କଳିଙ୍ଗ ନଗରରେ ଶ୍ରମିକ ଅଶାନ୍ତି : ବକେୟା ଦରମା ଓ ବୋନସ୍ ଦାବିରେ ମହିଳା ଶିଳ୍ପପତିଙ୍କୁ ଗୃହବନ୍ଦୀ
4/12/2019 at 6:06 PM

ଯାଜପୁର ୪/୧୨ : ଯାଜପୁର କଳିଙ୍ଗ ନଗରରେ ଶ୍ରମିକ ଅଶାନ୍ତି । ୧୦ମାସର ଦରମା ଏବଂ ୨ବର୍ଷର ବକେୟା ବୋନସ୍ ଦାବିରେ କଳିଙ୍ଗନଗର ଯଖପୁରା ମଇଥାନ ଇସ୍ପାତ କାରଖନାର ଅଧ୍ୟକ୍ଷା ଓ ତାଙ୍କ ମାଙ୍କୁ ୨ଦିନ ହେଲା ଘେରାଉ କରି ରଖିଛନ୍ତି ଆନ୍ଦୋଳନକାରୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଶ୍ରମିକମାନେ ଜିଦ୍ରେ ଅଟଳ ରହିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।
ବକେୟା ଦରମା ଓ ବୋନସ୍ ଦାବିରେ ମହିଳା ଶିଳ୍ପପତିଙ୍କୁ ଗୃହବନ୍ଦୀ କଲେ ଆନ୍ଦୋଳନକାରୀ । ଯାଜପୁର କଳିଙ୍ଗନଗର ସ୍ଥିତ ମଇଥାନ ଇସ୍ପାତ କାରଖାନାର ଅଧ୍ୟକ୍ଷା ରୀତା ସିଂହ ଓ ତାଙ୍କ ମାଙ୍କୁ ଦୁଇଦିନ ହେଲା ସେମାନେ ରହୁଥିବା ହୋଟେଲରେ ନଜରବନ୍ଦି ରଖିଛନ୍ତି ଶ୍ରମିକ । ଗତକାଲି ଶ୍ରମିକମାନେ ହୋଟେଲକୁ ଘେରି ରହିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ବାରମ୍ବାର ପ୍ରତିଶ୍ରୁତି ପରେ ବି ଗତ ୧୦ ମାସର ଦରମା ଓ ୨ ବର୍ଷର ବୋନସ ପାଇନାହାନ୍ତି ମଇଥାନ ଇସ୍ପାତ କାରଖାନର ଶ୍ରମିକ । ତେଣୁ ସେମାନଙ୍କ ପରିବାର ପ୍ରତିପୋଷଣ ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ଏପରିକି ଆଜି ଜଣେ ଆନ୍ଦୋଳନରତ ଶ୍ରମିକ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି।
ଆନ୍ଦୋଳନକାରୀଙ୍କ ସହିତ ସାମିଲ ହୋଇଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ କଳିଙ୍ଗନଗର ଆଡିସନଲ ଏସପି ଓ ଫୋର୍ସ ମୁତୟନ ରହିଛନ୍ତି । ପ୍ରଶାସନ ଦୁଇଦୁଇ ଥର କାରଖାନାର କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ।
ଶ୍ରମିକମାନଙ୍କ ଆନ୍ଦୋଳନ ଚାଲିଥିବା ଜଣେ ଶ୍ରମିକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଉପଯୁକ୍ତ ସମୟରେ ସେହି ଶ୍ରମିକଙ୍କୁ ଉଦ୍ଧାର ନ କରିଥିଲେ ହୁଏତ ଏକ ଅଘଟଣ ଘଟିଥାନ୍ତା ଯାହାକୁ ଅନ୍ୟମାନେ ନିଜ ମୋବାଇଲରେ କଏଦ କରିଥାନ୍ତେ।
