କୋଣାର୍କରୁ ବାଲି ଚୋରି: ବିବାଦରେ ASI, ଥାନାରେ ଏତଲା, ତଥାପି ମନମାନୀ ଚଳାଇଛି କେନ୍ଦ୍ରୀୟ ସଂସ୍ଥା

Published By : Prameya-News7 Bureau | December 10, 2020 IST

ଭୁବନେଶ୍ବର ୧୦/୧୨: ନ୍ୟୁଜ7ରେ ଖବର ପ୍ରସାରଣ ପରେ କୋଣାର୍କ ମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ଖୋଳତାଡ ଆରମ୍ଭ ହୋଇଛି । ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ପରିସରରୁ ଏମିତି ରାତିଅଧିଆ ୪ଶହରୁ ୫ଶହ ଟ୍ରକ ବାଲି ଗାଏବ ହୋଇଗଲା କେମିତି ? ଐତିହାସିକ ଏବଂ ପୌରାଣିକ ମହତ୍ବ ଥିବା ବାଲିବନ୍ତକୁ ଉଭାନ କରିବା ପଛରେ ମୁଖ୍ୟ କାର୍ପଟଦାର କିଏ ?

{"id":375129,"sizeSlug":"large","linkDestination":"none"}

ବାଲି ଚୋରି ଘଟଣା ନେଇ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ଏବଂ କୋଣାର୍କ ସୁରକ୍ଷା ସମିତି କୋଣାର୍କ ଥାନାରେ ASI ବିରୋଧରେ ଏତଲା ଦେଇଛନ୍ତି । ସେପଟେ ଗୋପ ତହସିଲଦାର ସ୍ଥାନୀୟ RIଙ୍କୁ ବାଲି ଚୋରି ଘଟଣାରେ ରିପୋର୍ଟ ତଲବ କରିବା ପରେ ବାଲିବନ୍ତ ସ୍ଥାନରେ ମାପଚୁପ ଏବଂ ଛାନଭିନ୍ ଆରମ୍ଭ ହୋଇଛି ।

ବାଲି ଚୋରି ଘଟଣା ପରେ ASIର ମନମାନି ବିରୋଧରେ ଆହୁରି ଅନେକ ଅଭିଯୋଗ ଆସିଛି । ପୌରାଣିକ ମହତ୍ବ ଯୋଗୁ ଏହି ବାଲିବନ୍ତରେ ନାଗା ସାଧୁମାନେ ଉପାସନା କରୁଥିଲେ । ଏବେ ବାଲିବନ୍ତରୁ କାହା ଆଦେଶରେ ଏତେ ପରିମାଣର ବାଲି ଉଠାଯାଇଛି ସେନେଇ ପ୍ରଶ୍ନର ଉତ୍ତର ଦେବା ବଦଳରେ ASI ସୁପରିଟେଣ୍ଡେଣ୍ଟ ଗଣମାଧ୍ୟମକୁ ଟାଳି ଦେବା ସନ୍ଦେହ ବଢାଇଛି । ପ୍ରତିନିଧିଙ୍କ ସହ ଧସ୍ତାଧସ୍ତି କରିବା ଏବଂ ସିକ୍ୟୁରିଟି ଗାର୍ଡ ଲଗାଇ ତଡ଼ିବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା ।

ପୁଣି ବାଲି ଉଠା ଯାଇଥିବା ସ୍ଥାନରେ ଗେଟକୁ ବନ୍ଦ କରି ଦେଇଛି ASI । କେବଳ ସେତିକି ନୁହେଁ ପବିତ୍ର ବାଲିବନ୍ତକୁ ଅଳିଆଗଦା କହି ASI ସୁପରିଟେଣ୍ଡେଣ୍ଟ ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି । ବାଲି ଗାଏବ ସହ ଅନେକ ପ୍ରାଚୀନ ମୂର୍ତ୍ତିକୁ ମଧ୍ୟ ଗାଏବ କରି ଦିଆଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି । କୋଣାର୍କ ସୁରକ୍ଷା ସମିତି ଏବଂ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ଚେତାବନୀ ଦେଇଛି, କୋଣାର୍କ ପରିସରରୁ ବାଲି ଓ ମୂର୍ତ୍ତି ଚୋରି ଘଟଣାରେ ତଦନ୍ତ ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.