ଆଜି ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ : କହିଲେ କଂଗ୍ରେସ ଛାଡିବେନି କି ବିଏସପିରେ ମିଶିବେନି

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧ଆଜି ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଲେ କୃଷ୍ଣଚନ୍ଦ୍ର ସଗରିଆ । ବିଧାୟକ ପଦରୁ ଇସ୍ତଫା ଦେବାକୁ ସେ ଗତ ୩୦ ତାରିଖରେ ଘୋଷଣା କରି ସାରିଥିଲେ । ତେବେ ସଗରିଆଙ୍କ ଇସ୍ତଫା କଂଗ୍ରେସ ଭିତରେ ସବୁ ଯେ ଠିକ୍ ନାହିଁ ସେ ବାର୍ତ୍ତା ସାମ୍ନାକୁ ଆଣିଲା । ପିସିସି ସଭାପତି ଯେତେ ବୁଝାଇଲେ ବି ସେ ନିଜ ଜିଦ୍ ରେ ଅଟଳ ରହି ଇସ୍ତଫା ଦେଲେ । ଆଗକୁ ସେ ଦଳ ଚାଡିବେ ନାହିଁ ବୋଲି ତ କହୁଛନ୍ତି କିନ୍ତୁ ତାପରେ ବି କଂଗ୍ରେସ ତାଙ୍କ ଉପରେ ନଜର ରଖିଛି । ସେପଟେ ସଗରିଆଙ୍କ ଇସ୍ତଫା ଯୋଗୁଁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିରୋଧି ଦଳ ନେତା ମାନ୍ୟତା ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।…. ବିଧିବଦ୍ଧ ଭାବେ ବିଧାୟକ ପଦରୁ ଆଜି ଇସ୍ତଫା ଦେଲେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଯଦିବା ସେ ଆଗରୁ ନିଜ ଇସ୍ତଫା ଘୋଷଣା କରିସାରିଥିଲେ ଆଜି କିନ୍ତୁ ବାଚସ୍ପତିଙ୍କୁ ତାଙ୍କ ଧାଡିକିଆ ଇସ୍ତଫା ପତ୍ର ଦେଇଛନ୍ତି  ।  ସଗରିଆ ଇସ୍ତଫା ଦେବାପରେ ଗଣ ମାଧ୍ୟମ ଆଗରେ ସେଇ ପୁରୁଣା କଥା ଦୋହରାଇଛନ୍ତି । ସେ କଂଗ୍ରେସରେ ରହି କାମ କରିବେ ଏବଂ ଯାହା ଦାୟିତ୍ବ ମିଳିବ ତାହା ଠିକ୍ ଭାବେ ତୁଲାଇବେ ବୋଲି କହିଛନ୍ତି । ଏପରିକି ଟିକେଟ ନମିଳିଲେ ବି ସେ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି । ବହୁଜନ ସମାଜବାଦୀ ପାର୍ଟିରେ ସେ ମିଶିବେ ବୋଲି ଯେଉଁ ଚର୍ଚା ହେଉଛି ତାକୁ ଖଣ୍ଡନ କରିଛନ୍ତି ସଗରିଆ । ଏକଥା ବି କହିଛନ୍ତି ବିଜେଡି କିମ୍ବା ବିଜେପି ରେ ସେ ମିଶିବେ ନାହିଁ । ବରଂ ଦଳିତ ବର୍ଗଙ୍କ ସ୍ବର ଆଗକୁ ବଢାଇବାପାଇଁ ସେ କାମ କରିବେ। କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନମିଳିବାରୁ ସେ ଇସ୍ତଫା ଦେଲେ ବୋଲି କୃଷ୍ଣ ସଗରିଆ ବାରମ୍ବାର କହୁଛନ୍ତି । ଏନେଇ କିନ୍ତୁ ସେ ନା ପିସିସି ସଭାପତି ନା ବିରୋଧିଦଳ ନେତାଙ୍କ ସହ ଆଲୋଚନା କରିଛନ୍ତି , ଆଜି ବାଚସ୍ପତିଙ୍କୁ ଇସ୍ତଫା ଦେବା ଆଗରୁ ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟନାୟକ ଆଲୋଚନା ପାଇଁ ଡାକିଥିଲେ । ଇସ୍ତଫା ନଦେବାକୁ ବୁଝାଇବା ଲାଗି ଚେଷ୍ଟା କରିଥିଲେ । କିନ୍ତୁ ସଗରିଆ ମାନି ନଥିଲେ। ବିରୋଧିଦଳ ନେତା କିନ୍ତୁ ଇସ୍ତଫା ଦେବା ତାଙ୍କ ଅଧିକାର କହି ଏଡାଇ ଯାଇଛନ୍ତି । ଏବେ ସଗରିଆ ଇସ୍ତଫା ଦେବାପରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪କୁ ଖସିଆସିଛି । ବିଧାନସଭା ସଂଖ୍ୟା ଦୃଷ୍ଟିରୁ ୧୪ ସଂଖ୍ୟାରେ କଂଗ୍ରେସ ବିରୋଧି ଦଳ ନେତା ପଦବୀ ରଖିପାରିବ ନାହିଁ । ଏଥିପାଇଁ ଅତିକମ୍ ରେ ୧୫ ସିଟ୍ ଦରକାର । ତେବେ ଜର୍ଜ ତୀର୍କି ଜେଏମଏମ ଛାଡି କଂଗ୍ରେସରେ ମିଶିଥିବାରୁ ତାକୁ ବାଚସ୍ପତି ହିସାବକୁ ନେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.