Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏପ୍ରିଲ ୨୭ରେ କୋଭିଡ୍ କେୟାର ସେଣ୍ଟରରେ ଆଡମିଟ୍, ୨୮ ସନ୍ଧ୍ୟାରେ ମୃତ୍ୟୁ… ତଥାପି ୭ ଦିନ ପରେ ଟେଲିଫୋନରେ କୋଭିଡ୍ କଣ୍ଟ୍ରୋଲ ରୁମ୍ କର୍ମଚାରୀଙ୍କ ସହ କଥା ହେଲେ ମୃତକ !

7/05/2021 at 2:04 PM

ବରଗଡ, ୦୭।୦୫: ମୃତକଙ୍କ ପାଖକୁ ଆସୁଛି ଫୋନ୍ କଲ । କରୋନାରେ ପ୍ରାଣ ହରାଇଥିଲେ ବି କଣ୍ଟ୍ରୋଲ ରୁମରୁ କରାଯାଉଚି କଲ୍ । ହାଲଚାଲ ପଚରାଯାଉଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ‘ଆପଣ ଗୋପାଳ ପାଣ୍ଡେ କହୁଛନ୍ତି-ହଁ କହୁଛି। ସ୍ୱାସ୍ଥ୍ୟ ବିଷୟରେ ବୁଝିବା ପାଇଁ ଫୋନ୍‌ କୋଭିଡ୍‌ କଣ୍ଟ୍ରୋଲ କେନ୍ଦ୍ରରୁ କହୁଛି, ଆପଣ ଆଇସୋଲେସନ୍‌ରେ ଅଛନ୍ତି ତ-ହଁ, ଆପଣଙ୍କ ଜ୍ୱର ଅଛି-ନାହିଁ, କାଶସର୍ଦ୍ଦି ଅଛି-ନାହିଁ, କଫ ଅଛି-ନାହିଁ, ଆପଣଙ୍କ ଅକ୍ସିଜେନ ସାଚୁରେସନ କେତେ ଅଛି-୯୮/୯୯ ରହୁଛି, ନିଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି-ନାହିଁ, ମୁଣ୍ଡ/ଦେହହାତ ବ୍ୟଥା ହେଉଛି-ନାହିଁ, ପତଳା ଝାଡ଼ା ହେଉଛି କି-ନାହିଁ, ଅନ୍ୟ କୌଣସି ଅସୁବିଧା ଅଛି-ନାହିଁ । ଠିକ୍‌ ଅଛି କୋଭିଡ୍‌ କେଣ୍ଟ୍ରାଲରୁ ଆପଣଙ୍କ ନିକଟରୁ ଦିନକୁ ଦୁଇ ଥର ଫୋନ୍‌ କରି ଆପଣଙ୍କ ହାନୀଲାଭ ବୁଝିବୁ-ହଁ, ଆଉ କୌଣସି ଅସୁବିଧା ଅଛିକି-ହଁ, ମୋର ବହୁତ ପ୍ରୋବ୍ଲେମ ଅଛି। କହନ୍ତୁ-ମୁଁ ୨୭ ଏପ୍ରିଲରେ ଆଡ୍‌ମିଟ ହୋଇଥିଲି, ୨୮ ଏପ୍ରିଲ ସନ୍ଧ୍ୟା ୫.୪୫ରେ ମୋର ଡେଥ୍‌ ହୋଇଥିଲା । ଆପଣ ଆତ୍ମା ସାଙ୍ଗରେ କଥା ଲାଗୁଛନ୍ତି। ଏଁ…କଣ୍ଟ୍ରୋଲ ରୁମର ମହିଳା କେବଳ ଏଁ କହି ଚୁପ ରହିଯିବା ପରେ ନୀରବତା ଖେଳିଯାଇଥିଲେ ମଧ୍ୟ ଫୋନ୍‌ ଅନ୍‌ ଥିଲା।

କରୋନରେ ସଂକ୍ରମିତ ହୋଇ ବରିକେଲର ଗୋପାଳ ପାଣ୍ଡେ ଗତ ୨୭ ଏପ୍ରିଲରେ ବରଗଡ଼ କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତା’ ପରଦିନ ୨୮ ତାରିଖ ହିଁ ପରଲୋକ ଗମନ କରିଥିଲେ। ହେଲେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଖରେ ଖବର ନାହିଁ । ଫଳରେ ଗୋପାଳଙ୍କ ରେଜିଷ୍ଟ୍ରେସନ ନମ୍ବରକୁ ହେଲ୍‌ପଡେସ୍କରୁ ବାରମ୍ବାର ଫୋନ ଆସିବା ସାର ହୋଇଛି। ଗୋପାଳଙ୍କ ମୃତ୍ୟୁ ହୋଇଛି ବୋଲି ପରିବାରବର୍ଗ ବାରମ୍ବାର କହୁଥିଲେ ବି ଆଜିକୁ ୪ ଦିନ ହେଲା ଦିନକୁ ଲଗାତାର ୪ ଥର ଫୋନ ଆସୁଥିବାରୁ ଶୋକଗ୍ରସ୍ତ ପରିବାରର ଧୈର୍ଯ୍ୟଚ୍ୟୁତି ଘଟିବା ପରେ ଆଜି ବିସ୍ଫୋରଣ ଦେଖାଦେଇଛି।

ଦୁଃଖ ସମୟରେ ସମବେଦନା ପରିବର୍ତ୍ତେ ଜ୍ୱର ଅଛି, କାଶ ହେଉଛି ଆଦି ପ୍ରଶ୍ନ ପରିବାରବର୍ଗଙ୍କ କଟା ଘା’ରେ ଚୂନ ଲଗାଇବା ସଦୃଶ ହେଉଛି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି । ମୃତ୍ୟୁ ସଂଖ୍ୟାକୁ ସରକାର ଚପାଇଲେ ଆମର ଆପତ୍ତି ନାହିଁ, କିନ୍ତୁ ମଲା ବ୍ୟକ୍ତିଙ୍କ ଖବର ଅନ୍ତତଃପକ୍ଷେ ସରକାର ଟିପି ରଖନ୍ତୁ ବୋଲି ଦାବି ବରଗଡ଼ କୋଭିଡ୍‌ ହସପିଟାଲର କାର୍ଯ୍ୟଧାରାକୁ ପ୍ରଶ୍ନବାଚୀ ଭିତରକୁ ଠେଲିଦେବା ସହ ଗୋଟେ ଆତ୍ମାର କ୍ଷୋଭକୁ ଚର୍ଚ୍ଚାର ପରସରଭୁକ୍ତ କରିଛି ।

   Related Posts