Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

IPL ଖେଳ ଖେଳାଳିଙ୍କୁ ଟଙ୍କା ପୁଳା ପୁଳା, ବୋର୍ଡ-ପ୍ରମୋଟର ସମସ୍ତେ ଧନୀ: ଅଥଚ କରୋନା ପାଇଁ ଖୋଲୁନାହାନ୍ତି ଟ୍ରେଜେରି , ପ୍ରଶ୍ନ ଉଠାଇଲେ IPL ଜନକ

3/05/2021 at 7:09 PM

ନୂଆଦିଲ୍ଲୀ ୩/୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଥିବା ବେଳେ ଅନେକ ମୃତ୍ୟୁ ଅପେକ୍ଷାରେ ରହୁଥିବା ଦେଖିବାକୁ ମିଳୁଛି । ଚାରିଆଡ଼େ ହାହା କାର । ଲୋକେ ତ୍ରହିମାମ୍‌ ବୋଲି ଚିତ୍କାର କରୁଛନ୍ତି। ଏହି ସମୟରେ ବହୁ ଲୋକ ଭାରତକୁ ସହୟତା କରିବାକୁ ଆଗକୁ ଆସୁଛନ୍ତି। ବିଦେଶୀ କ୍ରିକେଟର ଭାରତକୁ କରୋନାରେ ବିରୋଧରେ ଲଢ଼େଇ ପାଇଁ ଟଙ୍କା ମଧ୍ୟ ଦାନ ଦେଇଛନ୍ତି। କିନ୍ତୁ ଭାରତରେ ଲୋକପ୍ରିୟତା ପାଇଥିବା କ୍ରିକେଟ ଦୁନିଆର ବହୁ ନାମୀ ଦାମୀ ଖେଳାଳି ଏବଂ ବିଶେଷ କରି ବସିସିଆଇ ପକ୍ଷରୁ ଭାରତର ପରିସ୍ଥିତି ପାଇଁ ଟଙ୍କା ତ ଦୂରର କଥା ସମବେଦନା ପାଇଁ ଶବ୍ଦଟିଏ ବାହାରି ନାହିଁ।  ଏହାକୁ ନେଇ ସାଧାରଣ ଲୋକଟିଏ ପ୍ରଶ୍ନ କରୁଥିବା ବେଳେ ଖୋଦ୍‌ ଆଇପିଏଲ୍‌ର ଜନକ ଖେଳାଳି ଏବଂ ବିସିସିଆଇ ଉପରେ ଜୋରଦାର ବର୍ଷିଛନ୍ତି ।

 ଇଂରାଜୀ ଖବର କାଗଜ ମିଡ ଡେ’କୁ ସାକ୍ଷାତକାର ଦେଇ ଲଳିତ୍ ମୋଦୀ କହିଛନ୍ତି, ଇତିହାସ ଲେଖାଯିବା ବେଳେ ଭାରତର ବିପଦ ସମୟରେ ଭାରତୀୟ କ୍ରିକେଟରଙ୍କ ଅବଦାନ କଣ ଥିଲା ବୋଲି ଲେଖାଯିବ। ଏକଥାକୁ ଜମା ଭୁଲ ନାହିଁ ବୋଲି କ୍ରିକେଟରକୁ ଟର୍ଗେଟ କରି ସେ କହିଛନ୍ତି। ​ ସେ ଗତ ୩ ଦିନ ହେଲା ଆଇପିଏଲ ମ୍ୟାଚ୍‌ ଦେଖିନାହାନ୍ତି। ଖେଳାଳିମାନେ ଲୋକଙ୍କ ପାଇଁ କିଛି କରୁନାହାନ୍ତି । ଖେଳାଳି ପ୍ରତିଦିନ ସାମ୍ନାକୁ ଆସୁନାହାନ୍ତି। କଳା ବ୍ୟାଣ୍ଡ ପିନ୍ଧି ଦୁଃଖ ଜାହିର କରୁନାହାନ୍ତି। ଏପରିକି ଖେଳାଳିମାନେ ଆଣ୍ଠୁମାଡ଼ି ବସୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି ଲଲିତ୍‌।   ଆଇପିଏଲ୍‌ ସହ ଜଡ଼ିତ ଆର୍ଥିକ ହେରଫେରକୁ ନେଇ ଲଣ୍ଡନରେ ଥିବା ଲଳିତ୍ ମୋଦୀ ଭାରତୀୟ କ୍ରିକେଟ ବୋର୍ଡ ଉପରେ ଖପ୍ପା ହୋଇଛନ୍ତି।

ଭାରତୀୟ କ୍ରିକେଟ ବୋର୍ଡ ଏବେ ଯାଏ କିଛି କରିନାହିଁ। ୨୦୨୦ ଏବଂ ୨୦୨୧ ଆଇପିଏଲରୁ ମିଳିଥିବା ଲାଭଂଶରୁ ଅତିକମ୍‌ରେ ୧୦ ପ୍ରତିଶତ ଭାରତର ଲୋକଙ୍କ ପାଇଁ ବୋର୍ଡ ଦେବା ଉଚିତ।   ମୋଦୀଙ୍କ କହିବା ଅନୁସାରେ ବିସିସିଆଇ ପାଖାପାଖି ୭୦୦-୮୦୦ କୋଟି ଟଙ୍କା ଦାନ କରିବା ଦରକାର। ଚିନ୍ତାକରନ୍ତୁ ଏତେ ଟଙ୍କାରେ ଲୋକଙ୍କ ଚିକତ୍ସା ସାଙ୍ଗକୁ ଜୀବନ ଜୀବିକା ଆରମ୍ଭ କରିବା ଏକ ପ୍ରକାର ସହଜ ହୋଇଯିବ। ସେ କହିଛନ୍ତି, ‘ଆପଣ ବହୁତ କିଛି କରିପାରିଥାନ୍ତେ। ଭ୍ୟାକସିନ୍‌, ଅକ୍ସିଜେନ୍‌ ଏବଂ ଭେଣ୍ଟିଲେଟର ପାଇଁ ଟଙ୍କା ଦେଇ ପାରିଥାନ୍ତେ। ଅସ୍ଥାୟୀ ହସ୍ପିଟାଲ ତିଆରି କରିପାରିଥାନ୍ତେ। କରୋନା ଆକ୍ରାନ୍ତଙ୍କ ପାଇଁ ଷ୍ଟାଡିୟମ୍‌ର ବ୍ୟବହାର କରିପାରିଥାନ୍ତେ।’

ଅନ୍ୟପଟେ କରୋନା କାଳରେ ଆଇପିଏଲ୍‌ ଆୟୋଜନ ଉପରେ ଚର୍ଚ୍ଚା ଚାଲିଛି। ଚେନ୍ନାଇ ସୁପରକିଙ୍ଗସ ଏବଂ କେକେଆର ଶିବିରରେ କରୋନା ପଜିଟିଭ୍‌ ବାହାରିବା ପରେ ସୋମବାର କେକେଆର ଏବଂ ଆରସିବି ମ୍ୟାଚ୍‌ ବାତିଲ ହୋଇଛି। ତେବେ ଆଇପିଏଲ ବନ୍ଦ ସପକ୍ଷରେ ନାହାନ୍ତି ଲଳିତ୍‌ ମୋଦୀ। ତାଙ୍କ ମତରେ କିଛି ଲୋକ ଏହି ମ୍ୟାଚ୍‌ ମାଧ୍ୟମରେ ଘରର ଗୁଜୁରାଣ ମେଣ୍ଟାଉଛନ୍ତି। ତେଣୁ ଖେଳ ବନ୍ଦ ନହେବା ଉଚିତ ବୋଲି ଆଇପିଏଲ୍‌ର ଜନକ ଭାବେ ପରିଚିତ ଲଳିତ୍‌ ମୋଦୀ କହିଛନ୍ତି।

   Related Posts