୧୫ ଦିନ ହେଲା ଜଳି ନଥିଲା ଚୁଲି, ଭୋକିଲା ପିଲାଙ୍କ କଷ୍ଟ ଦେଖି ନପାରି ଶ୍ରମଜୀବୀ ବାପା କଲେ ଆତ୍ମହତ୍ୟା

Published By : Prameya-News7 Bureau | May 15, 2020 IST

କାନପୁର, ୧୫|୦୫ :  କରୋନା ମୁକାବିଲା ପାଇଁ ସାରା ଦେଶରେ ଦେଢମାସରୁ ଅଧିକ ସମୟ ଧରି ଲକଡାଉନ୍ ଜାରି ରହିଛି ।ଏହା ଦ୍ନାରା ସବୁଠାରୁ ଶ୍ରମିକ ଓ ଗରିବମାନେ ପ୍ରଭାବିତ ହୋଇଛନ୍ତି । ଦିନ ମଜୁରିଆମାନେ କାମ ପାଉନାହାଁନ୍ତି । ଅଭାବ ଓ ଅନଟନରେ ହନ୍ତସନ୍ତ ହେଉଛନ୍ତି । କାମ ନପାଇ ସେମାନେ ସେମାନଙ୍କ ପରିବାରକୁ ଦୁଇ ଓଳି ଦୁଇ ମୁଠା ଭୋଜନ ମଧ୍ୟ ଦେଇପାରୁ ନାହାଁନ୍ତି । ଏପରି କାମ ନପାଇ ଓ ପରିବାରକୁ ଦାନା ଯୋଗାଇ ନପାରିବାରୁ ଉତ୍ତର ପ୍ରଦେଶର କାନପୁର କାକାଦେବର ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି ।

ସୂଚନାନୁସାରେ, କାନପୁରର କାକାଦେବ ଅଞ୍ଚଳରେ ଜଣେ ଶ୍ରମିକ ବିଜୟ ବାହାଦୁର ତାଙ୍କ ପରିବାର ସହ ରହୁଥିଲେ । ଲକଡାଉନ୍ ପାଇଁ ସେ କାମ କରିବାକୁ ଯାଇପାରୁ ନଥିଲେ । ଏପରିକି କିଛି କାମ ମଧ୍ୟ ମିଳୁନଥିଲା । ତାଙ୍କ ସନ୍ତାନମାନେ ମଧ୍ୟ ଭୋକ ଉପାସରେ ରହୁଥିଲେ । ବେଳେବେଳେ ସମସ୍ତେ ପାଣି ପିଇ ହିଁ ଦିନ ସାରା ରହି ଯାଉଥିଲେ । ଗତ ୧୫ ଦିନ ଧରି ଶ୍ରମିକଜଣଙ୍କ ତାଙ୍କ ସନ୍ତାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିପାରି ନଥିଲେ । ତେବେ କୌଣସି ରାସ୍ତା ନପାଇ ନିରାଶ ହୋଇ ସେ ଆତ୍ମହତ୍ୟା କରିଛନ୍ତି ।

ବିଜୟଙ୍କ ପରିବାର ଓ ପଡୋଶୀ କହିଛନ୍ତି ଯେ, ସେମାନଙ୍କ ପରିବାର ଦୀର୍ଘ ଦିନ ହେଲା ଭାକ ଉପାସରେ ରହିଥିଲେ । ସେ ନିଜ ସନ୍ତାନଙ୍କ ଦୁଃଖ ଓ ଭୋକିଲା ପେଟକୁ ଦେଖିପାରି ନଥିଲେ । ଏପରିକି ତାଙ୍କ ପତ୍ନୀ ରମ୍ଭା ଗହଣା ବିକିବାକୁ ପ୍ରୟାସ କରିଥିଲେ ମଧ୍ୟ ଦୋକାନ ବନ୍ଦ ହେତୁ ଏଙା ସମ୍ଭବପର ହୋଇପାରି ନଥିଲା । ଭୋକରେ ତାଙ୍କ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା ।  ଚାରିଆଡୁ ନିରାଶ ହେବା ପରେ ଗତ ବୁଧବାର ସେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.