ହଜି ଯାଇଛନ୍ତି ଲଡୁ ଗୋପାଲ! ବୃନ୍ଦାବନରେ ଭକ୍ତ ଲଗାଇଛନ୍ତି ପୋଷ୍ଟର, ଖୋଜି ଆଣିଲେ ଦେବେ ପୁରସ୍କାର
3/04/2021 at 8:16 PM

ବୃନ୍ଦାବନ ୩।୪: ଶ୍ରୀ ବାଙ୍କେବିହାରୀଙ୍କ ବୃନ୍ଦାବନରେ ଘଟିଛି ଅଭାବନୀୟ ଘଟଣା। ତାଙ୍କ ସହ ହୋଲି ଖେଳିବାକୁ ଦିଲ୍ଲୀରୁ ଆସିଥିବା ଲଡୁ ଗୋପାଲ ହଜି ଯାଇଛନ୍ତି। ତାଙ୍କୁ ସାଙ୍ଗରେ ଧରି ଦିଲ୍ଲୀରୁ ଆସିଥିବା ପରିବାର ସପ୍ତାହେ ହେଲା ବୃନ୍ଦାବନରେ ଡେରା ପକାଇ ରହିଛନ୍ତି। ଲଡୁ ଗୋପାଲଙ୍କୁ ପାଇଲେ ସେମାନେ ଦିଲ୍ଲୀ ଫେରିବେ। ହେଲେ ତାଙ୍କର କୌଣସି ଖୋଜ ଖବର ନାହିଁ। ପରିବାର ପୋଲିସରେ ଅଭିଯୋଗ କରିଥିଲେ ବି ବୃନ୍ଦାବନ କାନ୍ଥବାଡ଼ରେ ଲଡୁ ଗୋପାଲଙ୍କ ସନ୍ଧାନ ପାଇଁ ପୋଷ୍ଟର ଲଗାଇଛନ୍ତି। ଖୋଜି ଆଣିବା ଲୋକକୁ ୧୧ ହଜାର ଟଙ୍କାର ନଗଦ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି।

ତେବେ ହଜି ଯାଇଥିବା ଲଡୁ ଗୋପାଲ ମାନବ ନୁହନ୍ତି। ଦିଲ୍ଲୀରୁ ଆସିଥିବା ପରିବାରଙ୍କ ଘରେ ପୂଜିତ ହେଉଥିବା ଗୋପାଳ ପ୍ରତିମା। ପରିବାର ବାଙ୍କେବିହାରୀଙ୍କ ସହ ହୋଲି ଖେଳାଇବା ଲାଗି ଦିଲ୍ଲୀରୁ ଲଡୁଗୋପାଲଙ୍କ ସାଙ୍ଗରେ ଗଣେଶଙ୍କୁ ନେଇ ପ୍ରତିବର୍ଷ ବୃନ୍ଦାବନ ଆସନ୍ତି। ଚଳିତବର୍ଷ ମଧ୍ୟ ଆସିଥିଲେ। ରଙ୍ଗଭରଣୀ ଏକାଦଶୀ ଦିନ ଭିଡକୁ ନଜରରେ ରଖି ଲଡୁ ଗୋପାଲ ଓ ଗଣେଶଙ୍କୁ ବାଙ୍କେବିହାରୀଙ୍କ ମନ୍ଦିରରେ ରଖିଦେଇଥିଲେ, ହେଲେ ସେଠାରୁ ଉଭୟ ନିଖୋଜ ହୋଇଯାଇଛନ୍ତି। ଉଭୟ ପ୍ରତିମାଙ୍କୁ ଏକ ନୀଳ ରଙ୍ଗର ଝୁଡିରେ ସେମାନେ ମନ୍ଦିର ପରିସରରେ ରଖି ଦେଇଥିଲେ। ହେଲେ କିଏ ଝୁଡ଼ି ସହ ପ୍ରତିମାଙ୍କୁ ନେଇଯାଇଛି।

ମନ୍ଦିରରେ ରଖିଥିବା ଲଡୁ ଗୋପାଲ ଓ ଗଣେଶଙ୍କ ସମ୍ପର୍କରେ ପରିବାର ଲୋକେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଅନେକ ପଚରା ଉଚରା କଲେଣି। ହେଲେ ସେଦିନ ଭିଡରେ କଣ କେଉଁଠି ହୋଇଛି ସେ ନେଇ କର୍ତ୍ତୃପକ୍ଷ ନିଜେ ବି ଜାଣି ନାହାନ୍ତି ବୋଲି କହୁଛନ୍ତି। ଲଡୁ ଗୋପାଲଙ୍କ ନିଖୋଜ ଯୋଗୁ ପରିବାର ଚିନ୍ତିତ ହୋଇପଡିଥିବା ବେଳେ ସୂଚନା ସ୍ଥାନୀୟ ପୋଲିସକୁ ମଧ୍ୟ ଦେଇଛନ୍ତି। ହେଲେ ତାଙ୍କର କୌଣସି ଖୋଜ ଖବର ମିଳୁନି। ଏ ନେଇ ସେମାନେ ଅନେକ ଖୋଜାଖୋଜି କରିସାରିଲେଣି। ହେଲେ ତାଙ୍କର ସନ୍ଧାନ ମିଳୁନଥିବାରୁ ପରିବାର ବାଙ୍କେବିହାରୀ ମନ୍ଦିର ଆଖପାଖରେ ଏବେ ପୋଷ୍ଟର ଲଗାଇଛନ୍ତି।

ପୋଷ୍ଟରରେ ଲଡୁ ଗୋପାଲଙ୍କ ସନ୍ଧାନ ଦେବା ଲୋକକୁ ନଗଦ ପୁରସ୍କାର ପ୍ରଦାନ ଲାଗି ମଧ୍ୟ ପରିବାର ପ୍ରତିଶ୍ରୁତି ରଖିଛି। ଏଥିରେ ଯିଏ ଲଡୁଗୋପାଲଙ୍କୁ ଖୋଜି ଆଣିବ ପରିବାର ତାକୁ ୧୧ ହଜାର ଟଙ୍କା ପୁରସ୍କୃତ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଲଡୁ ଗୋପାଲଙ୍କ ହଜି ଯାଇଥିବା ପୋଷ୍ଟର ଆଜିକାଲି ଶ୍ରୀ ବାଙ୍କେବିହାରୀ ମନ୍ଦିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭକ୍ତ ପରିବାର ମଧ୍ୟ ତାଙ୍କ ଲଡୁ ଗୋପାଲଙ୍କ ଲାଗି ସେହିଠାରେ ଅପେକ୍ଷା କରି ରହିଛନ୍ତି।