ଲୈଲାଙ୍କୁ ‘ସେକ୍ସ ସ୍ଲେଭ’ କରି ବିଭିନ୍ନ ଦେଶରେ ବିକ୍ରି କରିଥିଲା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ

Published By : Prameya-News7 Bureau | October 23, 2018 IST

ମୁମ୍ବାଇ ୨୩|୧୦: ଆତଙ୍କବାଦୀ ସଂଗଠନ ଆଇଏଆଇଏସ କବଳରୁ ଖସି ଆସିଥିବା ପୀଡିତା ୩୦ବର୍ଷୀୟ ଲୈଲା ତାଲୋ ଖୁଧେର ଅଲ୍ଲୀ ନିଜ ସହ ହୋଇଥିବା ଅତ୍ୟାଚାରର ହୃଦୟ ଥରା କାହାଣୀ ଶୁଣାଇଛନ୍ତି । ମୁମ୍ବାଇ ପ୍ରେସ୍ କ୍ଲବ୍ ରେ ଯେତେବେଳେ ସେ ନିଜର ଦୁଃଖ ଶୁଣାଇଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା କେତେକଙ୍କ ଆଖିରେ ଲୁହ ଆସିଯାଇଥିଲା । ଲୈଲାଙ୍କ ସହ ଆଇଏସଆଇଏସ ଦ୍ବାରା ଶିକାର ହୋଇଥିବା ଇଦରିଶ ବଶର ସାଇଲୋ ତହା ମଧ୍ୟ ଉପସ୍ଥିତ ଥିଲେ । ଲୈଲା କହିଛନ୍ତି ଯେ, ଆଇଏସଆଇଏସ ସଂଗଠନ ବିଭିନ୍ନ ଦେଶରେ ତାଙ୍କୁ ୯ଥର କିଣାବିକା କରିଥିଲେ । ଏପରିକି ତାଙ୍କୁ ଯୌନ ଶୋଷଣ ମଧ୍ୟ କରିଛନ୍ତି । ତାଙ୍କ ସ୍ବାମୀ ମଧ୍ୟ ଏବେ ଆଇଏସଆଇଏସ କବଳରେ ଥିବା ଲୈଲା କହିଛନ୍ତି । ସେ ଏବେ ଏକ ଶିବିରରେ କାହାର ସହଯୋଗ ବିନା ଜୀବନ କାଟୁଛନ୍ତି । ସଂଯୁକ୍ତ ରାଷ୍ଟ୍ର ସମେତ କେହି ମଧ୍ୟ ତାଙ୍କ ସହାୟତା ପାଇଁ ବାହାରି ନଥିବା ସେ କହିଛନ୍ତି । ଲୈଲା ଏହା ମଧ୍ୟ କହିଛନ୍ତି ଯେ, କେମିତି ଇଣ୍ଟରନେଟ୍ ଜରିଆରେ ମହିଳାମାନଙ୍କର କିଣାବିକା କରାଯାଉଥିଲା । ସେ କହିଥିଲେ ପ୍ରଥମେ ସେମାନଙ୍କର ସମସ୍ତ ତଥ୍ୟ ଇଣ୍ଟରନେଟ୍ ରେ ଅପଲୋଡ୍ କରାଯାଏ ।ଇଣ୍ଟରନେଟରୁ ଦେଖି କୌଣସି ବ୍ୟକ୍ତି ସେମାନଙ୍କୁ ବହୁତ କମ୍ ଦାମ୍ ରେ କିଣି ପାରିବେ । ସୂଚନା ଅସୁନାରେ ଲୈଲା ଇରାକର କୁର୍ଦିସ୍ତାନର ଏକ ଗାଁରେ ସ୍ବାମୀ ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ । ସେହି ସମୟରେ ଆଇଏସଆଇଏସ ସଂଗଠନ ସେଠାରେ ଆକ୍ରମଣ କରିଥିଲା । ତାପରେ ତାଙ୍କ ସହ ତାଙ୍କ ପରି ଅନ୍ୟ କେତେକ ମହିଳାଙ୍କ ଜୀବନ ନର୍କ ହୋଇଗଲା । ଲୈଲା କହିଛନ୍ତି ଯେ, ୨ବର୍ଷ ୮ମାସ ୯ଦିନ ମଧ୍ୟରେ ତାଙ୍କୁ ସେକ୍ସ ସ୍ଲେଭ କରି ପାଖାପାଖି ୯ଥର ବିଭିନ୍ନ ଦେଶରେ ବିକ୍ରି କରାଯାଇଛି । ଏଥିରେ ଇରାକ୍, ବାଗଦାଦ ଏବଂ ସାଉଦିଆରବ ସାମିଲ ରହିଛି । ସେ କହିଛନ୍ତି ଯେ ତାଙ୍କ ପରି ଅନ୍ୟ ମହିଳାମାନେ ମଧ୍ୟ ଆଇଏସଆଇଏସ କବଳରେ ଏବେବି ଫସି ରହିଛନ୍ତି । ସେମାନଙ୍କ ଜୀବନ ନର୍କ ହୋଇସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.