ଭାରତ ବିରୋଧୀ ଅଭିଯାନ ଏବଂ ପ୍ରଚାରରୁ ଦୂରେଇ ରହିବାକୁ ଘୋଷଣା କଲା କୁଏତ, ପୂର୍ବରୁ ଭାରତ ସପକ୍ଷରେ ଅଛନ୍ତି ସାଉଦି ଆରବ,ଓମାନ,କାତାର
28/04/2020 at 6:55 PM

ନୂଆଦିଲ୍ଲୀ ୨୮।୦୪: କୁଏତ, ଓମାନ, ସାଉଦି ଆରବ ଓ କାତାର ବିଦେଶୀ ପ୍ରାୟୋଜିତ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ଓ ପୋଷ୍ଟ ମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରି ଭାରତ ସହିତ ସଂପର୍କ ଖରାପ କରିବା ଅଭିଯାନରୁ ନିଜକୁ ଦୂରେଇ ରଖିଛନ୍ତି।
କୁଏତ ସରକାରଙ୍କ ଏହି ପଦକ୍ଷେପକୁ ଦିଲ୍ଲୀ ପ୍ରଶଂସା କରିଛି। ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସରକାରଙ୍କ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ କୁଏତରେ ବେସରକାରୀ ସାମାଜିକ ଗଣମାଧ୍ୟମରେ ଭାରତ ସଂଦର୍ଭରେ କିଛି ଖବର ଦେଖିଛୁ। କୁଏତ ସରକାର ଆମକୁ ଆଶ୍ଵାସନ ଦେଇଛନ୍ତି ଯେ, ସେମାନେ ଭାରତ ସହିତ ମୈତ୍ରିପୂର୍ଣ୍ଣ ସମ୍ବନ୍ଧ ପାଇଁ ପ୍ରତିବଦ୍ଧ। କୁଏତ ଭାରତର ଆଭ୍ୟନ୍ତରୀଣ ମାମଲାରେ କୌଣସି ପ୍ରକାରର ହସ୍ତକ୍ଷେପକୁ ସମର୍ଥନ କରୁନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ଭାରତ ବିରୋଧୀ ଅଭିଯାନ ପ୍ରଚାରରରୁ କୁଏତ ଦୂରେଇ ଯାଇଛି।
ନିକଟରେ କୁଏତର ଅନୁରୋଧ କ୍ରମେ ଭାରତ କରୋନା ଭାଇରସ୍ ମୁକାବିଲା ଲାଗି ସହାୟତା ପାଇଁ ରାପିଡ୍ ରେସପନ୍ସ ଟିମ୍କୁ ମୁତୟନ କରିଥିଲା। କୁଏତରେ ନିଜର ଦୁଇ ସପ୍ତାହରେ ରହଣି ସମୟରେ ରାପିଡ୍ ରେସପନ୍ସ ଟିମ୍ ପୀଡିତ ବ୍ୟକ୍ତିଙ୍କ ପରୀକ୍ଷଣ ଓ ଉପଚାରରେ ଚିକିତ୍ସା ସହାୟତା ପ୍ରଦାନ କରିବା ସହିତ କର୍ମୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ।
ମୁଖପାତ୍ର ଜୋର ଦେଇ କହିଛନ୍ତି ଯେ, ଏଥିପାଇଁ ଉଭୟ ଦେଶ ମଧ୍ୟରେ ସମ୍ବନ୍ଧର ମୈତ୍ରିପୂର୍ଣ୍ଣ ଭାବନା ରହିଛି। ଯାହାକୁ, ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରରେ ପ୍ରଭାବିତ କରି ହେବ ନାହିଁ। ଦୁଇ ଦେଶର ସମ୍ବନ୍ଧରେ ଐତିହାସିକ ଆଧାର ରହିଛି।
ଏହା ପୂର୍ବରୁ କାତାରାରେ ଭାରତର ରାଷ୍ଟ୍ରଦୂତ ଟୁଇଟ୍ କରିଥିଲେ ଯେ, ଏହା ସ୍ପଷ୍ଟ ଯେ, ଭାରତୀୟ ସେନା ନାମରେ ନକଲି ପରିଚୟ ଦେଇ ଆମ ସମୁଦାୟ ଭିତରେ ବିଭାଜନ ସୃଷ୍ଟି କରାଯାଉଛି। ଦୟାକରି ବାସ୍ତବିକତାକୁ ବୁଝନ୍ତୁ ଏବଂ କଳହ ସୃଷ୍ଟି କରିବାକୁ ଏହି କୁତ୍ସିତ ପ୍ରୟାସରେ ପ୍ରଭାବିତ ହୁଅନ୍ତୁ ନାହିଁ। ଆମର ଧ୍ୟାନ ଏବେ କେବଳ କୋଭିଡ୍-୧୯ର ମୁକାବିଲା ଉପରେ ରହିବା ଉଚିତ୍।
ଓମାନ ରୟାଲଟୀର ଏକ ସଦସ୍ୟ ଦ୍ଵାରା ଭାରତ ବିରୋଧୀ ଟୁଇଟ୍ କରାଯାଇଥିଲା, ଯାହା ପରେ ଏକ ନକଲି ହ୍ୟାଣ୍ଡଲ ହୋଇଥିବା ଜଣା ପଡିଥିଲା। ଉପସାଗରୀୟ କ୍ଷେତ୍ରରେ ଏମିତି ଶକ୍ତି ଅଛନ୍ତି ଯେଉଁମାନେ ଦେଶ ମଧ୍ୟରେ ଫାଟ ସୃଷ୍ଟି କରିବା କାମ କରିଥାନ୍ତି। ଏହା ପୂର୍ବରୁ ସାଉଦି ଆରବ ଓ କାତାର ଭାରତ ବିରୋଧୀ ଅଭିଯାନରୁ ନିଜକୁ ଦୂରେଇ ରଖିଥିଲେ।