ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରି ମହିଳା ଆଇପିଏସ୍ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

Published By : Prameya-News7 Bureau | July 31, 2020 IST

ଇମ୍ଫାଲ ୩୧।୭: ଲକଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମଣିପୁର ପୋଲିସ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଗିରଫ କରିଛି । ପଶ୍ଚିମ ଇମ୍ଫାଲ ପୋଲିସ ମଙ୍ଗଳବାର ରିପୋର୍ଟ କରିଛି ଯେ ମହିଳା ଆଇପିଏସ୍ ଅଧିକାରୀ ଥୋନାଜମ ବ୍ରିନ୍ଦା ଏବଂ ଅନ୍ୟ ଦୁଇଜଣଙ୍କୁ ଲକଡାଉନ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଗିରଫ କରାଯାଇଛି । ସ୍କ୍ରୋଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବ୍ରିନ୍ଦା ନିକଟରେ ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ଅଭିଯୋଗ କରିଥିଲେ । ସରକାରଙ୍କ ସମାଲୋଚନା ଯୋଗୁଁ ସେ ନିକଟରେ ଚର୍ଚ୍ଚାରେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଜଣେ ପୂର୍ବତନ ବିଜେପି ଅଧିକାରୀଙ୍କ ବିରୋଧରେ ଯାଞ୍ଚରେ ହସ୍ତକ୍ଷେପ କରିଥିଲେ । ପ୍ରକୃତରେ ସେହି ପୂର୍ବତନ ବିଜେପି ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିଲା । ବ୍ରିନ୍ଦା ଆଫିଡେଭିଟ୍ ମାଧ୍ୟମରେ କୋର୍ଟରେ ଏହି ଅଭିଯୋଗ କରିଛନ୍ତି । ପରେ ବ୍ରିନ୍ଦାଙ୍କ ଉପରେ କୋର୍ଟ ଅବମାନନା ମାମଲା ଚାଲିଛି । ପ୍ରକୃତରେ, ସ୍ବତନ୍ତ୍ର କୋର୍ଟରୁ ପୂର୍ବତନ ବିଜେପି ଅଧିକାରୀଙ୍କୁ ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ବ୍ରିନ୍ଦା ଏକ ଫେସବୁକ ପୋଷ୍ଟ ଲେଖିଥିଲେ । ଯାହା ଉପରେ କୋର୍ଟ ବିଚାର କରିଥିଲେ।

ବ୍ରିନ୍ଦା କୋର୍ଟ କୋଠରୀରେ ବିଚାରପତିଙ୍କ ପ୍ରତି ଆପତ୍ତିଜନକ ଅଙ୍ଗଭଙ୍ଗୀ କରିଥିବା ଅଭିଯୋଗ ହୋଇଛି । ତେବେ ବ୍ରିନ୍ଦା ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ବର୍ତ୍ତମାନ ତାଙ୍କୁ ହେପାଜତକୁ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଇମ୍ଫାଲ ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ କେ ଜୟନ୍ତ କହିଛନ୍ତି ଯେ ପୋଲିସ ବ୍ରିନ୍ଦାଙ୍କ ଉପରେ ନଜର ରଖୁନାହିଁ ଏବଂ ତାଙ୍କୁ ଟାର୍ଗେଟ କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ତେବେ ଗିରଫ ହେବା ନେଇ ବ୍ରିନ୍ଦା ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି ଯେ କର୍ଫ୍ୟୁ ଭାଙ୍ଗିବା ପାଇଁ ମୋ ସ୍ବାମୀ ଜରିମନା ଦେବାକୁ ପ୍ରସ୍ତୁତ ଥିଲେ କିନ୍ତୁ ସେହି ଲୋକମାନେ ମନା କରିଦେଇଥିଲେ। ଆମକୁ ସମ୍ପୂର୍ଣ୍ଣ ଭାବେ ପୋଲିସ ଘେରି ରହିଥିଲା । ବ୍ରିନ୍ଦା ଏହି ପୋଷ୍ଟରେ ଲେଖିଛନ୍ତି ଯେ, ପୋଲିସ ତାଙ୍କୁ ଗିରଫ କରିବାର କାରଣ ମଧ୍ୟ ଦେଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.