‘ତୁହ୍ମାରେ ବାପ୍ କି ଗୁଲାମ୍ ନହିଁ ବର୍ଦ୍ଦି ‘ ଲକଡାଉନ୍ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅକୁ କଡା ଜବାବ୍ ଦେଲେ ମହିଳା କନେଷ୍ଟବଳ
13/07/2020 at 3:27 PM

ଅହମଦାବାଦ ୧୩/୦୭ : ଗୁଜରାଟ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ତଥା ବରଛା ରୋଡ଼ ବିଧାୟକ କୁମାର କନାନିଙ୍କ ପୁଅ ପ୍ରକାଶ କନାନି ଓ ତାଙ୍କ ସାଙ୍ଗ ସୁରଟରେ ଲକଡାଉନ ନିୟମ ଓ ରାତ୍ରି କର୍ଫ୍ୟୁ ନିୟମ ଉଲଙ୍ଘନ କରିବାକୁ ପ୍ରୟାସ କରିଥିଲେ | ନିୟମ ଉଲଙ୍ଘନ ଯୋଗୁଁ ଜଣେ ମହିଳା କନେଷ୍ଟବଳଙ୍କ ସହିତ ପ୍ରକାଶ କନାନିଙ୍କ ଯୁକ୍ତିତର୍କ ହୋଇଥିଲା | ଏହାର ଏକ ଅଡିଓ କ୍ଲିପ ଶନିବାର ଦିନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଯୁକ୍ତିତର୍କ ପରେ ମହିଳା କନେଷ୍ଟବଳ ସୁନିତା ଇସ୍ତଫା ଦେଇ ଦେଇଛନ୍ତି |

ପ୍ରକାଶ ଓ ତାଙ୍କ ସାଙ୍ଗ ମହିଳା କନେଷ୍ଟବଳଙ୍କୁ ଧମକ ଦେବା ସହ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ | ଏଥିରେ ବ୍ୟଥିତ ହୋଇ ସୁନିତା ଇସ୍ତଫା ଦେଇଛନ୍ତି | ଏ-ଡିଭିଜନ ସହାୟକ ପୋଲିସ ଆୟୁକ୍ତ ସି.କେ.ପଟେଲ କହିଛନ୍ତି ଯେ, ପ୍ରକାଶ କନାନି ଓ ତାଙ୍କ ସାଙ୍ଗ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୧୮୮, ୨୬୯, ୨୭୦, ୧୪୪ ରେ ମାମଲା ରୁଜ୍ଜୁ କରାଯାଇଛି | ଦୁଇଜଣଙ୍କୁ ପୋଲିସ ଗିରଫ କରିଥିଲା କିନ୍ତୁ ଉଭୟ ଜାମିନ ପାଇ ବାହାରିଛନ୍ତି |

ସୁନିତା ଯାଦବ କରୋନା କଟକଣା ଓ କର୍ଫ୍ୟୁ ଉଲଙ୍ଘନ କରିଥିବା ଯୋଗୁଁ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ପ୍ରକାଶ କନାନିର ସାଙ୍ଗମାନଙ୍କୁ ଅଟକାଇଥିଲେ | ଏହାପରେ ସେମାନେ ପ୍ରକାଶ କନାନିକୁ ଫୋନ କରି ଡାକିଥିଲେ | ନିଜ ବାପାଙ୍କ କାରରେ ଆସି ମହିଳା କନେଷ୍ଟବଳଙ୍କ ସହିତ ଯୁକ୍ତିତର୍କ କରିଥିଲା | ଏହାର ଅଡିଓ କ୍ଲିପ ଶନିବାର ଦିନ ଭାଇରାଲ ହୋଇଥିଲା |
ଅଡିଓ କ୍ଲିପରେ ସୁନିତାଙ୍କୁ କୁହାଯାଇଛି ଯେ, ଆମେ ଚାହିଁଲେ ତୁମକୁ ଏଇଠି ୩୬୫ ଦିନ ଯାଏଁ ଛିଡା କରେଇ ପାରିବୁ | ଏହାପରେ ସୁନିତା ପାଟି କରି କହିଛନ୍ତି ଯେ, ମୁଁ ତୁମ ବାପାର ଗୁଲାମ କିମ୍ବା ଚାକର ନୁହେଁ ଯେ ମୋତେ ୩୬୫ ଦିନ ଏଇଠି ଛିଡା କରି ରଖିବ | ଏହି ଘଟଣା ପରେ ସୁନିତା ଯାଦବ ଇସ୍ତଫା ଦେଇଛନ୍ତି |