ଚର୍ଚ୍ଚା: ବିଧାୟକ ପଦରୁ ଇସ୍ତଫାପରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେକି କୃଷ୍ଣଚନ୍ଦ୍ର ସଗରିଆ !

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା । କହୁଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ କାଳେ ସେ ଇସ୍ତଫା ଦେଲେ । କୁନ୍ଦୁଲି କଥା କହି ସଗରିଆ, ବିଜେଡି ଓ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି, ଚର୍ଚ୍ଚା କିନ୍ତୁ ଅଲଗା । ସଗରିଆ ବିଜେପିରେ ମିଶିବାକୁ ଯାଉଥିବା ଆଲୋଚନା ହେଉଛି । ସେପଟେ ସଗରିଆଙ୍କ ଇସ୍ତଫା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪ରେ ପହଞ୍ଚିଛି । ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ପଦ ଆଉ କଂଗ୍ରେସ ପାଖରେ ରହି ନପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ନିଜ ନିର୍ବାଚନ ମଣ୍ଡଳୀର ଜଣେ ଦଳିତ ଝିଅଙ୍କୁ ନ୍ୟାୟ ଦେଇ ନପାରିଥିବାରୁ ବିଧାୟକ ପଦରେ ରହିବାର ତାଙ୍କର ନୈତିକ ଅଧିକାର ନଥିବା ଗଣମାଧ୍ୟମକୁ କହିଛନ୍ତି କୃଷ୍ଣ ସଗରିଆ । ଏବେ ସେ ଗାଁ ଗାଁ ବୁଲି ଦଳିତ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ପାଇଁ ଲଢେଇ କରିବେ ବୋଲି କହୁଛନ୍ତି । ଡିସେମ୍ବର ରେ ଭୁବନେଶ୍ବରରେ ବିଶାଳ ଦଳିତ ସମାବେଶ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ସେପଟେ ପ୍ରସଙ୍ଗ ଉପରେ ତେଢେଇ କି ଉତ୍ତର ଦେଇଛନ୍ତି ତାରା ବାହିନୀପତି । ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ବି କଂଗ୍ରେସରୁ ଇସ୍ତଫା ଦେଇନାହାଁନ୍ତି ସଗରିଆ । ପୁଣି ଇସ୍ତଫା ବାବଦରେ ନା ପିସିସି ସଭାପତିଙ୍କୁ ଜଣାଇଛନ୍ତି ନା ବିରୋଧୀ ଦଳ ନେତାଙ୍କୁ । ସେମାନଙ୍କୁ ଏବାବଦରେ ଜଣାଇବା ଆବଶ୍ୟକ ନଥିବା କହି ଦଳରେ ଏକ ରକମ କମ୍ପନ ସୃଷ୍ଟି କରିଛନ୍ତି । ସେପଟେ ସଗରିଆ କଂଗ୍ରେସରେ ରହିବେ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କୁନ୍ଦୁଲି ଗଣ ଦୁଷ୍କର୍ମ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ବିଜେଡିରେ ମିଶୁ ନାହାନ୍ତି ବୋଲି ସଫା ସଙ୍କେତ ଛାଡ଼ିଛନ୍ତି । ତେବେ ସଗରିଆ, ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସେପଟେ ପିସିସି ସଭାପତିଙ୍କ କହିବା କଥା, ବିଧାୟକ ପଦରୁ ଇସ୍ତଫା ନଦେଇ ବି ସଗରିଆ, କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ଲଢେଇ କରିପାରିଥାନ୍ତେ । ତଥାପି ସଗରିଆଙ୍କୁ ଡାକି ଆଲୋଚନା କରିବାକୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବାଚସ୍ପତି ଏବେ ଭୁବନେଶ୍ବରରେ ନଥିବାରୁ ସଗରିଆ, ତାଙ୍କ ଇସ୍ତଫା ପତ୍ର ଦେଇପାରି ନାହାନ୍ତି । ବାଚସ୍ପତି ତାଙ୍କୁ ତାରିଖ ସମୟ ଦେଇଥିବାରୁ, ସେହିଦିନ ସେ ହାତେହାତେ ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି ସଗରିଆ କିଛିଦିନ ତଳେ କଂଗ୍ରେସର ଅନୁସୂଚିତ ଜନଜାତି ସେଲରୁ ସଗରିଆଙ୍କୁ ହଟାଇ ଦେବା ପରେ ସେ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ସେପଟେ ବିଧାୟକ ପଦରୁ ସଗରିଆଙ୍କ ଇସ୍ତଫା ପରେ ବିଧାନସଭାରେ କଂଗ୍ରେସର ସିଟ୍ ସଂଖ୍ୟା ୧୪କୁ ଖସି ଆସିଛି । ଫଳରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.