ସୁଟିଂ ପାଇଁ ନୋଏଡା ଆସିଥିଲେ ଯୁବତୀ, ମଦ ପିଆଇ ବନ୍ଧୁ କଲେ ଦୁଷ୍କର୍ମ

Published By : Prameya-News7 Bureau | August 15, 2020 IST

ନୋଏଡା ୧୫।୮: ଉତ୍ତରପ୍ରଦେଶର ନୋଏଡା ଥାନା ସେକ୍ଟର-୨୦ ଅଞ୍ଚଳରେ ଜଣେ ଯୁବତୀ ତାଙ୍କ ସହକର୍ମୀଙ୍କ ଦ୍ବାରା ଦୁଷ୍କର୍ମର ଶୀକାର ହୋଇଥିବା ମାମଲା ସାମ୍ନାକୁ ଆସିଛି । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅତିରିକ୍ତ ଡେପୁଟି କମିଶନର (ଜୋନ୍-୧) ରଣବିଜୟ ସିଂ କହିଛନ୍ତି ଯେ ଗାଜିଆବାଦର ବୈଶାଲି ସେକ୍ଟର-୫ରେ ରହୁଥିବା ଜଣେ ଯୁବତୀ ନୋଏଡା ଥାନା ସେକ୍ଟର-୨୦ରେ ଅଭିଯୋଗ କରିଛନ୍ତି।

ଯୁବତୀ ଜଣଙ୍କ କହିଛନ୍ତି ଯେ ସେ ଅଗଷ୍ଟ ୧୩ ତାରିଖରେ ତାଙ୍କ ସାଙ୍ଗ ରୋନି ଓରଫ ପୃଥ୍ବୀ ଏବଂ ଅନ୍ୟ କିଛି ଜଣଙ୍କ ସହିତ ସେକ୍ଟର-୩୧ରେ ଏକ କର୍ପୋରେଟ୍ ସୁଟ୍ ପାଇଁ ଯାଇଥିଲେ । ସେ କହିଥିଲେ ଯେ ରାତି ୧୧ଟାରୁ ୧୨ଟା ମଧ୍ୟରେ ଏହି ଲୋକମାନେ ଖାଦ୍ୟ ଖାଇଥିଲେ । ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ, ଅଗଷ୍ଟ ୧୩ ତାରିଖ ପ୍ରାୟ ୪ଟା ବେଳେ ରୋନି ଓରଫ ପୃଥ୍ବୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ବେଳେ ତାଙ୍କ ସହ ଯାଇଥିବା ତାଙ୍କ ସାଙ୍ଗ ଶୋଇଥିଲେ ।

ଅତିରିକ୍ତ ଡେପୁଟି କମିଶନର ରଣବିଜୟ ସିଂ କହିଛନ୍ତି ଯେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଗୁରୁବାର ବିଳମ୍ବିତ ରାତିରେ ସେକ୍ଟର-୨୦ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ମେଡିକାଲ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ନିଶ୍ଚିତ ହୋଇଛି।

ପୀଡିତା ଜଣଙ୍କ ପ୍ରଥମେ ନିଜ ବାପା-ମା’ଙ୍କୁ ଏହା ଜଣାଇବା ପରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.