୨୬ ବର୍ଷ ପୂର୍ବରୁ ମଧ୍ୟ ମହାମାରୀ ଯୋଗୁଁ ପଳାୟନ କରିଥିଲେ ହଜାର ହଜାର ଶ୍ରମିକ : ଆଜି ମଧ୍ୟ ଦେଖିବାକୁ ମିଳିଛି ସମାନ ପରିସ୍ଥିତି

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯/୦୩ : କରୋନା ଜୀବାଣୁ ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ଯାହା ପରେ ବଡ ସହରର ଗରିବ ପ୍ରବାସୀ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ତାଙ୍କ ପାଖେ ଏବେ ନା କାମ ଅଛି ନା ଖାଇବା ପାଇଁ ଖାଦ୍ୟ ସାମଗ୍ରୀ | ଏପଟେ ଘର ମାଲିକ ଘରୁ ବାହାର କରିଦେବା ପରେ ଏହି ଶ୍ରମିକମାନେ ଭଗବାନଙ୍କ ଭରସାରେ ଚାଲି ଚାଲି ସହର ଛାଡି ନିଜ ଗାଁକୁ ଚାଲିଯାଉଛନ୍ତି । ଦେଖୁ ଦେଖୁ ଦିଲ୍ଲୀ-ୟୁପି ସୀମାରେ ହଜାର ହଜାର ସଂଖ୍ୟକ ଶ୍ରମିକ ପହଞ୍ଚି ଯାଇଛନ୍ତି | ସରକାର ସମସ୍ତଙ୍କୁ ଘରେ ରହିବାକୁ ବାରମ୍ବାର ସଚେତନ କରୁଥିବା ସମୟରେ ଦିଲ୍ଲୀ ଉତ୍ତର ପ୍ରଦେଶ ସୀମାରେ ଲୋକଙ୍କ ଏହି ଭିଡ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି |

କରୋନା ବିପଦକୁ କେବଳ ଲକଡାଉନ୍ ଦ୍ୱାରା ଏଡାଯାଇପାରିବ ବୋଲି ସରକାର ବାରମ୍ବାର ଲୋକଙ୍କୁ ଅପିଲ କରୁଛନ୍ତି ଘରୁ ନ ବାହାରିବାକୁ | କିନ୍ତୁ ଶ୍ରମିକମାନଙ୍କ ଏହି ରାଲି ଲକଡାଉନକୁ ବ୍ରେକଡାଉନ୍ କରିଛି | ଯଦି ଏହି ପ୍ରବାସୀ ଶ୍ରମିକମାନେ ଏହି ଅବସ୍ଥାରେ ନିଜ ଗାଁରେ ପହଞ୍ଚନ୍ତି, ତେବେ ସେମାନେ ମାରାତ୍ମକ କରୋନାକୁ ନିଜ ଗାଁକୁ ମଧ୍ୟ ନେଇଯିବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି |

୨୬ ବର୍ଷ ପୂର୍ବରୁ ମଧ୍ୟ ଭାରତରେ ଏହିଭଳି ଏକ ଘଟଣା ଘଟିଥିଲା | ସେତେବେଳେ ଗୁଜୁରାଟର ଅନେକ ଅଞ୍ଚଳରେ ପ୍ଲେଗ ମହାମାରୀ ବ୍ୟାପି ଯାଇଥିଲା। ଏପରିକି ସେତେବେଳେ ହଜାର ହଜାର ଶ୍ରମିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଥିଲେ ଏବଂ ଏହି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଲା। ୧୯୯୪ ମସିହାରେ ଏହି ମହାମାରୀ ସୁରଟରେ ବ୍ୟାପିଗଲା। ଦେଖୁ ଦେଖୁ ହଜାର ହଜାର ଲୋକ ଏଥିରେ ସଂକ୍ରମଣ ହୋଇଥିଲେ | ମହାମାରୀର ଶିକାର ହୋଇ ଅନେକ ଲୋକ ପ୍ରାଣ ହରାଇଥଲେ | ଶିଳ୍ପଗୁଡିକ ବନ୍ଦ କରିବାକୁ ପଡିଲା ଏବଂ ହଜାର ହଜାର ଶ୍ରମିକ ବେକାର ହୋଇଗଲେ | ଅର୍ଥ ଅଭାବରୁ ଏବଂ ଜୀବନ ବଞ୍ଚାଇବା ପାଇଁ ଏହି ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ। ସେହି ସମୟରେ କେବଳ ସୁରଟରେ ନୁହେଁ ବରଂ ଅହମ୍ମଦାବାଦ, ଭଦୋଦରା ଆଦି ଜିଲ୍ଲାରେ କାମ କରୁଥିବା ଶ୍ରମିକମାନେ ସହର ଛାଡି ପଳାୟନ କରିଥିଲେ |

{"id":246015,"width":765,"height":460,"sizeSlug":"large"}

ଶ୍ରମିକମାନେ ଏକ ଯାଇନଥିଲେ, ନିଜ ସହ ପ୍ଲେଗ ମହାମାରୀ ସାଙ୍ଗରେ ନେଇ ଯାଇଥିଲେ । ସେତେବେଳେ ମୋବାଇଲ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ନଥିଲା | ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମାଇକ ଜରିଆରେ ଘୋଷଣା କରାଯାଉଥିଲା | ପ୍ରତି ଗାଁରେ, ଗଳିକନ୍ଦିରେ ମାଇକ ଜରିଆରେ ଘୋଷଣା କରି ଲୋକଙ୍କୁ ସଚେତନ କରାଯାଉଥିଲା | ଲୋକଙ୍କୁ ନିଜ ଘର ଆଖପାଖ ଅଞ୍ଚଳ ସଫାସୁତର ରଖିବାକୁ ନିର୍ଦେଶ ଦିଆଯାଉଥିଲା | ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଥିଲା | କିନ୍ତୁ ୩.୫ ଲକ୍ଷ ଶ୍ରମିକ ରାଜରାସ୍ତାରେ ଭିଡ ଜମାଇଥିଲେ | ଭିଡ ରୋକିବା ପାଇଁ ତତ୍କାଳୀନ ସରକାର ପାରାମିଲିଟାରୀ ଫୋର୍ସ ନିୟୋଜିତ କରିଥିଲେ |

ଆଜି କରୋନା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ସମାନ ଅବସ୍ଥା ଦେଖାଦେଇଛି | ଦିଲ୍ଲୀର ଆନନ୍ଦ ବିହାର ବସ୍ ଷ୍ଟାଣ୍ଡର ଚିତ୍ର ବିପଦପୂର୍ଣ୍ଣ । କେବଳ ବସ ଷ୍ଟାଣ୍ଡରେ ଭିଡ ଜମା ହୋଇନାହିଁ । ଲୋକମାନେ ନିଜ ପରିବାର ସମେତ ଶହ ଶହ କିଲୋମିଟର ଚାଲି ଚାଲି କିମ୍ବା ରିକ୍ସାରେ ପଳାୟନ କରୁଛନ୍ତି | ଆସନ୍ନ ବିପଦକୁ ଏଡ଼ାଇବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସମୟରେ ଶ୍ରମିକଙ୍କ ସ୍ଥାନାନ୍ତରଣ ରୋକିବାକୁ କହିଛନ୍ତି |

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଦିଲ୍ଲୀ ଛାଡି ନ ଯାଆନ୍ତୁ | ସେମାନଙ୍କ ଖାଦ୍ୟ, ପାନୀୟ ଓ ରହିବ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।
ଏଥିରୁ ସ୍ପଷ୍ଟ ହୋଇଛି ବର୍ତ୍ତମାନ ପରିସ୍ଥିତି ଭୟଙ୍କର । ଏହି ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ସରକାର ଅତିରିକ୍ତ ଉଦ୍ୟମ କରିବା ଆବଶ୍ୟକ ଯେପରି ଅସହାୟ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ। ଅପରପକ୍ଷରେ ଲୋକମାନେ ମଧ୍ୟ ଧୈର୍ଯ୍ୟବାନ ହେବା ଆବଶ୍ୟକ | ନଚେତ ଗୋଟିଏ ସଙ୍କଟରୁ ରକ୍ଷା ପାଇବା ପାଇଁ ସେମାନେ ଅନ୍ୟ ସଙ୍କଟରେ ପଡିଯିବେ | ଏମାନେ ନିଜ ପରିବାରର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.