ଗ୍ୟାଙ୍ଗ୍‌ ସହ ଜେଲ୍‌ ଗଲେ ଲେଡ଼ି ଲୁଟେରା, ୧୦ ଅଭିଯୁକ୍ତ ସୁବିଧା ଦେଖି ଝାମ୍ପି ନେଉଥିଲେ ଲୋକଙ୍କ ବ୍ୟାଗ୍‌-ମୋବାଇଲ୍

Published By : Prameya-News7 Bureau | August 28, 2020 IST

ପୁରୀ ୨୮।୦୮: ଲେଡି ଲୁଟେରାଙ୍କ ଖେଳ ଶେଷ । ଦୀର୍ଘଦିନ ଧରି ଚାଲିଥିବା ଲୁଚାକାଳି ଖେଳର ଅନ୍ତ ଘଟିଛି । ସହରରେ ଆତଙ୍କ ଖେଳାଉଥିବା ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କରିଛି ପୋଲିସ । ଗୋଟିଏ ପରେ ଗୋଟିଏ ମୋବାଇଲ ଲୁଟ୍‌ ଓ ଚୋରି କରି ନେଉଥିଲେ ଦୁର୍ବୃତ୍ତ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିଲା । ପୁଲିସ୍‌ର ନିରବତା ଲୁଟେରାଙ୍କୁ ସାହସ ଦେଉଥିଲା । ଶେଷରେ ଏମାନଙ୍କ ଉତ୍ପାତ ସୀମା ଟପିବାରୁ ଏସ୍‌ପି ଏ ଦିଗରେ ଦୃଷ୍ଟି ଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଅପରେସନ୍‌ ମୋବାଇଲ୍‌। କିଛିଦିନ ଧରି ଛାନ୍‌ଭିନ୍‌ ପରେ ଟାଉନ୍‌ ଥାନା ପୁଲିସ ୧୫ଟି ଦାମୀ ମୋବାଇଲ ଓ ୨ଟି ବାଇକ୍‌ ଜବତ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ- ମାର୍କଣ୍ଡେଶ୍ୱର ସାହି ବାଣୁଆ ଗଳିର ରାକେଶ ନାୟକ (୧୯), ମାଛହାଟ ଛକର ଗୁଡୁ ଓରଫ ରୋହନ ଦଳେଇ (୨୦), ବ୍ରହ୍ମଗିରିର ଗେଡୁ ଓରଫ ଚିନ୍ମୟ ସୁନ୍ଦରାୟ (୨୦), ବାରବାଟୀ ଜାଗା ନୂଆସାହିର ଲଗନ ଓରଫ ଅଶୋକ ସାହୁ (୧୯), ବ୍ରହ୍ମଗିରି ଗୋପୀନାଥପୁରର ପିଣ୍ଟୁ ଓରଫ ଶତ୍ରୁଜିତ୍‌ ପାଣି (୨୧), ବାସେଳିସାହି ନୀଳଚକ୍ର ଲେନ୍‌ର ରାଜା ଓରଫ ଅମର୍‌ଜିତ୍‌ ମହାନ୍ତି (୨୦), ଦୋଳମଣ୍ଡପ ସାହି ହାତୀସାହି ଲେନ୍‌ର ଜଗା ଓରଫ ପ୍ରତ୍ୟୁଷ ସେନାପତି (୨୦), ବାସେଳିସାହି ନୀଳମାଧବ ଲେନ୍‌ର ଗୁଡୁ ଓରଫ ଗୌତମ ପ୍ରଧାନ (୧୯), ବ୍ରହ୍ମଗିରି ମୁସ୍‌ଲିମ୍‌ ସାହିର ସେକ୍‌ କାଦିର୍‌ (୧୯) ଓ କୁମ୍ଭାରପଡା ଥାନା ଅଧୀନ ଆଶ୍ରମ ଛକରେ ରହୁଥିବା ପିପିଲି କୋର୍ଟ ପଛପଟ ଡେଲ୍‌ଟା କଲୋନିର ମାମା ଓରଫ ଲକ୍ଷ୍ମୀପ୍ରିୟା ବରାଳ (୨୨) । ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଲୁଟେରାମାନେ ମୋବାଇଲ୍‌ ସହ ବ୍ୟାଗ୍‌ ଲୁଟ୍‌ କରି ଚମ୍ପଟ ମାରୁଥିବା ଏସ୍‌ପି ଅଖିଳେଶ୍ୱର ସିଂହ କହିଛନ୍ତି ।

ତେବେ ଏମାନଙ୍କ ମଧ୍ୟରୁ ଚିନ୍ମୟ, ଶତ୍ରୁଜିତ୍‌, ଅମରଜିତ୍‌, ପ୍ରତ୍ୟୁଷ ଓ କାଦିର୍‌ ଚୋରି ମୋବାଇଲ୍‌ କିଣିଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ଅନ୍ୟ ୫ ଜଣ ଲୁଟେରା ବୋଲି ପୁଲିସ କହିଛି । ଥାନାରେ ରୁଜୁ ହୋଇଥିବା ୩ଟି ମାମଲା ଯଥା (୧୬୯/୨୦), (୧୭୦/୨୦) ଓ (୧୭୧/୨୦)ରେ ତଦନ୍ତ କରି ପୁଲିସ ଏହି ସଫଳତା ପାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନେକ ମୋବାଇଲ୍‌ ଚୋରି ହୋଇଥିଲେ ମଧ୍ୟ ପୁଲିସ ଏତଲା ରଖି ମାମଲା ରୁଜୁ କରିନଥିବା ନଜିର ରହିଛି । ମାମଲା ରୁଜୁ ହୋଇନଥିବାରୁ ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ଦୂରର କଥା, ମୋବାଇଲ ଖୋଜୁନଥିବା ଅଭିଯୋଗ ହୋଇଛି । ଫଳରେ ଏବେ ବି ଏହି ଥାନା ଅଞ୍ଚଳରୁ ଏକାଧିକ ମୋବାଇଲ ଚୋରି ହୋଇଥିଲେ ମଧ୍ୟ ତାହାର ପତ୍ତା ପାଇନାହିଁ ପୁଲିସ । ତେବେ ଏହି ଘଟଣା ଏସ୍‌ପିଙ୍କ ନଜରକୁ ଆସିବା ପରେ ତରବରିଆ ଭାବେ ପୁଲିସ ଗତ ୨୫ ତାରିଖରେ ୩ଟି ମାମଲା ରୁଜୁ କରି ଏଭଳି ବାହାବା ସାଉଣ୍ଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.