'ଦେଶ ପ୍ରଥମେ କରୋନା ମୁକ୍ତ ହେଉ, ପରେ କରିବି ବିବାହ', କରୋନା ଯୋଦ୍ଧା ସୋନିକାଙ୍କ ଜିଦ୍

Published By : Prameya-News7 Bureau | May 09, 2020 IST

ହିସାର, ୦୯|୦୫: କରୋନା ମୁକାବିଲା କ୍ଷେତ୍ରରେ ମହିଳାମାନେ ମଧ୍ୟ ପଛରେ ନାହାଁନ୍ତି । ହରିୟାଣା ହିସାର ସିଭିଲ୍ ହସ୍ପିଟାଲର ଯେପରି ମହିଳା ଡାକ୍ତର ଓ ନର୍ସମାନେ କରୋନା ସହ ସଂଗ୍ରାମ କରୁଛନ୍ତି ସେହିପରି ଜଣେ ମହିଳା ଲ୍ୟାବ୍ ଟେକନିସିଆନ୍ ମଧ୍ୟ କରୋନାକୁ କାଉଣ୍ଟର ଦେଉଛନ୍ତି । ସେମାନେ ମଧ୍ୟ ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ସେହିପରି ଜଣେ ଯୋଦ୍ଧା ହେଉଚନ୍ତି ସୋନିକା । ସେ ନିଜ ବିବାହକୁ ସ୍ଥଗିତ ରଖିଛନ୍ତି । ସୋନିକା ହସ୍ପିଟାଲରେ ରୋଗୀଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରିଥାନ୍ତି ।

ସେ ନମୂନା ପରୀକ୍ଷଣ ସମୟରେ ସିଧା ସଳଖ ଭାବେ ସମ୍ପର୍କରେ ଆସିଥାନ୍ତି । ଯାହା ଅଧିକ ବିପଦପୂର୍ଣ୍ଣ । ଏହାପରେ ମଧ୍ୟ ସେ ନିଜ ଡ୍ୟୁଟୀରୁ ପଛଘୁଞ୍ଚା ଦେଉନାହାଁନ୍ତି । ତେବେ ଏପ୍ରିଲ ମାସରେ ତାଙ୍କର ବିବାହ ହେବ ବୋଲି ପରିବାର ଲୋକ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ ସିଧାସିଧା ସୋନିକା ମନା କରିଦେଇଥିଲେ । ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ନହେବା ଯାଏଁ ସେ ବିବାହ କରିବେ ନାହିଁ ବୋଲି ପରିବାର ଲୋକଙ୍କୁ କହିଥିଲେ । ପରେ ପରିବାର ଲୋକେ ମଧ୍ୟ ସୋନିକାଙ୍କ କଥାରେ ସହମତି ପ୍ରକାଶ କରିଥିଲେ । ଏପରିକି ସୋନିକାଙ୍କ ଏହି ଚିନ୍ତାଧାରାକୁ ସମର୍ଥନ କରିଥିଲେ ।

ସୋନିକା କହିଛନ୍ତି ଯେ, ସେ ନିଜ ଡ୍ୟୁଟୀ ପାଇଁ ପରିବାର ଛାଡି ସହରରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । କାରଣ ହସ୍ପିଟାଲରେ ଅଧିକ କାମ ରହିଛି । କେତେବେଳେ ବି ତାଙ୍କର ଆବଶ୍ୟକତା ପଡିପାରେ । ତେଣୁ ସେ ଗାଁ ଛାଡି ସହରରେ ରହୁଛନ୍ତି । ମେଡିକାଲ ଲ୍ୟାବରେ ସେ ସକାଳେ, ଦ୍ୱିପ୍ରହରରେ କାମ କରିଥାନ୍ତି । କିନ୍ତୁ ଏହି ସଙ୍କଟ ସମୟରେ ସେ ରାତିରେ ମଧ୍ୟ କାମ କରିଥାନ୍ତି । ସେ କେବେ ହେଲେ ପଛକୁ ହଟି ନଥିବା ମଧ୍ୟ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗତ ୧ ମାସ ହେଲା ସେ ନିଜ ପିତା-ମାତାଙ୍କୁ ଭେଟିପାରି ନାହାଁନ୍ତି । କାରଣ ଘରକୁ ଯିବାକୁ ଆଉ ସମୟ ନାହିଁ । ଏବେ ଦେଶ ସେବାର ସମୟ । ସେ କେବଳ ଫୋନରେ ହିଁ କଥା ହୁଅନ୍ତି । ଏବେ ପୁଣି ଓପିଡି ଆରମ୍ଭ ହେବା ପରେ ରୋଗୀଙ୍କ ସଂଖ୍ୟା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.