ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ସଙ୍କଟରେ ; ଧୀରେ ଧୀରେ ଲୋପ ପାଉଛି ମନ୍ଦିରର କଳା ଓ ସଂସ୍କୃତି

Published By : Prameya-News7 Bureau | November 10, 2018 IST

ପୁରୀ ୧୦|୧୧: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ସଙ୍କଟରେ । ଧୀରେ ଧୀରେ ଲୋପ ପାଉଛି କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ସଂସ୍କୃତି । ମନ୍ଦିରର କାରୁକାର୍ଯ୍ୟ ହଟାଯାଇ ସାଧାପଥର ଲଗାଯାଉଛି । ଫଳରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରୁନାହାଁନ୍ତି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ । ଦିନକୁ ଦିନ ମନ୍ଦିରରେ ଶୋଭାପାଉଥିବା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ସଂଖ୍ୟା କମିବାରେ ଲାଗିଛି । ସୂକ୍ଷ୍ମ କାରୁକାର୍ଯ୍ୟ ହଟାଯାଇ ସାଧା ପଥର ଲଗାଯାଉଛି । ବାର ଶହ ବଢ଼େଇଙ୍କ ନିହାଣ ମୁନରୁ ସୃଷ୍ଟି ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବଡ ଧରଣର ଷଡଯନ୍ତ୍ର ମୁଣ୍ଡ ଟେକିଛି । ଗୋଟିଏ କି ଦୁଇଟି ନୁହେଁ ମୁଖଶାଳାର ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଇ ଦିଆଯାଇଛି । ଏହି ଘଟଣା ଜାଣାପଡିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।   ଏଏସଆଇ ଅଧୀକାରୀଙ୍କ ହାତରେ କୋଣାର୍କ ଭାଗ୍ୟ । ଭାରତୀୟ ପ୍ରତ୍ନତତ୍ବ ବିଭାଗ ୧୯୩୯ ମସିହାରେ ମନ୍ଦିରକୁ ନିଜ ହାତକୁ ନେଇଥିଲା। ୧୯୮୦ରେ ମନ୍ଦିର ୪ ଦ୍ବାରକୁ ଏଏସଆଇ ବନ୍ଦ କରିଦେଇଥିଲା । ମନ୍ଦିର କାରୁକାର୍ଯ୍ୟ ପଥରକୁ କାଢ଼ି ଦିଆ ଯାଇ ସାଧା ପଥର ଲଗାଇବା ଦ୍ବାରା କଳା, ସଂସ୍କୃତି ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିବାର ଆଶଙ୍କା ରହିଛି । ସ୍ଥିତି ଅତି ଗମ୍ଭୀର ଆଡକୁ ଗତି କରୁଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ବେଫିକର । ସେପଟେ ଏଥି ପ୍ରତି ଏସଆଇ ବିଭାଗ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି କୋଣାର୍କ ସୁରକ୍ଷା ସମିତି ଚେତାବନୀ ଦେଇଛି । ଯଦି ଏବେ ଠାରୁ ସରକାର ସତର୍କ ନ ହୁଅନ୍ତି, ତେବେ ଆଗାମୀ ପୀଢ଼ି ବେଳକୁ ସୂର୍ଯ୍ୟ ମନ୍ଦିରର ଅସ୍ତିତ୍ବ ମାଟିରେ ମିଶିଯିବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.