ନୀତିଶଙ୍କ ରାଲିରେ ଶୁଭିଲା ଲାଲୁ ଜିନ୍ଦାବାଦ ନାରା, ରାଗିଗଲେ ବିହାର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 21, 2020 IST

ପାଟନା,୨୧|୧୦ :  ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ତେବେ ବୁଧବାର ଏକ ସଭାରେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ନୀତିଶ ସେହି ସମୟରେ ଏପରି ପରିସ୍ଥିତିର ସାମ୍ନା କରିଥିଲେ ଯେତେବେଳେ ତାଙ୍କ ସଭାରେ  ଆରଜେଡି ସମର୍ଥକମାନେ ହଠାତ୍ ଲାଲୁ ଜିନ୍ଦାବାଦ ନାରା ଦେବା ଆରମ୍ଭ କରିଥିଲେ । ଏହାଦେଖି ନୀତିଶ ରାଗିଯିବା ସହ ଏପରି ନକରିବାକୁ କହିଥିଲେ । ଆପଣ ଯାହା ପାଇଁ ନାରା ଲଗାଉଛନ୍ତି ଏହି ନାରା ପାଇଁ ସେ ସମସ୍ୟାର ସମ୍ମୁଖୀନ ହେବେ ବୋଲି ନୀତିଶ କହିଥିଲେ  ।

ନରାବାଜି କରୁଥିବା ଆରଜେଡି ସମର୍ଥକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ନୀତିଶ କୁମାର । ଏହାସହ କହିଥିଲେ ଯେ, ସମାଜରେ କେବେ କିଛି ଏପଟସେପଟ କଥା କହିବା ଠିକ୍ ନୁହେଁ । ସର୍ବଦା ସତ କହିବା ଆବଶ୍ୟକ । କେତେ ଲୋକ ମନା କରିବା ସତ୍ତ୍ୱେ କିଛି ନାରାବାଜି ଜାରି ରଖିଛନ୍ତି । ଅନେକ ମନା କରୁଥିଲେ ମଧ୍ୟ ୧୦ଜଣ ଏପରି ନାରା ଦେବା ଅନୁଚିତ ବୋଲି ନୀତିଶ ରାଗରେ କହିଥିଲେ ।

ଆରଜେଡି ସମର୍ଥକଙ୍କ ପ୍ରତି ନୀତିଶଙ୍କ ଅସନ୍ତୋଷ ବ୍ୟକ୍ତର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ମଙ୍ଗଳବାର ନୀତିଶ ଏପରି ଆଉ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଯେତେବେଳେ ସେ ମଙ୍ଗଳବାର ସନ୍ଧ୍ୟାରେ  ରାମବିଳାସ ପାଶଓ୍ୱାନଙ୍କ ସ୍ମୃତିସଭାରେ ସାମିଲ ହେବା ପାଇଁ ଏଲଜେପି କାର୍ଯ୍ୟାଳୟରେ ପହଁଚିଥିଲେ ।

ଏହି ସ୍ମୃତି ସଭାରେ ଜେଡିୟୁ ନେତା ଅଶୋକ ଚୌଦ୍ଧରୀ ଓ ବିଜେପି ନେତା ନିତ୍ୟାନନ୍ଦ ରାୟ ମଧ୍ୟ ଉପସ୍ଥିତ ଥିଲେ । ଏଲଜେପି କାର୍ଯ୍ୟାଳୟରେ ପହଁଚିବା ପରେ ଦଳୀୟ ସମର୍ଥକମାନେ ନୀତିଶଙ୍କ ଆଗରେ ଚିରାଗ ପାଶଓ୍ୱାନ ଜିନ୍ଦାବାଦ ନାରା ଲଗାଇଥିଲେ । ଏହାପରେ କାର୍ଯ୍ୟକର୍ତ୍ତାକୁ ଚୁପ୍ ରହିବାକୁ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.