କରୋନା ଭାଇରସ ମହାମାରୀକୁ ମିଥ୍ୟା ବୋଲି କହିବା ପଡିଲା ମହଙ୍ଗା, କୋର୍ଟ ଦେଲେ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

Published By : Prameya-News7 Bureau | December 23, 2020 IST

ଲାହୋର ୨୩।୧୨: କରୋନା ଭାଇରସ ମହମାରୀ ମିଥ୍ୟା ଓ ଏଥିଲାଗି ଟିକା କ୍ରୟ କରି ରାଜକୋଷରୁ କୋଟି କୋଟି ଟଙ୍କା ବୃଥାବ୍ୟୟକୁ କୋର୍ଟରେ  ଚାଲେଞ୍ଜ କରିଥିବା ଜନୈକ ବ୍ୟକ୍ତିଙ୍କୁ ଲାହୋର ଉଚ୍ଚ ନ୍ୟାୟାଳୟ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭବିଷ୍ୟତରେ ସମ୍ପୃକ୍ତ ବ୍ୟକ୍ତି ଯେପରି ଦେଶର କୌଣସି ନ୍ୟାୟାଳୟରେ ଏପରି ମୋକଦ୍ଦମା ରୁଜୁ ନ କରନ୍ତି ସେଥିଲାଗି ମଧ୍ୟ କୋର୍ଟ ସତର୍କ କରାଇଛନ୍ତି।

ଅଜହର ଆବ୍ବାସ ନାମକ ଏହି ବ୍ୟକ୍ତି ଲାହୋର ଉଚ୍ଚନ୍ୟାୟାଳୟରେ ପିଟିସନ ଦାୟର କରି କୋଭିଡ ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର  ଓ ଲୋକେ ହାତ ମିଳାଇଲେ ଏହା ବ୍ୟାପେନି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ। ସେହିପରି କୋଭିଡ ମଣିଷ ସହ ଦୀର୍ଘ ଦିନରୁ ଅଛି ଓ ଏହା ଘାତକ ନୁହେଁ ଏଣୁ ଏଥିଲାଗି ସରକାର ଜାରି କରୁଥିବା ବିଭିନ୍ନ ମାର୍ଗଦର୍ଶନ ଓ ନିରାକରଣ ଲାଗି ବିଦେଶରୁ କୋଟି କୋଟି ଟଙ୍କା ମୂଲ୍ୟ ଟିକା ମଗାଇବାର ଆବଶ୍ୟକତାକୁ ନେଇ ପ୍ରଶ୍ନବାଚୀ ଲଗାଇଥିଲେ।

ଆବେଦନକୁ ବିଚାର ଲାଗି ଗ୍ରହଣ କରି ବିଚାରପତି ମୁହମ୍ମଦ କାଶୀମ ଖାନ୍‌ କୋଭିଡ ନେଇ ଏଣୁ ତେଣୁ କଥା ନ କହି ତାଙ୍କ ଯୁକ୍ତି ନେଇ ଥିବା ଡାକ୍ତରୀ ପ୍ରମାଣ ଉପସ୍ଥାପନ କରନ୍ତୁ ବୋଲି କହିଥିଲେ। ତେବେ ମାମଲାରେ ଅଜହର ସେପରି କୌଣସି ତଥ୍ୟ ଉପସ୍ଥାପନ ନ କରି କୋର୍ଟଙ୍କୁ ଭ୍ରମିତ କରିବାରେ ଲାଗିଥିଲେ। ଶେଷ କୋର୍ଟ ମାମଲାକୁ ଅଗ୍ରାହ୍ୟ କରିବା ସହ ଅଜହରଙ୍କୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଅଜହର ପେଷାରେ ଜଣେ ଶୀତତାପକ ଯନ୍ତ୍ର ମେକାନିକ୍ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.