ଲଖୀମପୁର ହିଂସା ଘଟଣାରେ ବଡ ଖୁଲାସା, କେନ୍ଦ୍ରମନ୍ତ୍ରୀଙ୍କ ପୁଅର ବନ୍ଧୁକରୁ ହିଁ ଫୁଟିଥିଲା ଗୁଳି

Published By : Prameya-News7 Bureau | November 09, 2021 IST

ଲଖୀମପୁର ୦୯/୧୧ : ଉତ୍ତର ପ୍ରଦେଶ ଲଖୀମପୁର ଖିରୀ ହିଂସା ଘଟଣାରେ ଏବେ ଆଉ ଏକ ଖୁଲାସା ହୋଇଛି । ଫରେନସିକ୍‌ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ହିଂସାକାଣ୍ଡ ବେଳେ ସେଠାରେ ଗୁଳିମାଡ ମଧ୍ୟ ହୋଇଥିଲା । ଏ ନେଇ ପ୍ରମାଣ ମିଳିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶୀଷ ମିଶ୍ରାଙ୍କର ରାଇଫଲକୁ ମଧ୍ୟ ଯାଞ୍ଚ ପାଇଁ ପଠାଯାଇଥିଲା । ତେବେ ବଡ କଥା ହେଉଛି, ଆଶୀଷଙ୍କ ବନ୍ଧୁକରୁ ଗୁଳି ଫୁଟିଥିବା ଫରେନସିକ୍‌ ରିପୋର୍ଟରେ ସ୍ପଷ୍ଟ ହୋଇଛି ।

ଖିରୀ ହିଂସାର ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କିତ ଦାସଙ୍କ ବନ୍ଧୁକ ମଧ୍ୟ ଯାଞ୍ଚ କରାଯାଇଥିଲା । ତାଙ୍କ ବନ୍ଧୁକରୁ ମଧ୍ୟ ଗୁଳି ଫୁଟିଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । କିନ୍ତୁ ଖିରୀ ହିଂସାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣ ଚାଷୀ ଥିଲେ । ତେବେ ମୃତକଙ୍କ ମଧ୍ୟରୁ କାହା ଶରୀରରେ ଗୁଳି ବାଜି ନଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । କିନ୍ତୁ ଯାଞ୍ଚ ବେଳେ ପୋଲିସ ଗାଡିରେ ଗୁଳି ବାଜିଥିବା ଜଣାପଡିଛି । ସେହି ଆଧାରରେ ବନ୍ଧୁକ ଜବତ କରାଯାଇ ଯାଞ୍ଚ ପାଇଁ ପଠାଯାଇଥିଲା ।

ସୂଚନାଯୋଗ୍ୟ, ଲଖୀମପୁର ଖିରୀରେ ଗତ ଅକ୍ଟୋବର ୩ ତାରିଖରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ଯାଇଥିବା ଚାଷୀଙ୍କ ଉପରେ ମାଡିଯାଇଥିଲା କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଗାଡି । କାର୍ଯ୍ୟକ୍ରମରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ । ଚାଷୀଙ୍କ ଅଭିଯୋଗ ଯେ, ସେହି ଗାଡିଟି କେନ୍ଦ୍ର ମନ୍ତ୍ରୀଙ୍କର ଥିଲା ଏବଂ ସେଥିରେ ଆଶୀଷ ମିଶ୍ରା ହିଁ ଥିଲେ । ତେବେ ଆଶୀଷ ବର୍ତ୍ତମାନ ଗିରଫ ହୋଇ ଜେଲରେ ଥିବାବେଳେ ମାମଲାର ତଦନ୍ତ ଜାରି ରହିଛି । ଖିରୀ ହିଂସା ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ଏବେ ମନ୍ତ୍ରୀଙ୍କ ପୁଅର ବନ୍ଧୁକରୁ ଗୁଳି ଫୁଟିଥିବା ଫରେନସିକ୍‌ ରିପୋର୍ଟ ଆସିବା ପରେ ଅଡୁଆ ବଢିଛି । କେନ୍ଦ୍ର ମନ୍ତ୍ରୀ ଅଜି ମିଶ୍ରାଙ୍କ ଇସ୍ତଫା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । କାରଣ ତାଙ୍କୁ ମଧ୍ୟ ଏଥିରେ ଦୋଷୀ କରାଯାଇ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଥିଲେ ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.