ଆଉ ଏକ ନୂଆ ୟୁନିଭରସିଟି : ଜଗଦ୍‌ଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟ ବିଲ୍‌ ଉପରେ ମୋହର

Published By : Prameya-News7 Bureau | February 20, 2020 IST

ଭୁବନେଶ୍ୱର ୨୦/୨: ବାରମ୍ବାର ମୁଲତବି ଓ ବିରୋଧୀଦଳର ବିରୋଧ ସତ୍ବେ ଆଜି ବିଧାନସଭାରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ବିଲ୍‌ ପାରିତ ହୋଇଛି । ଦୀର୍ଘ ଆଲୋଚନା ପରେ ବାଚନିକ ଭୋଟରେ ବିଲ୍‌ଟି ପାରିତ ହୋଇଛି । ଏନେଇ ବିରୋଧୀଦଳ ଦେଇଥିବା ଗୋଟିଏ ବି ସଂଶୋଧନ ପ୍ରସ୍ତାବ ଗ୍ରହଣ ହୋଇନାହିଁ । ସବୁ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇଛି ।

ଗତ କାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଗୃହରେ ବିଲ୍‌ଟି ଆଗତ କରିଥିଲେ । ଯାହାକୁ ବିରୋଧୀଦଳ ବିରୋଧ କରିଥିଲା । ଏଥିପାଇଁ ପର୍ଯ୍ୟାପ୍ତ ସମୟ ମାଗିଥିଲା । ମାତ୍ର ଆଜି ବିଲ୍‌ ଉପରେ ଅଲୋଚନା ଆରମ୍ଭ କରିବାକୁ ସରକାର ଅଡ଼ି ବସିଥିଲେ । କଂଗ୍ରେସ ପକ୍ଷରୁ ଦଳୀୟ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ବିଲ୍‌ଟିକୁ ବିରୋଧ କରିଥିଲେ । ଉଭୟ ନେତା କହିଥିଲେ, ସରକାର ବିଲ୍‌ଟିକୁ ପଢ଼ି ତର୍ଜମା କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦେଉନାହାନ୍ତି । ତରବରିଆଭାବେ କିଛି ନବୁଝି ନସୁଝି ବିଲ୍‌ ପାରିତ କରାଇଲେ ଭବିଷ୍ୟତରେ କୋର୍ଟ କଚେରିରେ ଏହା କାଟ ଖାଇବାର ଅଶଙ୍କା ରହିଛି । ଅତୀତରେ ବି ଏଭଳି ହୋଇଛି । ତେଣୁ ଆଉ କିଛି ଦିନ ସମୟ ଦିଆଯାଉ । ମାତ୍ର ବାଚସ୍ପତି ବାଚନିକ ଭୋଟରେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ପରେ ଶ୍ରୀ ମିଶ୍ର କିଛି ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ, ତାହା ବି ଗ୍ରହଣୀୟ ହୋଇନଥିଲା ।

ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ମନ୍ତ୍ରୀ ଡ. ସାହୁ କହିଥିଲେ, ମାନବ ସମ୍ବଳର ବିକାଶ ହିଁ ଅର୍ଥନୈତିକ ବିକାଶର ଚାବିକାଠି । ସେଥିଲାଗି ସରକାର ସବୁବେଳେ ଉଚ୍ଚତର ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ହିଁ ଏହା ସମ୍ଭବ ହୋଇପାରିବ । ଓଡ଼ିଶା ବିଶ୍ୱ ଶିକ୍ଷା ମାନଚିତ୍ରରେ ସ୍ଥାନ ପାଇପାରିବ । ରାଜ୍ୟରେ ଉଚ୍ଚ ମାନର ଶିକ୍ଷା ଦାନ ପାଇଁ କୃପାଳୁ ଯୋଗ ଶିକ୍ଷା ଟ୍ରଷ୍ଟ ଗଠନ କରାଯାଇଛି । କଟକ ଜିଲ୍ଲାର ଡମପଡ଼ା ତହସିଲ ଅଞ୍ଚଳରେ ଏକ ସେଲ୍‌ଫ୍‌ ଫାଇନାନ୍‌ସିଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଚାହୁଁଛି । ଏହି ବିଶ୍ୱବିଦ୍ୟାଳୟ ଐତିହାସିକ ଆଧ୍ୟାତ୍ମିକ ଶିକ୍ଷାଦାନ ସହିତ ଯୋଗ, ଆୟୁର୍ବେଦ, ଭାରତୀୟ ସଂସ୍କୃତି, ବିଜ୍ଞାନ, କଳା, ଆଦି ଉପରେ ଉଚ୍ଚମାନର ଶିକ୍ଷାଦାନ କରିବ । ତେଣୁ ଏହାକୁ ବିରୋଧ କରାନଯାଇ ପାରିତ କରାଯାଉ । ଶେଷରେ ବିଲ୍‌ଟି ବାଚନିକ ଭୋଟରେ ପାରିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.