ପୁରୀ,୧୦/୦୭: ମଙ୍ଗଳା ମୁହାଣରେ ବ୍ୟବସାୟୀଙ୍କୁ ହତ୍ୟା ମାମଲା ନେଇଛି ନୂଆ ମୋଡ଼ । ପୁଲିସ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯେଉଁଥିରେ ଜଣେ ଲେଡି ସବ୍ଇନ୍ସପେକ୍ଟର୍ଙ୍କ ବିରୋଧରେ ଅଭିଯୋଗ ହୋଇଛି । ମୃତ ବ୍ୟବସାୟୀ ପୁରୀ ମାଟିମଣ୍ଡପ ସାହିରେ ଭଡାଘରେ ରହୁଥିବା କେନ୍ଦ୍ରାପଡା ସଦର ଥାନା ଅଧୀନ ଯମଧର ଗ୍ରାମର ହରି ଓରଫ ଦେବାଶିଷ ସେଠୀ (୩୨)ଙ୍କ ଭିଣୋଇ ମାନସ କୁମାର ସେଠୀ ଏହି ଅଭିଯୋଗ କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଯୁବ ପରିଷଦ ନିକଟରେ ଏହି ଅଭିଯୋଗ ହେବା ପରେ ସଙ୍ଗଠନ ସଭାପତି ଆଇନ୍ଜୀବୀ ହଳଧର ସେଠୀ ବିଭିନ୍ନ ମହଲରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ହରି ଦୀର୍ଘ ୧୫ ବର୍ଷ ଧରି ପୁରୀରେ ପରିବାର ସହ ଘରଭଡ଼ା ନେଇ ରହୁଥିଲେ । ପ୍ରଥମେ ଦୋଳମଣ୍ଡପ ସାହି ଓ ପରେ ମାଟିମଣ୍ଡପ ସାହିରେ ରହିଥିଲେ । ଦେଢ଼ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେ ମାଉସୀମା’ ମନ୍ଦିର ନିକଟରେ ଏକ ମୋବାଇଲ୍ ଦୋକାନ କରି ବ୍ୟବସାୟ କରୁଥିଲେ । କିଛି ଦିନ ତଳେ ସେ ମା’ଙ୍କୁ ନେଇ ନିଜ ଗାଁକୁ ଯାଇଥିଲେ । ଗତ ୪ ତାରିଖରେ ଜରୁରି କାମ ଥିବା କହି ଏକୁଟିଆ ପୁରୀ ଆସିଥିଲେ । ୨ ଜଣ ସାଙ୍ଗଙ୍କ ସହ ବଳିଆପଣ୍ଡା ଥାନା ଅଧୀନ ମଙ୍ଗଳା ମୁହାଣକୁ ଯାଇଥିଲେ । ହେଲେ ୫ ତାରିଖରେ ନଦୀରୁ ତାଙ୍କ ଶବ ଜବତ କରିଥିଲା ପୁଲିସ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି ।
ଏନେଇ ହୋଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ, ଦୀର୍ଘ ୧୨ ବର୍ଷ ତଳେ ହରି ପୁରୀର ଜଣେ ଯୁବତୀଙ୍କ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ । ପରେ ଯୁବତୀ ଜଣକ ପୁଲିସ ବିଭାଗରେ ଚାକିରି ପାଇଥିଲେ । ଏବେ ସେ ଜିଲ୍ଲା ବାହାରେ ଏକ ଥାନାରେ ସବ୍ ଇନ୍ସପେକ୍ଟର୍ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ପୁଲିସ ହେବା ପରେ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ଦୃଢ ଥିଲା । ହେଲେ ଦୀର୍ଘ ବର୍ଷ ଧରି ବିବାହ କରିବାକୁ ହରି ବାଧ୍ୟ କରୁଥିଲେ ମଧ୍ୟ ଲେଡି ଏସ୍ଆଇ ତାଙ୍କୁ ବାରଣ କରୁଥିଲେ ବୋଲି ଅଭିଯୋଗ ହୋଇଛି । ହରି ଦଳିତ ପରିବାର ଓ ଏସ୍ଆଇ ସବର୍ଣ୍ଣ ପରିବାର ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା । ପରିବାରରେ ବିରୋଧ ହେବ, ପ୍ରଥମେ ଭାଇ ବାହାଘର ପରେ ଆମ ବାହାଘର ହେବ ବୋଲି କହି ଯୁବତୀ ତାଙ୍କ ବିବାହକୁ ବାରଣ କରୁଥିବା ଏବଂ ଏନେଇ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ଭୁବନେଶ୍ୱର ମାଷ୍ଟର୍କ୍ୟାଣ୍ଟିନ୍ ଠାରେ ଦୁହଁଙ୍କ ସାଙ୍ଗମାନେ ବସି ସମାଧାନ କରିଥିବା ମାନସ ଅଭିଯୋଗ କରିଛନ୍ତି ।
ସେପଟେ ୪ ତାରିଖରେ ହରିଙ୍କୁ ତାଙ୍କର କିଛି ସାଙ୍ଗ ବାରମ୍ବାର ଫୋନ୍ କରି ଜରୁରି କାମ ଥିବା କହିଥିଲେ । ଯାହା ଫଳରେ ସେ ଗାଁରୁ ପୁରୀ ନିଜ ମୋପେଡ ଯୋଗେ ଆସିଥିଲେ । ହେଲେ ସେ ଜରୁରି କାମ କ’ଣ ତାହା ଏଯାଏଁ ପୁଲିସ ସ୍ପଷ୍ଟ କରି ନାହିଁ । ଆସିବାବେଳେ ସେ ଯୁବତୀଙ୍କ ସହ କଥା ହୋଇଥିବା ଓ ପହଞ୍ଚିବା ପରେ ମଧ୍ୟ କଥା ହୋଇଥିବା ଅଭିଯୋଗ ହୋଇଛି । ତେଣୁ ଏହି ପ୍ରେମ ନେଇ ପୂର୍ବରୁ ଝଗଡା ହତ୍ୟା ପଛରେ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର । ଏତେ ବର୍ଷ ଧରି ପ୍ରେମ କରି ବିବାହକୁ ବାରଣ କରୁଥିବା କାରଣ ଯୋଗୁଁ ମଧ୍ୟ କିଛି ମତାନ୍ତର ଥାଇ ପାରେ ଯାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ପରିଷଦ ସଭାପତି ଆଇନ୍ଜୀବୀ ଶ୍ରୀ ସେଠୀ । ଅନ୍ୟପଟେ ମୃତଦେହରୁ ରକ୍ତ ବାହାରୁଥିବା ଓ ନାକ ପାଖରେ କ୍ଷତ ଥିବା ଯୋଗୁଁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମଧ୍ୟ ଦାବି କରାଯାଇଥିଲା ।
ତେଣୁ ଏହି ପ୍ରେମ ସମ୍ପର୍କକୁ ନେଇ ଲେଡି ଏସ୍ଆଇଙ୍କୁ ତଦନ୍ତ ପରିସରକୁ ଆଣିବା ସହ ଥନାରେ ଅଟକ ଥିବା ଦୁଇ ବନ୍ଧୁଙ୍କୁ ମଧ୍ୟ ଠିକ୍ ଭାବେ ଜେରା କରାଯାଇ ପ୍ରକୃତ ରହସ୍ୟ ଉପରୁ ପରଦା ହଟାଇବାକୁ ମାନସ ଓ ଆଇନ୍ଜୀବୀ ଶ୍ରୀ ସେଠୀ ଦାବି କରିଛନ୍ତି । ଏନେଇ ଆଞ୍ଚଳିକ ନିର୍ଦ୍ଦେଶକ ଏନ୍ସିଏସ୍ସି, ଏଚ୍ଆର୍ପିସିର ଅତିରିକ୍ତ ଡିଜି, ପୁରୀ ଏସ୍ପି, ଅତିରିକ୍ତ ଏସ୍ପି ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି ଯେ, ମାମଲାର ଉପଯୁକ୍ତ ତଦନ୍ତ ହେଉଛି । ଅଭିଯୋଗର ଉଚିତ୍ ତଦନ୍ତ ହେବ ବୋଲି କହିଛନ୍ତି ।