ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ଶିକ୍ଷୟିତ୍ରୀ : ପ୍ରେମିକ ଗିରଫ

Published By : Prameya-News7 Bureau | June 01, 2019 IST

ଧୁବଡ଼ି ୧/୬: ଆସାମର ଧୁବଡ଼ି ଜିଲ୍ଲାର ବିଳାସିପାଡ଼ା ସହରର ଭେରଭେରୀ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରେମ ପାଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଏହି ମାମଲାରେ ତାଙ୍କ ପ୍ରେମିକକୁ ଗିରଫ କରିଛନ୍ତି।

ସୂଚନା ଅନୁଯାୟୀ ସ୍ଥାନୀୟ ଲୋକେ ଗତ ଶୁକ୍ରବାର ଶିକ୍ଷୟିତ୍ରୀଙ୍କ ଘରର କବାଟ ବନ୍ଦ ଥିବା ଦେଖି ତାଙ୍କୁ ଡାକିଥିଲେ। ଘରୁ ଜବାବ ନମିଳିବାରୁ ପୋଲିସକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି କବାଟ ଭାଙ୍ଗି ଶିକ୍ଷୟିତ୍ରୀ ପଙ୍ଖାରେ ଝୁଲୁଥିବା ଦେଖିଥିଲେ। ପୋଲିସ୍ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ଜିଲ୍ଲା ସଦର ହସ୍ପିଟାଲକୁ ପଠାଇଥିଲା।

ସ୍ଥାନୀୟ ଲୋକେ ପୋଲିସକୁ କହିଥିଲେ ଯେ ତିନସୁକିୟା ଜିଲ୍ଲାର ମାର୍ଘାରିଟାରେ ରହୁଥିବା ମୃତା ଶିକ୍ଷୟିତ୍ରୀଙ୍କ ନାଁ ମମତା କୁମାରୀ ଥିଲା। ସେ ଭେରଭେରୀ ଏଲପି ସ୍କୁଲରେ ପଢ଼ାଉଥିଲେ ଏବଂ ଗତ ୪ମାସରୁ ସ୍ଥାନୀୟ ବାସିନ୍ଦା ତମଜଦ ଅଲୀଙ୍କ ଘରେ ଭଡ଼ାରେ ରହୁଥିଲେ। ତାଙ୍କ ଘରକୁ ସ୍ଥାନୀୟ ବଙ୍ଗାଳୀପାଡ଼ାର ବାସିନ୍ଦା ଶାହ ଆଲାମ ସବୁବେଳେ ଯିବା ଆସିବା କରୁଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗୁରୁବାର ସନ୍ଧ୍ୟା ୭ଟାବେଳେ ସେ ଆଲାମ ସହ ଘରୁ ଦୋକାନ ଯାଏଁ ଯାଇଥିଲେ। ଏହାପରେ ସେମାନେ ପୁଣି ଫେରିଥିଲେ। ଏହାପରେ ଦୁ​‌ହେଁ କୈାଣସି କଥାରେ ଝଗଡ଼ା କରିଥିଲେ। ସ୍ଥାନୀୟ ଲୋକେ ତାଙ୍କ ପାଟି ଶୁଣିଥିଲେ। ଝଗଡ଼ା ପରେ ଶାହ ଆଲାମ ତାଙ୍କ ଘରୁ ବାହାରି ଚାଲି ଯାଇଥିଲା। ଶୁକ୍ରବାର ଶିକ୍ଷୟିତ୍ରୀଙ୍କ ଶବ ଘରୁ ଉଦ୍ଧାର କରାଯାଇଥିଲା।

ପୋଲିସ୍ ପଚରାଉଚୁରା କରିବା ପାଇଁ ଶାହା ଆଲାମକୁ ଗିରଫ କରିଛି। ଘଟଣାର ସୂଚନା ମୃତା ମହିଳାଙ୍କ ପରିବାରକୁ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.