କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ରିପୋର୍ଟ : ଦୁଷ୍କର୍ମର ନାହିଁ ଚିହ୍ନବର୍ଣ୍ଣ, କାହିଁକି ମିଛ ଅଭିଯୋଗ କରିଥିଲେ ପିଡୀତା ତାହା ଏକ ବଡ ପ୍ରଶ୍ନ…

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର୩|୮:  କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା ବେଳେ ଏଥିରେ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତଦନ୍ତ କମିଶନ ସନ୍ଦେହ ପ୍ରକାଶ କରିଛନ୍ତି।

ଗତ ୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମୂଷାଗୁଡା ଗାଁର ଜଣେ ନାବାଳିକାଙ୍କୁ କୁନ୍ଦୁଲି ହାଟରୁ ଫେରୁଥିବାବେଳେ ଉଠାଇନେଇ ଚାରିଜଣ କୋବ୍ରା ବଟାଲିଆନର ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ । କମିଶନ ଏହି ଘଟଣାରେ ୧୫ଜଣ ସାକ୍ଷୀଙ୍କୁ ଜେରା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପନ ହୋଇଛି ।

କମିଶନ ତାଙ୍କ ରିପୋର୍ଟରେ ସମ୍ପୃକ୍ତ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ ବୋଲି କହିଛନ୍ତି । ଜଣେ ନାବାଳିକା ନିଜ ମାନସମ୍ମାନକୁ ବାଜି ଲଗେଇ ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ନେଇ କାହିଁକି ମିଛ ଅଭିଯୋଗ କରିଥିଲେ ତାହା ଏକ ବଡ଼ ପ୍ରଶ୍ନ ।

ବିଭିନ୍ନ ଲୋକଙ୍କ ମୁଣ୍ଡରେ ବିଭିନ୍ନ କାରଣରୁ ମିଛ ଅଭିଯୋଗ କରିଥାନ୍ତି । ନାବାଳିକା ନିଜେ ଏଭଳି ମିଛ ଅଭିଯୋଗ ଓ ଆତ୍ମହତ୍ୟାର କାରଣ କହିପାରିଥାନ୍ତେ । ମିଛ ଅଭିଯୋଗର କାରଣ ଏବେବି ରାହସ୍ୟବୃତ ହୋଇ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।  ସମ୍ପୃକ୍ତ ନାବାଳିକା ପ୍ରତି କୌଣସି ଦୁଷ୍କର୍ମ ହୋଇନଥିବା ତଦନ୍ତ ସମୟରେ ଏବଂ ଡାକ୍ତରୀ ମଇନାରୁ ସଂକେତ ମିଳୁଛି ।

ତେବେ ତାଙ୍କ ହାତ ଓ ଛାତିରେ ହୋଇଥିବା କ୍ଷତର ପ୍ରକୃତ କାରଣ ସ୍ପଷ୍ଟ ନୁହେଁ । କମିଶନ ଏହି ଘଟଣାର ତଦନ୍ତ ସହ କେତେକ ପରାମର୍ଶ ଦେଇଛନ୍ତି । କମିଶନ କହିଛନ୍ତି ଯେ, କୌଣସି ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପରିଚୟ ଗୁପ୍ତ ରଖାଯାଉ । ଏଥିସହ ଏଭଳି ଘଟଣାର ତଦନ୍ତ ସାଧାରଣ ଲୋକ କିମ୍ବା ଗଣମାଧ୍ୟମ ସମ୍ମୁଖରେ ନକରିବାକୁ କମିଶନ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରି ଉଭୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି । ସେହିଭଳି କୁନ୍ଦୁଲି ଛକରୁ ନାବଳିକାର ପ୍ରର୍ତ୍ତିମୂର୍ତ୍ତି ହଟେଇବାକୁ କମିଶନ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.