ଜୟପୁର ମୁଖ୍ୟ ଡାକ୍ତରଖାନା : ନୂଆ କ୍ୟାମ୍ପସକୁ ଉଠିଗଲା ହସ୍‌ପିଟାଲ, ପୁରୁଣା କ୍ୟାମ୍ପସରେ ରହିଗଲା ଆହାର କେନ୍ଦ୍ର

Published By : Prameya-News7 Bureau | December 06, 2018 IST

ଜୟପୁର ୬|୧୨: ଜୟପୁରଠାରେ  ଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାନ୍ୟତା ପାଇବା ପରେ ଏହା ଫୁଲବାଡସ୍ଥିତ ନୂଆଁ କ୍ୟାମ୍ପସକୁ ସ୍ଥାନାନ୍ତର ହୋଇଛି । ଡାକ୍ତରଖାନା ସିନା ସ୍ଥାନାନ୍ତର ହୋଇ ଗଲା ହେଲେ କ୍ୟାମ୍ପସ ମଧ୍ୟରେ ଥିବା ଆହାର କେନ୍ଦ୍ର କିନ୍ତୁ ଆଜି ଯାଏଁ ସ୍ଥାନାନ୍ତର ହୋଇନି । ଡାକ୍ତରଖାନାଟି ସହରଠାରୁ ୪ କିଲୋମିଟର ଦୂରରେ । ତେଣୁ ପ୍ରତିଦିନ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ ଗଣ୍ଡେ ଖାଇବା ପାଇଁ  ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ନିରୁପାୟ ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନା କ୍ୟାମ୍ପସ ମଧ୍ୟରେ ଟାଇଁ ଟାଇଁ ଖରାରେ ଖୋଲା ଆକାଶ ତଳେ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି। ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ତଥାପି ଖୋଲା ଆକାଶ ତଳେ ଚାଲିଛି ରୋଷେଇ । ଏ ଦୃଶ୍ୟ ହେଉଛି ଜୟପୁରଠାରେ ଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଫୁଲବାଡ ସ୍ଥିତ ନୂଆଁ କ୍ୟାମ୍ପସକୁ ସ୍ଥାନାନ୍ତର ହେବାର ଦେଢ ମାସ ବିତି ଗଲାଣି ।ହେଲେ ଆହାର କେନ୍ଦ୍ରଟି କିନ୍ତୁ ପୁରୁଣା କ୍ୟାମ୍ପସରୁ ଆଜି ଯାଏଁ ଏଠାକୁ ସ୍ଥାନାନ୍ତର ହୋଇ ପାରିଲାନି । ଡାକ୍ତରଖାନାଟି ସହରଠାରୁ ୪ କିଲୋମିଟର ଦୂରରେ ।  ଡାକ୍ତରଖାନା ଆଖ ପାଖରେ ସେମିତି କିଛି ଖାଇବା ବ୍ୟବସ୍ଥା ନାହିଁ । କ୍ୟାମ୍ପସ ବାହାରେ ଯେଉଁ କେତୋଟି ହାତ ଗଣତି ଅସ୍ଥାୟୀ ହୋଟେଲ ଅଛି ସେମାନେ ଚଢା ଦର ନେଉଛନ୍ତି । ତେଣୁ ଏମିତି ରୋଷେଇ ନକଲେ ଖାଇବେ କଣ ? ଆଉ ସେପଟେ ଡାକ୍ତରଖାନା ସ୍ଥାନାନ୍ତର ପରେ ପୁରୁଣା କ୍ୟାମ୍ପସରେ ଥିବା ଆହାର କେନ୍ଦ୍ରରେ  ପୂର୍ବ ଭଳି ଆଉ ଲୋକଙ୍କ ଭିଡ ବି ହେଉନି। ଡାକ୍ତରଖାନା ମଧ୍ୟରେ ଖୁବ୍ ଶୀଘ୍ର ଆହାର କେନ୍ଦ୍ର ଖୋଲାଯିବ । ଏ ନେଇ ପ୍ରଶାସନ ନିଷ୍ପତ୍ତି ନେଇ ସାରିଛି । କିନ୍ତୁ କେବେ ଏହା ଖୋଲାଯିବ ଏ ନେଇ ତାଙ୍କ ପାଖରେ ନିର୍ଦ୍ଧିଷ୍ଟ ସୂଚନା ନଥିବା କହିଛନ୍ତି ଜୟପୁର ଉପଜିଲ୍ଲାପାଳ । ସେପଟେ ସେହି ଏକା ଢଙ୍ଗରେ  ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଜିଲ୍ଲା  ଚିକିତ୍ସା ଅଧିକାରୀ । ଡାକ୍ତରଖାନା ମଧ୍ୟରେ ଆହାର କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହୋଇ ସାରିଛି । ତେବେ ପୁରୁଣା କ୍ୟାମ୍ପସରୁ ଆହାର କେନ୍ଦ୍ର ଏଠାକୁ ଆଉ ସ୍ଥାନାନ୍ତର ହେବନି ।  ବରଂ ଏଠାରେ ଆଉ ଏକ ନୂଆ ଆହାର କେନ୍ଦ୍ର ଖୋଲାଯିବ । ସେଥି ପାଇଁ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଆହାର କେନ୍ଦ୍ର ଖୋଲା ଯାଇ ପାରୁନଥିବା ସେ କହିଛନ୍ତି। [embed]https://youtu.be/Ls7UGx2-U0Y[/embed] ଗଣ୍ଡେ ଖାଇବାକୁ ରୋଗୀଙ୍କ ସଂପର୍କୀୟ ନାହିଁ ନଥିବା ହଇରାଣ ହେଉଛନ୍ତି । ତେଣୁ ଡାକ୍ତରଖାନା କ୍ୟାମ୍ପସରେ କିପରି ଆହାର କେନ୍ଦ୍ର ଖୋଲା ଯାଇ ପାରିବ ସେଥି ପାଇଁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା  ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.