ବିଧାନସଭାରେ କୋଟିଆ ତାତି, ସରକାରଙ୍କୁ ଘେରିଲେ ବିରୋଧୀ: ସୀମାରେ ରହୁଥିବା ଲୋକଙ୍କ ପ୍ରତି ସରକାରଙ୍କ ନାହିଁ ସମବେଦନା, ପହଞ୍ଚୁନି ବିକାଶ
25/11/2020 at 6:55 PM

ଭୁବନେଶ୍ୱର ୨୫/୧୧ : ବିଧାନସଭାରେ ଉଠିଲା କୋଟିଆ ସୀମା ବିବାଦ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସୀମାରେ ରହୁଥିବା ଲୋକଙ୍କ ପାଇଁ ସରକାରଙ୍କ ବିକାଶ ପହଞ୍ଚୁନି, ଯେଉଁଥି ପାଇଁ ସେମାନେ ପଡୋଶୀ ରାଜ୍ୟ ଆଡକୁ ଢଳୁଛନ୍ତି ବୋଲି ଅଭିଯୋଗ ଉଠିଛି । କେବଳ ସେଠି ନୁହେଁ ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ସୀମାରେ ବି ବିବାଦ ଲାଗିଥିବା କଥା ବିରୋଧୀ ଉଠାଇଛନ୍ତି । ସେହିପରି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ଦେଇ ଆନ୍ଧ୍ର ଖୋଲିଥିବା ତେଲୁଗୁ ସ୍କୁଲ୍ରେ ନାମ ଲେଖାଇବାକୁ ଆନ୍ଧ୍ର ପକ୍ଷରୁ ପ୍ରଲୋଭନ ଦିଆଯାଉଛି । ଯାହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।

ବିଧାନସଭାରେ ଉଠିଲା ସୀମା ବିବାଦ ପ୍ରସଙ୍ଗ । ମୁଲତବୀ ପ୍ରସ୍ତାବ ଜରିଆରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସୀମାରେ ରହୁଥିବା ଲୋକଙ୍କ ପ୍ରତି ସରକାରଙ୍କ ସମବେଦନା ରହୁନି, ବିକାଶ ପହଞ୍ଚୁନି, ଯେଉଁଥି ପାଇଁ ସେମାନେ ପଡୋଶୀ ରାଜ୍ୟ ଆଡକୁ ଢଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏମିତିକି ପଡୋଶୀ ରାଜ୍ୟର ଲୋକେ ବାଲେଶ୍ବର ଭଦ୍ରକରେ ଅନୁପ୍ରବେଶକରି ଦାଦାଗିରି କରୁଛନ୍ତି। ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମାବିବାଦ ଲାଗି ରହିଛି । କୋରାପୁଟରେ ୨୧ ଗାଁ, ଗଜପତିର ୧୬ ଗାଁ ଙ୍କୁ ନେଇ ଆନ୍ଧ୍ର ସହ ଚାଲିଛି ବିବାଦ । ସର୍ବଦଳୀୟ କମିଟି ଗଠନ ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିବାଦର ସମାଧାନ କରିବାକୁ ଦାବି କରିଛନ୍ତି ବିରୋଧୀ । ସୀମା ବିବାଦ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଛନ୍ତି କିଛି ବଡଧରଣର ସମସ୍ୟା ଉପୁଜିନି ।

ସେପଟେ ସଙ୍କଟରେ ପଡିଲାଣି ସୀମାନ୍ତ କୋଟିଆରେ ଓଡ଼ିଆ ଭାଷା। ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ପକ୍ଷକୁ ଆଣିବାକୁ ଆନ୍ଧ୍ର ଚଳାଇଛି ଜୋରଦାର ଉଦ୍ୟମ । ପୂର୍ବରୁ କୋଟିଆର ଧୁଳିପଦର, ଫଗୁଣସିନେରି, ପାଟୁସିନେରୀ, ଉପର ଗଂଜେଈପଦର, ତଳ ସେମ୍ବି ଇତ୍ୟାଦି ଗାଁରେ ଅସ୍ଥାୟୀ ତେଲୁଗୁ ସ୍କୁଲ ଖୋଲିଛି ଆନ୍ଧ୍ର । ଏହା ସହ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଦେଇ ପ୍ରଲୋଭିତ କରିବାକୁ ସମସ୍ତ ଉଦ୍ୟମ କରୁଛି । ଆନ୍ଧ୍ରର ଶିକ୍ଷକ ମାନେ ଏଥିପାଇଁ ଘର ଘର ବୁଲି କୋଟିଆରେ ସର୍ଭେ କରୁଛନ୍ତି ।
ଆନ୍ଧ୍ରର ଏପରି ଉଦ୍ୟମକୁ ଦୃଢ ବିରୋଧ କରିଛନ୍ତି ଉତ୍କଳ ସମ୍ମିଳନୀ ଓ ସ୍ଥାନୀୟ ଭାଷା ପ୍ରେମୀ। ଆନ୍ଧ୍ରର ଏପରି ପ୍ରଲୋଭନ ଫଳରେ ଓଡ଼ିଆ ଛାତ୍ରଛାତ୍ରୀ ଏବେ ଓଡ଼ିଆ ଛାଡି ତେଲୁଗୁ ପଢିବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
କୋଟିଆ ଲୋକଙ୍କୁ ଆନ୍ଧ୍ର ଭୋଟର କାର୍ଡ,ଆଧାର କାର୍ଡ, ଭତ୍ତା, ମାଗଣା ବିଦ୍ୟୁତ ବାଣ୍ଟି ସାରିଛି । ଏବେ ଓଡିଆ ପିଲାଙ୍କୁ ସ୍ତୁଲ୍ରେ ପଢାଇ ପୁରା କୋଟିଆ ବାସିନ୍ଦାଙ୍କୁ ଆନ୍ଧ୍ରର ପରିଚୟ ଦେବାକୁ ସବୁ ପ୍ରସ୍ତୁତି କରିସାରିଛି ।