କେବଳ ପାକିସ୍ତାନରେ ହୁଏ ଏପରି ! ମୁଶର୍ରଫଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିବା କୋର୍ଟ ଅସାମ୍ବିଧାନିକ ଘୋଷିତ
13/01/2020 at 8:45 PM

ଲାହୋର ୧୩।୧: ଲାହୋର ହାଇକୋର୍ଟ ସୋମବାର ଏକ ସ୍ୱତନ୍ତ୍ର ନ୍ୟାୟାଳୟକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହି କୋର୍ଟ ପୂର୍ବତନ ସେନା ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶର୍ରଫଙ୍କୁ ଦେଶଦ୍ରୋହ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ। ତେବେ କୋର୍ଟ ଅସାମ୍ବିଧାନିକ ଘୋଷିତ ହେବା ପରେ ତାଙ୍କ ଦ୍ୱାରା ହୋଇଥିବା ଦଣ୍ଡାଦେଶକୁ ଏବେ ଅବୈଧ ହୋଇଥିବା ଅନୁମାନ କରାଯାଉଛି। ଏଣୁ ଜେନେରାଲ ମୁଶର୍ରଫ ବର୍ତ୍ତମାନ ଲାଗି ମୃତ୍ୟୁଦଣ୍ଡରୁ ବର୍ତ୍ତି ଯାଇଛନ୍ତି।

ମୁଶର୍ରଫଙ୍କ ବିରୋଧରେ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ତାଙ୍କ ଓକିଲ ଲାହୋର ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ହାଇକୋର୍ଟ ପିଟିସନର ପ୍ରଥମ ଶୁଣାଣିରେ ହିଁ ସ୍ୱତନ୍ତ୍ର କୋର୍ଟଙ୍କୁ ଅସାମ୍ବିଧାନିକ ଘୋଷଣା କରିଦେଇଛନ୍ତି। ମୁଶର୍ରଫଙ୍କ ବିରୋଧରେ ଚଳାଯାଇଥିବା ଦେଶଦ୍ରୋହ ମୋକଦ୍ଦମା ଆଇନଅନୁସାରେ ହୋଇ ନଥିବା କୋର୍ଟ କହିଛନ୍ତି। ମୁଶର୍ରଫଙ୍କ ପିଟିସନର ଶୁଣାଣି ଜଷ୍ଟିସ ସୟଦ ମଜହର ଅଲ୍ଲି ଅକବର ନକବୀ, ଜଷ୍ଟିସ ମହମ୍ମଦ ଅମୀର ଭଟ୍ଟି ଓ ଜଷ୍ଟିସ ମସୁଦ ଜାହାଁଗୀରଙ୍କ ୩ ସଦସୀୟ ଖଣ୍ଡପୀଠ କରିଛନ୍ତି।

୨୦୧୩ ମସିହାରେ ତତ୍କାଳୀନ ପାକିସ୍ତାନ ମୁସ୍ଲିମ ଲିଗ(ଏନ) ସରକାର ମୁଶର୍ରଫଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଥିଲେ। ତେବେ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ସରକାରଙ୍କ କ୍ୟାବିନେଟ୍ର ଏଜେଣ୍ଡାରେ ନଥିଲା। ସେହିପରି ତାଙ୍କ ମାମଲାର ଶୁଣାଣି ଲାଗି ଗଠିତ କୋର୍ଟ କ୍ୟାବିନେଟର ବିନା ମଞ୍ଜୁରିରେ ହୋଇଥିଲା। ଏ ନେଇ ସୋମବାର ମହାନ୍ୟାୟବାଦୀ ମହମ୍ମଦ ଇସ୍ତିଆକ୍ କୋର୍ଟରେ ହାଜର ହୋଇ ସ୍ୱତନ୍ତ୍ର ଅଦାଲତ ଗଠନ ନେଇ ରେକର୍ଡ ଉପସ୍ଥାପିତ କରିଥିଲେ। ଏହାର ତର୍ଜମା କରି ଖଣ୍ଡପୀଠ କୋର୍ଟଙ୍କୁ ହିଁ ଅସାମ୍ବିଧାନିକ ଘୋଷଣା କରିଦେଇଛନ୍ତି।