ରାତାରାତି କୋଟିପତି : ୧୨ କୋଟି ଟଙ୍କାର ଲଟେରୀ ଜିତିଲେ ଜଣେ ଦିନ ମଜୁରିଆ , କିନ୍ତୁ ଭାବୁଛନ୍ତି, ଏହା ସ୍ବପ୍ନ ନୁହେଁ ତ !

Published By : Prameya-News7 Bureau | February 12, 2020 IST

 କୋଚି ୧୨/୦୨-  ଏହା ସତ ଯେ, କାହା ଭାଗ୍ୟରେ କ’ଣ ଅଛି କେହି ବି ଜାଣିନି । ଯେମିତି କେରଳର ଜଣେ ଦିନ ମଜୁରିଆ ଙ୍କ ଭାଗ୍ୟ ହଠାତ ବଦଳି ଯାଇଛି । କ୍ଷେତରେ ଚାଷ କରି ଏବଂ ମଜୁରି ଲାଗି  ବହୁ କଷ୍ଟରେ ପରିବାର ଚଳାଉଥିବା ଚାଷୀ ଜଣକ ଏବେ କୋଟିପତି । ତାଙ୍କର ଲାଗିଛି ୧୨ କୋଟି ଟଙ୍କାର ଲଟେରୀ  । କିନ୍ତୁ ଭାଗ୍ୟ ଦେବୀଙ୍କ ଏହି କରୁଣାକୁ ସେ  ବିଶ୍ବାସ କରିପାରୁନାହାନ୍ତି  ସେ । ଏହି ଭାଗ୍ୟବାନ କୃଷକ ଜଣକ ହେଲେ ପେରୁନନ୍ ରାଜନ । କନ୍ନୁର ଅଞ୍ଚଲର ଏହି ଚାଷୀ ପେବୃଆରୀ ୧୦ ତାରିଖରେ ଉଠାଣ ହୋଇଥିବା କେରଳ ନୂଆବର୍ଷ କ୍ରିସମାସ୍ ବମ୍ପର ଲଟେରୀର ପ୍ରଥମ ପୁରସ୍କାର ଜିତିଛନ୍ତି ।

୫୮ ବର୍ଷୀୟ ପେରୁନନ୍ ରାଜନ ଜଣେ କ୍ଷୁଦ୍ର ନାମମାତ୍ର ଚାଷୀ ଏବଂ ଦିନ ମଜୁରିଆ । ଆଦିବାସୀ ଅଞ୍ଚଳ ମାଲୁର ଅନ୍ତର୍ଗତ ଥୋଲାମ୍ବା ସ୍ଥିତ ପୁରାଲିମାଲା  କଇଥାଚଲ କୁରିଚାୟା କଲୋନୀରେ  ପରିବାର ସହ ରହୁଥିବା  ରାଜନ ସେ ବିଭିନ୍ନ ପ୍ରକାର କାମ କରି ମୂଲ ଲାଗି ବହୁ କଷ୍ଟରେ ତାଙ୍କ ପରିବାର ଚଳାନ୍ତି ।ସବୁବେଳେ ଆର୍ଥିକ ସମସ୍ୟାରେ ରହୁଥିବା ରାଜନ କିନ୍ତୁ ନିୟମିତ ଲଟେରୀ ଟିକଟ କିଣନ୍ତି, କାଳେ ଲଟେରୀ ଉଠିବ ଆଉ ତାଙ୍କ ସମସ୍ୟା ହାଲକା ହେବ । ତେବେ ଡେରିରେ ହେଲେ ବି ଭାଗ୍ୟଦେବୀ  ରାଜନଙ୍କ ଇଚ୍ଛା ପୂରଣ କରିଛନ୍ତି ।ଆଉ ଏତେ ବଡ ବର ଦେଇଚନ୍ତି ଯେ, ରାଜନ ତାହାକୁ ବିଶ୍ବାସ କରିପାରୁନାହାନ୍ତି । କାରଣ ସେ କୋଟି କୋଟି ଟଙ୍କା ଜିତିବେ ବୋଲି ଭାବି ମଧ୍ୟ ପାରୁ ନାହାନ୍ତି । ତାଙ୍କୁ ସବୁ ସ୍ବପ୍ନ ଭଳି ଲାଗୁଛି । ତେବେ ରାଜନ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ଟିକେଟ୍‌ ଟିର ନମ୍ବର ବାରମ୍ବାର ମିଳାଇବା ପରେ ଶେଷରେ ବ୍ୟାଙ୍କ୍‌ରେ ଜମା ଦେଇଛନ୍ତି । ସେ ଟିକସ କଟିବା ପରେ ୭ କୋଟି ୨୦ ଲକ୍ଷ ଟଙ୍କା ପାଇବେ ।  

ଦୁଇ ଝିଅ ଏବଂ ଗୋଟିଏ ପୁଅର ବାପ  ପେରୁନନ୍ ରାଜନ ତାଙ୍କ ବଡ ଝିଅ ଅଥିରାକୁ ବାହା ଦେଇ ସାରିଛନ୍ତି । ସାନ ଝିଅ ଅକ୍ଷରା, ପୁଅ ରିଗିଲ ଏବଂ ପତ୍ନୀ ରଜନୀଙ୍କ ସହ ଏକାଠି ଯାଇ ସେ ପ୍ରଥମେ ଥୋଲାମ୍ବରା ସର୍ଭିସ କୋଅପରେଟିଭ୍‌ ବ୍ୟାଙ୍କରେ ଟିକେଟ ଜମା କରିବାକୁ ଚାହିଁଥିଲେ । କିନ୍ତୁ ପରିମାଣକୁ ଦେଖି ତାହାକୁ ବ୍ୟାଙ୍କ୍‌ର କନ୍ନୁର ସ୍ଥିତ ମୁଖ୍ୟ ଶାଖାରେ ଜମା କରିବାକୁ କୁହାଯାଇଥିଲା । ପରିବାର ସହ ସେଠାକୁ ଯାଇ ଟିକେଟ ଜମା ଦେଇଥିଲେ ରାଜନ ।

 କୁଥୁପରମ୍ବା ସ୍ଥିତ ଟିକେଟ କାଉଣ୍ଟରରୁ ଲଟେରୀ ଟିକଟ କିଣିଥିବା  ରାଜନ ରାତାରାତି କୋଟିପତି । ତେବେ ସେ ଏହି ଅର୍ଥକୁ କେମିତି ଖର୍ଚ୍ଚ କରିବେ ତାହା ଭାବି ନାହାନ୍ତି । ପ୍ରଥମେ ତାଙ୍କ ଋଣ ସବୁ ଶୁଝିବେ, ଏବଂ ତାଙ୍କ ପାଖାପାଖି ରହୁଥିବା କିଛି ଅଭାବୀ ଓ ଗରିବଙ୍କୁ ସାହାଯ୍ୟ କରିବେ ବୋଲି ସ୍ଥିର କରିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.