ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଭିଡିଓ କନଫରେନସିଂରେ ବୟାନ ରେକର୍ଡ କଲେ ଲାଲକୃଷ୍ଣ ଆଡଭାନୀ
24/07/2020 at 4:10 PM

ଲକ୍ଷ୍ନୌ ୨୪।୭: ଅଯୋଧ୍ୟା ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କର ବୟାନ ରେକର୍ଡ କରିଛନ୍ତି। ଏହି ଶୁଣାଣି ଭିଡିଓ କନଫରେନସିଂ ଜରିଆରେ ହୋଇଥିବା ବେଳେ କୋର୍ଟରେ ଆଡଭାନୀଙ୍କ ପକ୍ଷରୁ ଓକିଲ ବିମଲ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ।

ବୟାନ ରେକର୍ଡ ଲାଗି ସ୍ୱତନ୍ତ୍ର ନ୍ୟାୟାଳୟ ପୂର୍ବରୁ ୨୩ ଓ ୨୪ ଜୁଲାଇକୁ ଦିନ ଧାର୍ଯ୍ୟ କରିଥିଲେ। ସେହି ଅନୁସାରେ ଗୁରୁବାର ମୂରଲୀ ମନୋହର ଯୋଶୀ ତାଙ୍କ ବୟାନ ରେକର୍ଡ କରାଇଥିବା ବେଳେ ଶୁକ୍ରବାର କୋର୍ଟରେ ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି। ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୧୩ ଅନୁଯାୟୀ ଆଡଭାନୀଙ୍କ ବୟାନ ରେକର୍ଡ କରାଯାଇଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସମେତ ମୋଟ ୩୨ ଜଣଙ୍କ ବୟାନ ରେକର୍ଡ କରାଯିବ।

ଗୁରୁବାର ମୂରଲୀ ମନୋହର ଯୋଶୀ କୋର୍ଟରେ ତାଙ୍କ ବୟାନ ରଖିବା ବେଳେ ମାମଲାରେ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଥିଲେ। କେନ୍ଦ୍ରର ତତ୍କାଳୀନ କଂଗ୍ରେସ ସରକାର ରାଜନୈତିକ ଅଭିଷନ୍ଧି ରଖି ମାମଲା ସହ ତାଙ୍କୁ ସମ୍ପୃକ୍ତ କରିଥିଲେ ବୋଲି କହିଥିଲେ। ସେହିପରି ମାମଲାରେ ପ୍ରସିକ୍ୟୁସନ ଓକିଲ ଲଗାଇଥିବା ସମସ୍ତ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ।

୬ ଡିସେମ୍ବର ୧୯୯୨ରେ କରସେବକମାନେ ଅଯୋଧ୍ୟାରେ ବାବ୍ରୀ ମସଜିଦ୍ ଭାଙ୍ଗିଥିଲେ। ଯେଉଁ ସ୍ଥାନରେ ମସଦିଜ୍ ଅଛି ସେଠାରେ ପୂର୍ବରୁ ଶ୍ରୀରାମଙ୍କ ମନ୍ଦିର ଥିଲା ବୋଲି କରସେବକମାନେ ଦୀର୍ଘ ବର୍ଷରୁ ଦାବି କରିଆସୁଥିଲେ। ଦେଶରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ମୂରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀ ନେଉଥିଲେ। ଏଣୁ ମାମଲାରେ ସେମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି।