ଅଭିଜିତ ଆୟର ମିତ୍ରଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କୋଣାର୍କ ପୋଲିସ; ଘାଣ୍ଟିପାରେ ଜାଣିବାକୁ କିଏ ପ୍ରବର୍ତ୍ତାଇଥିଲା ଏମିତି କରିବାକୁ

Published By : Prameya-News7 Bureau | October 25, 2018 IST

ଭୁବନେଶ୍ବର ୨୫|୧୦: କୋଣାର୍କ ପୋଲିସ ରିମାଣ୍ଡରେ ଅଭିଜିତ ଆୟାର୍ ମିତ୍ର । ୪ ରିମାଣ୍ଡରେ ନେଇ ପଚରା ଉଚରା କରିବ ପୋଲିସ୍ । କେଉଁ ପରିସ୍ଥିତିରେ ଏବଂ କାହା ପ୍ରରୋଚନାରେ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଲେ, ସେନେଇ ଅଭିଜିତଙ୍କୁ ଜେରା କରିବ କୋଣାର୍କ ପୋଲିସ । ସେପଟେ ଅଭିଜିତଙ୍କ ଜାମିନ ପାଇଁ ଓଡିଶା କୌଣସି ଓକିଲ କେସ୍ ଲଢିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ପ୍ରଥମେ ସରେଣ୍ଡର୍, ତା ପରେ ଗିରଫ ହୋଇଝାରପଡା ଜେଲର ସେଲ ନମ୍ବର ୧୭ରେ ଥିଲେ ଅଭିଜିତ । ଦୁଇ ଦିନ, ଦୁଇ ରାତି ଜେଲରେ ରହିବା ପରେ ଏବେ ପୋଲିସ ଜେରାର ସାମ୍ନା କରିବେ ବୈଜୟନ୍ତଙ୍କ ଅଣ ଓଡ଼ିଆ ବନ୍ଧୁ । ଅଭିଜିତଙ୍କୁ ରିମାଣ୍ଡରେ ନେବାକୁ କୋଣାର୍କ ଥାନା ପୋଲିସ ଖୋର୍ଦ୍ଧା ଜେଏମଏଫସି କୋର୍ଟରେ ଆବେଦନ କରିଥିଲା । ଗତକାଲି କୋର୍ଟ ୪ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଆଉ ଆଜି ଅନୁମତି ପତ୍ର ଧରି ଝାରପଡ଼ା ଜେଲରେ ପହଞ୍ଚିଥିଲେ କୋଣାର୍କ ଥାନା ଆଇଆଇସି ସଞ୍ଜୀବ ପ୍ରଧାନଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ।ଜେଲ ଭିତରେ କିଛି ସମୟ ପଚରାଉଚରା ପରେ ରିମାଣ୍ଡରେ ନେଇଛନ୍ତି । କେଉଁ ପରିସ୍ଥିତିରେ, ପୁଣି କାହା ପ୍ରରୋଚନାରେ ଅଭିଜିତ କୋଣାର୍କ ଉପରେ ହେଲିକପ୍ଟରରେ ଉଡିଲେ, କାହିଁକି ସେ ଓଡ଼ିଶାର ଐତିହ୍ୟ ସୂର୍ଯ୍ୟ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଲେ ?  ଏମିତି ଅନେକ ପ୍ରଶ୍ନ ସହ ଅଭିଜିତଙ୍କୁ ଜେରା କରିବ କୋଣାର୍କ ପୋଲିସ । ସେପ୍ଟେମ୍ବର ୧୫ ତାରିଖରେ କୋଣାର୍କ ମନ୍ଦିର ପରିସରରେ ଠିଆ ହୋଇ କୋଣାର୍କ ମନ୍ଦିର ସମ୍ପର୍କରେ ଏକ ଅରୁଚିକର ମନ୍ତବ୍ୟ ସୁଟ୍‌ କରି ଟ୍ବିଟରରେ ଅପଲୋଡ କରିଥିଲେ ଅଭିଜିତ ଆୟାର ମିତ୍ର । ଏହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା । ପରେ ପରେ ଅଭିଜିତଙ୍କ ଏକ ବର୍ଷେ ତଳର ଟ୍ବିଟ୍ ନେଇ ପୁଣି ଉଠିଥିଲା ଝଡ । ବର୍ଷେ ତଳର ଏହି ଟ୍ବିଟରେ ଅଭିଜିତ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଦର୍ଶାଇବା ସହ ତାଙ୍କୁ ଓଡିଆମାନେ ଚୋରୀ କରିଆଣିଛନ୍ତି ବୋଲି ଲେଖିଥିଲେ । ସେହିଭଳି ଓରି ଶାଲା ବୋଲି ବଂଗାଳୀମାନଙ୍କ ଗାଳିରୁ ଓଡିଶା ରାଜ୍ୟର ନାମ ହୋଇଛି ବୋଲି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ପରେ ନୂଆଦିଲ୍ଲୀଠାରେ ନ୍ୟୁଜ୍ -୭କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବାବେଳେ ଅଭିଜିତ ଓଡିଶା ବିଧାନସଭା ସଦସ୍ୟଙ୍କୁ ବୁଦ୍ଦୁ ବୋଲି କହି ଅଧିକ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ ହୋଇଥିଲା । କମିଟିରେ ହାଜର ହେବା ପାଇଁ ଅଭିଜିତଙ୍କୁ ସମନ ଜାରି କରାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ଅଭିଜିତ ଗୃହ କମିଟିରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ସେ ହାଉସକମିଟିରୁ ପଦାକୁ ଆସିବାମାତ୍ରେ କୋଣାର୍କ ପୋଲିସ ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଆବେଦନକୁ ଖାରଜ କରି କୋଣାର୍କ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଏଭଳି ମନ୍ତବ୍ୟ ପାଇଁ ଅଭିଜିତଙ୍କୁ ସୁପ୍ରମିକୋର୍ଟ ଭତ୍ସନା ମଧ୍ୟ କରିଥିଲେ । ଅଭିଜିତଙ୍କ ପାଇଁ ଜେଲ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.