ପ୍ରେମରେ ପ୍ରତାରଣା : ପ୍ରେମିକ ପାଇଁ ଶାଶୁଘର ଛାଡିଲେ, ହେଲେ ଗ୍ରହଣ କଲାନି ଧୋକ୍କାବାଜ ପ୍ରେମିକ

Published By : Prameya-News7 Bureau | February 26, 2021 IST

କୋଣାର୍କ ୨୬।୨: ପ୍ରଥମେ ପ୍ରେମ, ପରେ ପ୍ରତାରଣା । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ବି ନ୍ୟାୟ ନ ପାଇ ନିରାଶ ହୋଇଛନ୍ତି ।  ପୁରୀ ଜିଲ୍ଲା ଗୋପ ବ୍ଲକ୍ ବଉଲାଙ୍ଗ ପଞ୍ଚାୟତ ବରିମୁଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଯେଉଁଠି ପ୍ରେମିକର ମିଛ ପ୍ରେମର ଶିକାର ହୋଇଛନ୍ତି ଜଣେ ନିରୀହ ଯୁବତୀ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ବରିମୁଣ୍ଡ ଅଞ୍ଚଳର ଜଣେ ଯୁବକଙ୍କୁ ସେହି ଅଞ୍ଚଳର ଜଣେ ଯୁବତୀ ପ୍ରେମ କରୁଥିଲେ । ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ବି ଯୁବକ ଜଣଙ୍କ ପୀଡିତା ଯୁବତୀଙ୍କୁ ବିବାହ କରିନଥିଲେ। ସେପଟେ ଝିଅର ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରିଥିଲେ ।  ଝିଅକୁ ଗୋପ ବ୍ଲକ ନେତପୁର ଗାଁର ଜଣେ ଯୁବକଙ୍କ ସହ ଗତ ଡିସେମ୍ବର ୯ ତାରିଖ ଦିନ ବିବାହ କରାଇ ଦେଇଥିଲେ। ମାତ୍ର ସେହିଦିନ ରାତିରେ ସଂପୃକ୍ତ ଯୁବକ ପୀଡିତା ଯୁବତୀଙ୍କୁ ଫୋନ୍ କରି ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ପାଖକୁ ଆସିବାକୁ କହିଥିଲେ।

ଯେହେତୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଏବଂ ଇଚ୍ଛା ନଥାଇ ବିବାହ ହୋଇଥିଲା ତେଣୁ ଯୁବତୀ ଜଣଙ୍କ ପ୍ରେମିକ ପାଖକୁ ଆସିବାକୁ ଉଚିତ ମନେ କରିଥିଲେ ।  ବିବାହର କିଛି ଘଣ୍ଟା ପରେ ଶାଶୁ ଘରୁ ଚାଲିଆସିଥିଲେ ମଧ୍ୟ  ସଂପୃକ୍ତ ଯୁବକ ତାଙ୍କୁ ଆଉ ଗ୍ରହଣ କଲେ ନାହିଁ । ଫଳରେ କିଛି ଉପାୟ ନପାଇ ପ୍ରେମିକଙ୍କ ବାରଣ୍ଡାରେ ଧାରଣାରେ ବସିଥିଲେ ।  ପରେ ନ୍ୟାୟ ପାଇଁ ଗୋପ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଇତି ମଧ୍ୟରେ ଘଟଣାକୁ ୩ ମାସ ବିତିଗଲାଣି । ନ୍ୟାୟ ପାଇବା ଆଶାରେ ଥାନାର ଦ୍ବାରସ୍ଥ ହେବା ପରେ ବି ନ୍ୟାୟ ନପାଇ ଭାଙ୍ଗି ପଡିଛନ୍ତି ଯୁବତୀ । ଗୋଟିଏ ପଟେ ପ୍ରେମରେ ପ୍ରତାରଣା ଅନ୍ୟପଟେ ପ୍ରେମ ପାଇଁ ଶାଶୁ ଘର ଛାଡ଼ି ଏବେ ବାପଘରେ ରହିଛନ୍ତି । ଝିଅର ଏପରି ଅବସ୍ଥା ପାଇଁ ଭାଙ୍ଗିପଡିଛନ୍ତି ପରିବାର । ସେପଟେ ପ୍ରେମିକ ଘଟଣା ଦିନରୁ ଫେରାର । ତେବେ ଥାନା ଅଧିକାରୀ କଣ ପାଇଁ ଦୀର୍ଘ ଦିନ ଧରି ଚୁପ ବସିଛନ୍ତି ତାହା ଏବେ ପ୍ରଶ୍ନବାଚୀ । ଖୁବଶୀଘ୍ର ତାଙ୍କୁ ଧରିବା ସହ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ଯୁବତୀ। ଅନ୍ୟପଟେ ଏସମ୍ପର୍କରେ ଗୋପ ଥାନା ଅଧିକାରୀ ଅବଗତ ଅଛନ୍ତି ଏବଂ ଦୋଷୀକୁ ଖୁବ୍ ଶୀଘ୍ର ଧରାଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.