ପୋଲିସ୍ ପାଇଁ ୧୭ ବର୍ଷୀୟ ବାଳକର ଜୀବନ ଗଲା !

Published By : Prameya-News7 Bureau | January 24, 2022 IST

ଲକ୍ଷ୍ନୌ୨୪/୦୧: ପୋଲିସ୍‌ର ବର୍ବରତା ଯୋଗୁ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ। ଉତ୍ତରପ୍ରଦେଶ ପୋଲିସ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବାଳକର ପରିବାର ଲୋକେ । ଏହି ନାବାଳକ ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୋବାଇଲ ଫୋନ ଚୋରି କରିଥିବାରୁ ପୁଲିସ୍‌ ତାଙ୍କୁ ଥାନାକୁ ନେଇଥିଲେ। ସେଠାରୁ ଫେରିବାର ୪ ଦିନ ପରେ ନାବାଳକ ଜଣକ ରବିବାର ପ୍ରାଣ ହରାଇଛି। ପୁଲିସ୍‌ ଥାନାରେ ତାକୁ ପ୍ରବଳ ମାଡ଼ ମାରିଥିବାରୁ ଏପରି ଘଟିଥିବା କୁହାଯାଉଛି। ଉତ୍ତରପ୍ରଦେଶର ଲଖିମପୁର ଅନ୍ତର୍ଗତ ସଂପୂର୍ଣ୍ଣା ନଗରରେ ଏହି ଘଟଣା ଘଟିଛି।

ଏହି ଘଟଣା ପରେରେ ଜଣେ ସବ ଇନସପେକ୍ଟର ଓ ୨ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଲଖିମପୁର ପୁଲିସ୍‌ ମୁଖ୍ୟ ମାଡ଼ ମରା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋବାଇଲ ଚୋରି ଅଭିଯୋଗରେ ନାବାଳକକୁ ଥାନାକୁ ଅଣା ଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ହିଁ ତାକୁ ପଚରାଉଚରା କରାଯାଇଥିଲା । ଆଉ ପରେ ଛାଡ଼ି ଦିଆଯାଇଥିଲା। ପିଲାଟିକୁ ତା’ ମାମୁ ମାଡ଼ ମାରିଥିବା ସଂପର୍କୀୟ ମାନେ କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ନିଜର ବୟାନ ବଦଳାଇଛନ୍ତି।

ପୋଲିସଙ୍କ କହିବା ଅନୁଯାୟୀ, ମୃତକର ମାମୁଁ ଜାନୁଆରୀ ୧୭ରେ ତାଙ୍କ ଭଣଜା  ମୋବାଇଲ ଚୋରି କରିଥିବା  ଅଭିଯୋଗ ଆଣିଥିଲେ। ଏହାପରେ ୧୯ ତାରିଖରେ ନାବାଳକର ପରିବାର ସଦସ୍ୟ ଓ ଗାଁ ମୁଖିଆଙ୍କୁ ଥାନାକୁ ଡକାଯାଇଥିଲା। ଉଭୟ ପକ୍ଷ ସହ ବୁଝାମଣା କରିଥିଲେ। ଦିନ ପ୍ରାୟ ୩ଟାରେ ସେମାନେ ସମସ୍ତେ ଘରକୁ ଯାଇଥିଲେ।ଏହାର ପରଦିନ ନାବାଳକର ମା’ ଥାନାରେ ପହଞ୍ଚି, ୨୦ ତାରିଖରେ ମାମୁ ଓ ତାଙ୍କର କିଛି ସହଯୋଗୀ ପୁଅକୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏପରି କି ସେହିଦିନ ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତା’ର ମୃତ୍ୟୁ ଘଟିଛି। ପରେ ପରିବାର ଲୋକ ପୁଲିସ୍‌ ମାଡ଼ରେ ତା’ର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି। ଏବେ ଘଟଣାର ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.