍ରତାପ ଯାଦବ ଓ ଐଶ୍ଵର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଉପରେ ଉଲ୍ଲେଖ କରି ନୀତିଶ କହିଛନ୍ତି ଜଣେ ପଢାଲେଖା ଝିଅ ସହିତ ଏମିତି ବ୍ୟବହାର ହେଲା। ପ୍ରକୃତି ଏମିତି ଘଟଣା ପାଇଁ କିଛି ନା କିଛି ବ୍ୟବସ୍ଥା କରିଥିବେ। ନୀତିଶ କହିଛନ୍ତି ବିବାହ ସମାରୋହରେ ଆମେ ସମସ୍ତେ  ଉପସ୍ଥିତ ଥିଲୁ, ମାତ୍ର ଏହା ପରେ ଯାହା ଘଟିଲା କାହାରିକୁ ଏହା ଭଲ ଲାଗିଲା ନାହିଁ।

ଉଲ୍ଲେଖନୀୟ ପରସା ବିଧାନସଭା କ୍ଷେତ୍ରରୁ ଚନ୍ଦ୍ରିକା ରାୟ ଜେଡିୟୁ ପ୍ରାର୍ଥୀ। ସେ ଏଠାରୁ ଆରଜେଡି ଟିକେଟ୍‌ରେ ଗତ ନିର୍ବାଚନ ଜିତିଥିଲେ। ଏହା ମଧ୍ୟରେ ତାଙ୍କ ଝିଅଙ୍କ ବିବାହ ଲାଲୁ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ସହ ହୋଇଥିଲା। ମାତ୍ର ଏହି ବିବାହ ଅଧିକ ଦିନ ତିଷ୍ଠି ନଥିଲା। ବର୍ତ୍ତମାନ ଏହି ମାମଲା ଅଦାଲତରେ ବିଚାରଧୀନ ରହିଛି। ଏହି କାରଣରୁ ଦୁଇ ପରିବାର ମଧ୍ୟରେ ସଂପର୍କ ଖରାପ ହେବାରୁ ଐଶ୍ଵର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ନୀତିଶ କୁମାରଙ୍କ ପାର୍ଟିରେ ପାଦ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.