ଭାରତ-ଚୀନ ମଧ୍ୟରେ ବ୍ରିଗେଡିୟର ସ୍ତରରେ ଆଲୋଚନା ବିଫଳ: ଲଦାଖରେ ଉତ୍ତେଜନା ଜାରି, ମୁହାଁମୁହିଁ ସ୍ଥିତିରେ ଦୁଇ ସେନା

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଗତିରୋଧ ସୋମବାର ମଧ୍ୟ ଜାରି ରହିଛି। ଭାରତ ଓ ଚୀନୀ ସେନାର ବ୍ରିଗେଡିୟରସ୍ତରରେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଲଦାଖରେ ପ୍ୟାଙ୍ଗଙ୍ଗ୍  ହ୍ରଦ କୂଳରେ ଏବଂ ଗଲଓ୍ଵାନା ଘାଟିରେ ଗତ ଏକ ମାସ  ହେବ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଡୋକଲାମରେ ୨୦୧୭ରେ ଦୁଇ ଦେଶ ମଧ୍ୟରେ ୭୩ ଦିନ ଧରି ଗତିରୋଧ ରହିବା ପରେ ପ୍ରଥମ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

କୌଣସି ସ୍ଥିତିରେ ବି ଚୀନକୁ ଆଗକୁ ବଢିବାକୁ ଦେବନି ଭାରତ

ସେନାର ତ୍ରିଶୂଲ ଡିଭିଜନର ଡୁରବୁକରେ ମୁତୟନ ବ୍ରିଗେଡ୍ର କମାଣ୍ଡର ଓ ଚୀନୀ ବ୍ରିଗେଡ୍‌ କମାଣ୍ଡର ମଧ୍ୟରେ ଆଲୋଚନାରେ ଆଜି କୌଣସି ନିଷ୍କର୍ସ ବାହାରି ନାହିଁ। ଗଲଓ୍ଵାନରେ ମୁତୟନ ସେନାର ବାଟାଲିୟନ କମାଣ୍ଡର ମଧ୍ୟରେ ମଧ୍ୟ ଅନେକ ପର୍ଯ୍ୟାୟରେ ଆଲୋଚନା ଫଳାଫଳଶୂନ୍ୟ ରହିଛି। ସୂତ୍ର ଅନୁଯାୟୀ, ଭାରତର ଆଭିମୁଖ୍ୟ ସ୍ପଷ୍ଟ ଯେ, ଚୀନ ସହିତ କୌଣସି ପ୍ରକାରର ସାଲିସ୍ ହୋଇ ପାରିବ ନାହିଁ। ପ୍ରଥମତଃ ଏଲଏସିରେ ଭିତ୍ତିଭୂମି କାମ ନା ବନ୍ଦ ହେବ ନା ଧିମା  ହେବ। ଦ୍ଵିତୀୟତଃ ଚୀନକୁ ଏବେ କୌଣସି ବି ସ୍ଥିତିରେ ଆଗକୁ ବଢିବାକୁ ଦିଆଯିବ ନାହିଁ।

ଅନ୍ୟପଟେ ଉଭୟ ପକ୍ଷର ସେନା ସୀମାରେ ଯୁଦ୍ଧାସ୍ତ୍ର ପରିବହନ କରିବାରେ ଲାଗିଛନ୍ତି। ଚୀନ ତୋପ ମଧ୍ୟ ନିୟୋଜିତ ରକିଥିବା ବେଳେ ଭାରତ ମଧ୍ୟ ଯବାବ ଦେବାକୁ ଆଧୁନିକ ଅସ୍ତ୍ର ଶସ୍ତ୍ର ମହଜୁଦ ରଖିଛି। ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ସେ ଚୀନ ସହିତ ସୀମା ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତୁତ। ଏହାକୁ ନେଇ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। ହେଲେ ଚୀନ ଏବେ ମଧ୍ୟ ନିଜର ବିସ୍ତାରବାଦୀ ନୀତି ଛାଡିବାକୁ ପ୍ରସ୍ତୁତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.