କୋଭିଡ୍ ସାମ୍ପୁଲ ଝାମ୍ପି ନେଲା ମାଙ୍କଡ, ଗଛରେ ବସି କିଟ୍‌କୁ ଖାଇଦେଲା, ଲ୍ୟାବ୍‌ରେ ଥାଇ ଦେଖୁଥିଲେ ଅସହାୟ ଟେକ୍‌ନିସିଆନ୍

Published By : Prameya-News7 Bureau | May 29, 2020 IST

ମେରଠ ୨୯।୦୫: ଉତ୍ତର ପ୍ରଦେଶର ମେରଠରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ ମେରଠ ମେଡିକାଲ କଲେଜ୍‌ର ଲ୍ୟାବ୍‌ରେ ପଶି ଲ୍ୟାବ୍‌ ଟେକ୍‌ନିସିଆନଙ୍କ ହାତରୁ ଯାଞ୍ଚ ସାମ୍ପୁଲ ଛଡାଇ ନେଇ ଫେରାର ମାରିଛି। ହସ୍ପିଟାଲ କର୍ମଚାରୀ ପଛରେ ଦୌଡିବାରୁ ମାଙ୍କଡଟି ଗଛକୁ ଚଢି ଯାଇଛି। ମାଙ୍କଡଟି କିଟ୍‌ ଚାବୁଥିବା ଦେଖିବାକୁ ମିଳିଛି। ହସ୍ପିଟାଲ କର୍ମଚାରୀ ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଭିଡିଓ କରିଥିବା ଲ୍ୟାବ୍ ଟେକ୍ନସିଆନଙ୍କୁ ମେଡିକାଲ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି। ପ୍ରଥମେ ଏହି ନମୂନା କରୋନା ଯାଞ୍ଚ ପାଇଁ ଉଦ୍ଦିଷ୍ଟ ଥିବା କଥା କୁହାଯାଉଥିଲା, ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଏହା କରୋନା ନମୂନା ନଥିବା କହିଛି।

ସୂତ୍ର ଅନୁଯାୟୀ, କୋଭିଡ୍-୧୯ ରୋଗୀଙ୍କ ନମୂନା ନେଇ ଯାଞ୍ଚ ଲାଗି ମେରଠର ଏମଏଲଆରଏସ ଲ୍ୟାବ୍‌ ଅଣାଯାଇଥିଲା। କିନ୍ତୁ ଲ୍ୟାବ୍ ଭିତରକୁ ପଶି ଲ୍ୟାବ୍‌ ଟେକ୍ନିସିଆନଙ୍କ ହାତରୁ ନମୂନା ଛଡାଇ ଫେରାର ମାରିଲା ମାଙ୍କଡ। ଲ୍ୟାବ୍‌ରେ ଥିବା ମେଡିକାଲ କର୍ମଚାରୀ ପଛରେ ଧାଇଁବାରୁ ମାଙ୍କଡି ଗଛ ଉପରକୁ ଚଢି ଯାଇଥିଲା।

ତଳେ ଛିଡା ହୋଇଥିବା କର୍ମଚାରୀ ମାଙ୍କଡଠୁ ନମୂନା ଆଣିବା ଲାଗି ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ ମାଙ୍କଡି ଓଲଟା ସିଲ୍‌ରେ  ବନ୍ଦ ଥିବା ସାମ୍ପୁଲ ଫାଡିବା ଆରମ୍ଭ କରି ଦେଇଥିଲା। ବନ  ବିଭାଗକୁ ତୁରନ୍ତ ଏହାର ସୂଚନା ଦିଆଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇଛି। ହେଲେ ମାଙ୍କଡ ସାମ୍ପୁଲକୁ ଚାବି ସେଠାରୁ ଫେରାର ହୋଇ ଯାଇଛି।

{"id":277960,"width":582,"height":312,"sizeSlug":"large"}

ସଂକ୍ରମଣ ବ୍ୟାପିବାର ଭୟ

ମାଙ୍କଡ ପଳାଇବା ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକଙ୍କ କହିବା କଥା ସାମ୍ପୁଲରୁ ମାଙ୍କଡ କରୋନା ସଂକ୍ରମିତ ନହେଉ, ନଚେତ୍ ପୂରା ଅଞ୍ଚଳରେ ସଂକ୍ରମଣ  ବ୍ୟାପିଯିବ। ଏବେ ବନ ବିଭାଗକୁ ଉକ୍ତ ମାଙ୍କଡକୁ ଚିହ୍ନଟ କରିବା ମୁସ୍କିଲ ହୋଇ ପଡିଛି।

ଅନ୍ୟପଟେ ଯେଉଁ ଲ୍ୟାବ୍‌ ଟେକ୍ନସିଆନ ମାଙ୍କଡର ସାମ୍ପୁଲ ଚବାଉଥିବା ଭିଡିଓ କରୁଥିଲେ, ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ତାଙ୍କଠୁ ସ୍ପଷ୍ଟୀକରଣ ମଗା ଯାଇଛି ଯେ, ଏହି କଥା ସେ କାହିଁକି ବାହାରେ ଲିକ୍‌ କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.