ମାର୍ଚ୍ଚ ୧୧, ମହାଶିବରାତ୍ରିରେ ହେବ କୁମ୍ଭର ପ୍ରଥମ ଶାହୀ ସ୍ନାନ: ଗଙ୍ଗାରେ ୩ ବୁଡ଼ ପକାଇଲେ ପାପ ନଷ୍ଟ ସହ ମୋକ୍ଷ ପ୍ରାପ୍ତି ହୁଏ
3/03/2021 at 5:44 PM

ହରିଦ୍ୱାର ୦୩/୦୩ : ୨୦୨୧ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରୁ କୁମ୍ଭ ମେଳା ଆୟୋଜନ ଆରମ୍ଭ ହୋଇଛି। ହରିଦ୍ୱାରରେ ଗଙ୍ଗା କୂଳରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସାରା ବିଶ୍ୱରେ ଏହା ଆସ୍ଥା ଓ ବିଶ୍ୱାସର ସବୁଠାରୁ ବଡ ମେଳା। ଶାସ୍ତ୍ର ଅନୁସାରେ ନକ୍ଷତ୍ର ଓ ରାଶି ଅନୁସାରେ ଏହା ନିର୍ଦ୍ଧାରିତ କରାଯାଏ ଯେ ୪ଟି ସ୍ଥାନ ମଧ୍ୟରୁ କେଉଁଠି କୁମ୍ଭ ମେଳା ଆୟୋଜନ ହେବ। ଏହି ୪ଟି ସ୍ଥାନ ହରିଦ୍ୱାର ଗଙ୍ଗା ତଟ, ପ୍ରୟାଗରାଜ ଗଙ୍ଗା-ଯମୁନା-ସରସ୍ବତୀ ସଙ୍ଗମ ତଟ, ନାସିକ ଗୋଦାବରୀ ତଟ ଓ ଉଜ୍ଜେନ ଶିପ୍ରା ନଦୀ ତଟ। ଏଥର କରୋନା ମହାମାରୀ ଓ ଗ୍ରହମାନଙ୍କର ଅଦ୍ଭୁତ ଚଳନ ଯୋଗୁଁ ହରିଦ୍ୱାର କୁମ୍ଭ ମେଳା ପ୍ରଭାବିତ ହୋଇଛି। ୧୨ ବର୍ଷ ପରିବର୍ତ୍ତେ କୁମ୍ଭ ମେଳା ଏଥର ୧୧ ବର୍ଷ ଅନ୍ତରାଳରେ ଆୟୋଜନ ହୋଇଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତି ଗ୍ରହ କୁମ୍ଭ ରାଶି ଓ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଏହି ସଂଯୋଗ ସୃଷ୍ଟି ହୋଇଥାଏ।
ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ ହେବ। ତୃତୀୟ ଶାହୀ ସ୍ନାନ ଏପ୍ରିଲ ୧୪ ମେଷ ସଂକ୍ରାନ୍ତିରେ ହେବ। କରୋନା ଯୋଗୁଁ ଏଥର କୁମ୍ଭ ମେଳାରେ ଅନେକ କଟକଣା ଲାଗୁ କରାଯାଇଛି। ଏଥର କୁମ୍ଭ ୪୮ ଦିନ ପାଇଁ ହେବ। ସାଧାରଣତଃ କୁମ୍ଭ ମେଳା ୧୨୦ ଦିନ ପାଇଁ ହୋଇଥାଏ। ଏହି ଏହି ଶତାବ୍ଦୀର ଦ୍ୱିତୀୟ ମେଳା। କୁମ୍ଭ ସ୍ନାନ ସହ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ମଧ୍ୟ ହୋଇଥାଏ।

ପ୍ରତି ବର୍ଷ ମେଷ ରାଶିରେ ସୂର୍ଯ୍ୟଙ୍କ ଆଗମନ ଏପ୍ରିଲ ୧୪ରେ ହୋଇଥାଏ। ପ୍ରତି ୧୨ ବର୍ଷରେ ବୃହସ୍ପତି କୁମ୍ଭ ରାଶିରେ ଆଗମନ କରନ୍ତି। କିନ୍ତୁ ଏଥର ୧୧ ବର୍ଷ ଅନ୍ତରାଳରେ ଏପ୍ରିଲ ୫ ତାରିଖରେ ଆଗମନ ହେଉଛନ୍ତି।
କୁମ୍ଭ ମେଳା ପ୍ରଥମ ଶାହୀ ସ୍ନାନ – ମାର୍ଚ୍ଚ ୧୧, ମହାଶିବରାତ୍ରି
ଦ୍ୱିତୀୟ ଶାହୀ ସ୍ନାନ – ଏପ୍ରିଲ ୧୨, ସୋମବତୀ ଅମାବାସ୍ୟା
ତୃତୀୟ ଶାହୀ ସ୍ନାନ – ଏପ୍ରିଲ ୧୪, ମେଷ ସଂକ୍ରାନ୍ତି
ଚତୁର୍ଥ ଶାହୀ ସ୍ନାନ – ଏପ୍ରିଲ ୨୭, ବୈଶାଖ ପୂର୍ଣ୍ଣିମା
ଧାର୍ମିକ ବିଶ୍ୱାସ ଅନୁଯାୟୀ କୁମ୍ଭ ମେଳା ସମୟରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଗଙ୍ଗାରେ ୩ଟି ବୁଡ଼ ପକାଇଲେ ସବୁ ପାପ ନଷ୍ଟ ହୋଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ।
କୁମ୍ଭ ମେଳାର ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି। ଯେଉଁମାନଙ୍କ ଶନି ସାଢେସାତୀ ଓ ଶନି ଢେୟା ଚାଲୁଥାଏ କୁମ୍ଭ ସ୍ନାନରୁ ସେମାନଙ୍କୁ ଲାଭ ମିଳିଥାଏ। ଯେଉଁମାନେ ଶନିଙ୍କ କୋପ ଦୃଷ୍ଟିରୁ ପୀଡିତ ସେମାନେ ଶୁଭ ତିଥିରେ ବିଧି ପୂର୍ବକ ସ୍ନାନ କରିବା ଉଚିତ। ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟା ଓ ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ସାଢେସାତୀ ଚାଲିଛି। ତାଛଡା ଯେଉଁମାନଙ୍କର ରାହୁ-କେତୁ ସମସ୍ୟା ରହିଛି ସେମାନେ ବି କୁମ୍ଭ ସ୍ନାନ କରିବା ଉଚିତ।