ସଙ୍କଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ; କାରୁକାର୍ଯ୍ୟ ପଥର ଚୋରୀ ନେଇ ଥାନାରେ ଏତଲା ଦେଲା କୋଣାର୍କ ସୁରକ୍ଷା ସମିତି
10/11/2018 at 4:35 PM

ପୁରୀ ୧୦|୧୧: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାଧା ପଥର ଲଗାଯିବା ନେଇ ବଢୁଛି ଅସନ୍ତୋଷ । ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ସଙ୍କଟରେ ଥିବା ଅଭିଯୋଗ କରି କୋଣାର୍କ ଥାନାରେ ଏତଲା ଦେଇଛି କୋଣାର୍କ ସୁରକ୍ଷା ସମିତି । କାରୁକାର୍ଯ୍ୟ ହୋଇଥିବା ପଥର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଏହାସହ ଏଏସଆଇ କର୍ମଚାରୀଙ୍କ କାର୍ଯ୍ୟକଳାପ ନେଇ ଏତଲାରେ ଅଭିଯୋଗ ରହିଛି । ଏହାକୁ ନେଇ ଆସନ୍ତା ୧୭ତାରିଖରେ କୋଣାର୍କ ସୁରକ୍ଷା ସମିତି କରିବ ଆନ୍ଦୋଳନ । ମନ୍ଦିର ସମ୍ମୁଖରେ ସମିତି ଧାରଣା ଦେବ ବୋଲି ସମିତି ଚେତାବନୀ ଦେଇଛି । ଧୀରେ ଧୀରେ ଲୋପ ପାଉଛି କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ସଂସ୍କୃତି । ମନ୍ଦିରର କାରୁକାର୍ଯ୍ୟ ହଟାଯାଇ ସାଧାପଥର ଲଗାଯାଉଛି । ଗୋଟିଏ କି ଦୁଇଟି ନୁହେଁ ମୁଖଶାଳାର ୪୦ପ୍ରତିଶତ କାରୁକାର୍ଯ୍ୟ ବଦଳରେ ତା ସ୍ଥାନରେ ସାଧା ପଥର ଖଣ୍ଡ ଲଗାଇଛି ଏଏସଆଇ । ଏହି ଘଟଣା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।
ଭାରତୀୟ ପ୍ରତ୍ନତତ୍ବ ବିଭାଗ ୧୯୩୯ ମସିହାରେ ମନ୍ଦିରକୁ ନିଜ ହାତକୁ ନେଇଥିଲା। ୧୯୮୦ରେ ମନ୍ଦିର ୪ ଦ୍ବାରକୁ ଏଏସଆଇ ବନ୍ଦ କରିଦେଇଥିଲା । ମନ୍ଦିର କାରୁକାର୍ଯ୍ୟ ପଥରକୁ କାଢ଼ି ଦିଆ ଯାଇ ସାଧା ପଥର ଲଗାଇବା ଦ୍ବାରା କଳା, ସଂସ୍କୃତି ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିବାର ଆଶଙ୍କା ରହିଛି । ସ୍ଥିତି ଅତି ଗମ୍ଭୀର ଆଡକୁ ଗତି କରୁଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ବେଫିକର ବୋଲି ଅଭିଯୋଗ ହୋଇଛି ।