Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରାଟିକା ମୋନାଲି : କରାଟେରେ ବଡ ସମ୍ଭାବନା, ହେଲେ ଅର୍ଥ ବାଧକ

29/08/2019 at 6:09 PM

ଖୋର୍ଦ୍ଧା ୨୯।୮: କରାଟେରେ ବଡ ସମ୍ଭାବନା ମୋନାଲି । ଖୋର୍ଦ୍ଧା ଜେମାଦେଇ ଗ୍ରାମରେ ରହୁଥିବା ମୋନାଲି ମହାପାତ୍ର ଭୂବନେଶ୍ୱରରେ ଅନୁଷ୍ଠିତ ସର୍ବଭାରତୀୟ କରାଟେ ପ୍ରତିଯୋଗିତାର ଦୁଇଟି ପଦକ ଜିତିଛନ୍ତି । ଯୁକ୍ତ ତିନ୍‌ରେ ପଢୁଥିବା ଏହି ଛାତ୍ରୀଙ୍କ ସଫଳତା ନେଇ ପରିବାର ସହ ସ୍ଥାନୀୟ ଲୋକେ ବେଶ୍ ଖୁସ୍ । ତେବେ କରାଟେରେ ଆହୁରି ଆଗକୁ ଯିବାକୁ ଆଗ୍ରହୀ ମୋନାଲିଙ୍କ ଲାଗି ଅର୍ଥ ବାଧକ । ସେଥିଲାଗି ସରକାରୀ ପ୍ରୋତ୍ସାହନ ପାଇଁ ଗୁହାରୀ କରିଛନ୍ତି ସେ ଏବଂ ତାଙ୍କ ପରିବାର । 

ମାନିବା ଭଳି ପ୍ରତିଭା ଟିଏ ମୋନାଲି। ଖୋର୍ଦ୍ଧା ଜେମାଦେଇ ଗାଁର ମୋନାଲି ମହାପାତ୍ର। ଅଗଷ୍ଟ ୨୨ ରୁ ୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ମଞ୍ଚେଶ୍ୱର ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ ସେ ସଫଳତା ଅର୍ଜିଛନ୍ତି । କାଟା ଓ ଫାଇଟିଙ୍ଗ୍ ବିଭାଗରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିତିଛନ୍ତି ରୌପ୍ୟ ଓ କାଂସ୍ୟ ପଦକ ।

ୟୁକ୍ତ ୩  ବିଜ୍ଞାନର ଦ୍ୱିତୀୟ ବର୍ଷ ଛାତ୍ରୀ ଏଥିଲାଗି କମ୍ ପରିଶ୍ରମ କରିନାହାନ୍ତି । ପିଲାଟି ଦିନରୁ ସେ  ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଅନେକ ପଦକ ଓ ଟ୍ରଫି  ପାଇଛନ୍ତି। ଏବେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦୁଇଟି ପଦକ ପାଇ ସେ  ବେଶ୍‌ ଖୁସ୍ । ତେବେ ଏଥିଲାଗି କରାଟେ ଶିକ୍ଷକ ଓ ପରିବାର ବର୍ଗଙ୍କ ଆଶିର୍ବାଦ ଥିବା କହିଛନ୍ତି ମୋନାଲି । 

କମ୍‌ ବୟସରେ ସଫଳତାର ପାହାଚ ଚଢୁଥିବା ମୋନାଲିଙ୍କ ଲାଗି ରାସ୍ତା ବେଶ୍ ଲମ୍ବା । ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବା ଏବଂ ସେଥିଲାଗି ତାଲିମ ଦରକାର । ତେବେ ତାହା ବ୍ୟୟ ବହୂଳ ହୋଇଥିବା ବେଳେ, ମୋନାଲିଙ୍କ ସମସ୍ୟା ହେଲା, ତାଙ୍କ ପରିବାରର ସେଥିଲାଗି ଆର୍ଥିକ କ୍ଷମତା ନାହିଁ ।

ତେଣୁ ତାଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ସେ ସଫଳତାର ଶୀର୍ଷ କୁ ଯାଇପାରିବେ । ମୋନାଲିଙ୍କ ସଫଳତାରେ ଖୁସି ପରିବାର ଶହ ସ୍ଥାନୀୟ ଲୋକେ ମୋନାଲିଙ୍କ ଲାଗି ସରକାରୀ ସହାୟତା ଏବଂ ଉପଯୁକ୍ତ ପ୍ରୋତ୍ସାହନ ଲାଗି   ଗୁହାରୀ କରିଛନ୍ତି। 

   Related Posts