ପ୍ରତିଶୋଧର ଭୟଙ୍କର ପରିଣାମ: ଶହେ ଶିଶୁଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଏସିଡ୍ ଭର୍ତ୍ତି କଣ୍ଟେନରରେ ପକାଇ ଶବ ଜାଳିଦେଲା ସିରିୟଲ୍‌ କିଲର

Published By : Prameya-News7 Bureau | September 15, 2021 IST

ଇସଲାମାବାଦ ୧୫/୦୯: ଦୁନିଆରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। କିନ୍ତୁ କିଛି ଅପରାଧୀଙ୍କ କାହାଣୀ ଏବଂ ତାଙ୍କୁ କୋର୍ଟରୁ ମିଳିଥିବା ସଜା  ସବୁ ଦିନ ପାଇଁ ଲୋକଙ୍କ ମାନସପଟରେ ରହିଯାଏ। ସେମିତି ଜଣେ ସିରିୟଲ କିଲର ଯିଏକି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏମିତି କାଣ୍ଡ ଭିଆଇଥିଲା ଯେ, ଶୁଣିଲେ ଛାତି ଥରିଉଠିବ ନିଶ୍ଚିତ। ପ୍ରତିଶୋଧରୁ ସାଜିଥିଲା ନର ରାକ୍ଷସ। ୧୦୦ ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା ଏବଂ ଶବଗୁଡ଼ିକୁ ଏସିଡ୍‌ ଭର୍ତ୍ତି ଟ୍ୟାଙ୍କରରେ ପକାଇ ନଷ୍ଟ କରିଦେଇଥିଲା। ଏହି ମାମଲାରେ କୋର୍ଟ ଦୋଷୀକୁ ଯେଉଁ ଦଣ୍ଡ ଶୁଣାଇଥିଲେ ତାହା ମଧ୍ୟ ଅତ୍ୟନ୍ତ ଭୟଙ୍କର ଥିଲା।

ତାକୁ ମୃତ ଶିଶୁଙ୍କ ପରିବାର ଲୋକଙ୍କ ଆଗରେ ୧୦୦ ଖଣ୍ଡ କରି ଏସିଡି୍‌ରେ ପକାଇବାକୁ ନିର୍ଦେଶ ଦେଇଥିଲେ କୋର୍ଟ। କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ହସ୍ତକ୍ଷେପରୁ ସେ ବର୍ତ୍ତି ଯାଇଥିଲା। ଏହା ପରେ ଜେଲ୍‌ରେ ଆତ୍ମହତ୍ୟା କରିଥିଲା ଅପରାଧୀ। ଏମିତି ମାମଲା ୧୯୯୯ ମସିହାରେ ପାକିସ୍ତାନରେ ହୋଇଥିଲା। କୁଖ୍ୟାତ ଅପରାଧୀର ନାଁ ଥିଲା ଜାଭେଦ ଇକବାଲ। ୧୯୫୬ ମସିହାରେ ଲାହୋରରେ ଜନ୍ମ ହୋଇଥିଲା ଜାଭେଦ । ବଡ଼ ହୋଇଯିବା ପରେ ଶିଶୁ କନ୍ୟାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରୁଥିଲା। ଏହା ପରେ ସେମାନଙ୍କ ସହ ଦୁଷ୍କର୍ମ କରି ହତ୍ୟା କରୁଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ସେ ଶବଗୁଡ଼ିକୁ ଏସିଡ୍‌ ପକାଇ ଜଳାଇ ଦେଉଥିଲା  ।

ଏମିତି ୧୦୦ ଶିଶୁଙ୍କୁ ହତ୍ୟା କରିବା ପରେ ୧୯୯୯ରେ ନିଜର ଦୋଷ ସ୍ବୀକାର କରିଥିଲା ଜାଭେଦ ଇକବାଲ। କିନ୍ତୁ  ତାର ଏହି ଭୁଲ ପାଇଁ ସେ କେବେ ବି ପଶ୍ଚାତାପ କରୁନଥିଲା। ତା ପଛର କାରଣ ଥିଲା ପ୍ରତିଶୋଧ। ସେ ଛୋଟ ଥିବା ବେଳେ କୌଣସି ଏକ କାରଣରୁ ତାକୁ ପୋଲିସ ଗିରଫ କରିଥିଲା। ତା କହିବା ଅନୁଯାୟୀ, ଭୁଲ ନଥାଇ ପୋଲିସ ତାକୁ ଗିରଫ କରିଥିଲା ଏବଂ ଅକଥନୀୟ ଯନ୍ତ୍ରଣା ଦେଇଥିଲା। ତାକୁ ମୁକ୍ତ କରିବା ପାଇଁ ତା ମା ପୋଲିସ ସାମ୍ନାରେ କାକୁତି ମିନତୀ କରିଥିଲା।

ଏହା ଦେଖି ୧୦୦ ଶିଶୁଙ୍କୁ ହତ୍ୟା କରିବ ଏବଂ ୧୦୦ ମା ଠିକ ସେମିତି ପିଲାମାନଙ୍କ ପାଇଁ ନ୍ୟାୟ ଭିକ୍ଷା ମାଗିବେ ବୋଲି ମନରେ ସ୍ଥିର କରିଥିଲା ଇକବାଲ। ଏହା ପରେ ସେ ପାଲଟି ଯାଇଥିଲା ସିରିୟଲ କିଲର । ଦୋଷ ସ୍ବୀକାର କରିବା ପରେ ଇକବାଲକୁ ମାର୍ଚ୍ଚ ୨୦୦୦ରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଦଣ୍ଡ ଶୁଣାଇବା ପ​‌ରେ ଅକ୍ଟୋବର ୨୦୦୧ରେ ସେ ନିଜ ବାରାକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। କିନ୍ତୁ କିଛି ଲୋକଙ୍କ ମତରେ ଇକବାଲକୁ ହତ୍ୟା କରାଯାଇଥିଲା କାରଣ ତାର ହାତ, ଗୋଡ଼ ନୀଳ ପଡ଼ିଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.