ବିବାହର ୬ମାସ ନପୂରୁଣୁ ଲାଲୁ ଯାଦବଙ୍କ ପୁଅ ତେଜପ୍ରତାପ ପତ୍ନୀ ଏଶ୍ବର୍ଯ୍ୟାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଅଦାଲତରେ କଲେ ଆବେଦନ : ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 03, 2018 IST

ପାଟଣା ୩|୧୧:  ଭାଙ୍ଗିବାକୁ ବସିଛି ରାଜାଘର ବାହାଘର । ମାତ୍ର ୫ମାସ ତଳେ ଧୂମଧାମ୍ ଓ ରାଜକୀୟ ଶୈଳୀରେ ହୋଇଥିବା ବାହାଘର ଏବେ ଭାଙ୍ଗିଯିବାକୁ ବସିଛି । ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜପ୍ରସାଦ ଯାଦବ ନବବିବାହିତା ପତ୍ନୀ ଏଶ୍ବର୍ଯ୍ୟାଙ୍କ ସହ ବିବାହ ବିଚ୍ଛେଦ ପାଇଁ ପାଟଣାର ଏକ ଦେଓ୍ବାନୀ ଅଦାଲତରେ ଆବେଦନ କରିଛନ୍ତି । ଚଳିତ ବର୍ଷ ମେ ୧୨ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ରାୟଙ୍କ ନାତୁଣୀ ଏଶ୍ବର୍ଯ୍ୟାଙ୍କ ସହ ତେଜପ୍ରତାପଙ୍କ ବିବାହ ହୋଇଥିଲା । ଛାଡପତ୍ର ଆବେଦନ କରିବା ପରେ ରାଞ୍ଚି ଜେଲରେ ଥିବା ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଜଣାଇବା ଲାଗି ତେଜପ୍ରତାପ ରାଞ୍ଚି ଅବିମୁଖେ ବାହିରିଯାଇଥିଲେ । ଅନ୍ୟପକ୍ଷରେ ଏହି ଖବର ଶୁଣିବା ମାତ୍ରେ ନିଜ ବାପଘରେ ଥିବା ଏଶ୍ବର୍ଯ୍ୟା ରାବିଡି ନିବାସ ପହଞ୍ଚିଥିଲେ । ତେଜପ୍ରତାପଙ୍କ ଏଭଳି ପଦକ୍ଷେପକୁ ମା ରାବଡୀ ଦେବୀ ମଧ୍ୟ ସହଜରେ ଗ୍ରହଣ କରିପାରିନଥିଲେ । ଗତକାଲି ସନ୍ଧ୍ୟାରେ ରାବଡୀ ନିବାସର ମାହୋଲ ଅତ୍ୟନ୍ତ ସରଗରମ ରହିଥିଲା । ରାଞ୍ଚି ଅଭିମୁଖେ ଯାଉଥିବା ତେଜପ୍ରତାପଙ୍କୁ ଅଧା ରାସ୍ତାରୁ ଫେରାଇ ଅଣାଯାଇଥିଲା । ରାବଡୀ ନିବାସ ଉଭୟ ପରିବାରର ବରିଷ୍ଠ ସଦସ୍ୟମାନେ ବସି ଏହି ମାମଲାର ପାରିବାରିକ ସମାଧାନ ପାଇଁ ଉଦ୍ୟମ କରିଥିଲେ । ଆଲୋଚନା ବେଳେ ଉଭୟ ତେଜପ୍ରତାପ ଏବଂ ଏଶ୍ବର୍ଯ୍ୟା ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏହି ଆଲୋଚନାରୁ କୌଣସି ବିଶେଷ ସୁଫଳ ମିଳିନାହିଁ । ସୂଚନାଯୋଗ୍ୟ ଯେ, ପୂର୍ବତନ ବିଧାୟକ ଚନ୍ଦ୍ରିକା ରାୟଙ୍କ କନ୍ୟା ଏଶ୍ବର୍ଯ୍ୟାଙ୍କୁ ବୋହୂ କରିବା ଲାଗି ତେଜପ୍ରତାପଙ୍କ ମାଆ ରାବଡୀ ଦେବୀ ପସନ୍ଦ କରିଥିଲେ । ଏଶ୍ବର୍ଯ୍ୟା ଦିଲ୍ଲୀରୁ ମ୍ୟାନେଜମେଣ୍ଟ କରିଛନ୍ତି । କିନ୍ତୁ ବିବାହର ଏତେ କମ୍ ଦିନ ଭିତରେ ଏମିତି କଣ ଘଟିଲା ଯେ, ତେଜପ୍ରତାପ ସିଧାସଳଖ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି ନେଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଲାଲୁଙ୍କ ପରିବାର ସହ ସମ୍ପର୍କଥିବା ଜଣେ ରାଷ୍ଟ୍ରୀୟ ଜନତା ଦଳ ନେତାଙ୍କ ସୂତ୍ରରୁ ଜଣାପଡିଛି ଯେ, ସବୁବେଳେ ନିଜର ନିଆରା ଆନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ତେଜ ପ୍ରତାପଙ୍କ ରାଜନୈତିକ ମହତ୍ବକାଂକ୍ଷା ବଢିଯାଇଥିଲା । ଏହି ମହତ୍ବକାଂକ୍ଷା ପଛରେ ଏଶ୍ବର୍ଯ୍ୟାଙ୍କ ପ୍ରରୋଚନା ରହିଥିଲା । ତେବେ ରାଷ୍ଟ୍ରୀୟ ଜନତା ଦଳରେ ତେଜପ୍ରତାପଙ୍କ କଥା ନରହିବା ଏକ ପାରିବାରିକ ବିବାଦକୁ ଜନ୍ମ ଦେଇଥିଲା । ଯାହା ପରବର୍ତ୍ତୀ ସମୟରେ ତିକ୍ତ ହୋଇଥିଲା ଓ ପରିଣାମ ହେଉଛି ଏହି ଛାଡପତ୍ର । ସୂଚନାଯୋଗ୍ୟ ଯେ, ବିବାହର ଅଳ୍ପଦିନ ପରେ ଏଶ୍ବର୍ଯ୍ୟାଙ୍କୁ ରାଷ୍ଟ୍ରୀୟ ଜନତାଦଳର କିଛି ବୈଠକରେ ଦେଖିବାକୁ ମିଳିଥିଲା । ତେଣୁ ଏଶ୍ବର୍ଯ୍ୟା ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏଶ୍ବର୍ଯ୍ୟା ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ନାହିଁ ବୋଲି ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଅପରପକ୍ଷରେ ଆଉ ଏକ ସୂତ୍ର ଅନୁସାରେ ତେଜପ୍ରତାପ ଏବଂ ଏଶ୍ବର୍ଯ୍ୟାଙ୍କ ମଧ୍ୟରେ ବିବାହର ୧୫ଦିନ ପରଠୁ ହିଂ ସଂପର୍କ ଖରାପ ହେବା ଆରମ୍ଭ ହୋଇଥିଲା । ତେଜପ୍ରତାପ ଧୀରେ ଧୀରେ ଅଧିକ ଦର୍ମ କର୍ମ ଆଡକୁ ଢଳିବା ଏହି ମନୋମାଳିନ୍ୟର ଅନ୍ୟତମ କାରମ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଗତକାଲି ଛାଡପତ୍ର ଆବେଦନ ପରେ ତେଜପ୍ରତାପ ରାଞ୍ଚି ଯାଉଥିବାବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ଘେରିଥିଲେ । ଏହି ଛାଡପତ୍ର ସଂପର୍କରେ ପ୍ରଶ୍ନ କରିଥିଲେ । ବିବାହ ବିଚ୍ଛେଦର ନିର୍ଦ୍ଧିଷ୍ଟ କାରଣ ସଂପର୍କରେ ତେଜପ୍ରତାପ କିଛି କହିନଥିଲେ । କେବଳ ଗୋଟିଏ ଧାଡି କହିଥିଲେ ଯେ, ‘ମୁଁ ଯେଉଁ ରାଦାକୁ ଖୋଜୁଛି ଏଶ୍ବର୍ଯ୍ୟା ସେ ରାଧା ନୁହେଁ ।’ ସୂଚନାଯୋଗ୍ୟ ଯେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବାର କିଛିଦିନ ଆଗରୁ ତେଜପ୍ରତାପ ମଥୁରା ଓ ବୃନ୍ଦାବନ ଗସ୍ତ କରିଥିଲେ । ବିବାହ ପରେ ମଧ୍ୟ ଏଶ୍ବର୍ଯ୍ୟାଙ୍କୁ ନେଇ ତେଜପ୍ରତାପ ହନିମୁନ ଯିବା ବଦଳରେ ଏକଲା ମଥୁରା ଓ ବୃନ୍ଦାବନ ଗସ୍ତରେ ଯାଇଥିଲେ । ଏଇ ଦଶହରା ସମୟରେ ମଧ୍ୟ ତେଜପ୍ରତାପ ଓ ଏଶ୍ବର୍ଯ୍ୟାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ ଶେଷଥର ପାଇଁ ମେ ୨୩ ତାରିଖରେ ମୁମ୍ବାଇରେ ଦେଖିବାକୁ ମିଳିଥିଲା । ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ ତାଙ୍କୁ ଏସିଆନ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଶ୍ବର୍ଯ୍ୟାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ତେଜପ୍ରତାପ ଅଦାଲତରେ ଆବେଦନ କରିବା ଖବର ଜେଲରେ ଥିବା ଲାଲୁ ପ୍ରସାଦ ଯାଦବଙ୍କ ପାଖରେ ପହଞ୍ଚିସାରିଛି । ସେ ଏହାକୁ ନେଇ ଅସୁଖୀ ଓ ଅସନ୍ତୁଷ୍ଟ ଥିବା କୁହାଯାଇଛି । ସେହିଭଳି ଲାଲୁ ପ୍ରସାଦ ଯାଦବଙ୍କ ନିଜ ଗାଁ ଫଲଓ୍ବାରାରେ ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଗ୍ରାମବାସୀ ଆଘାତ ପାଇଥିବା ଜଣାପଡିଛି । ତେଜପ୍ରତାପଙ୍କ ବରଯାତ୍ରୀରେ ସମଗ୍ର ଗ୍ରାମବାସୀ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.