ଉଦ୍‌ଯାପିତ ହୋଇଛି କୋଣାର୍କ ନୃତ୍ୟୋତ୍ସବ ୨୦୧୮

Published By : Prameya-News7 Bureau | December 06, 2018 IST

କୋଣାର୍କ ୦୬|୧୨: ଉଦଯାପିତ ହୋଇଛି କୋଣାର୍କ ମହୋତ୍ସବ-୨୦୧୮ । ଶେଷ ସଂଧ୍ୟାରେ ଗୁଜୁରାଟ ଅହମଦ୍ଦାବାଦର କଦମ୍ବ ଅନୁଷ୍ଠାନର କଥକ ନୃତ୍ୟ ଦର୍ଶକ ଓ ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନୃତ୍ୟାଙ୍ଗନା କୁମୁଦିନି ଲାଖିଆ ଏବଂ ତାଙ୍କ ସାଥୀ କଳାକାର ଦୁର୍ଗା ସ୍ତୁତି ପରିବେଷଣ କରିଥିଲେ । ପରେ ପରେ ଭଜନ ବଦରିଆ ସାୱନ କି ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଦ୍ବିତୀୟ ଭାଗରେ ପଦ୍ମଶ୍ରୀ ରଞ୍ଜନ ଗୌହର ଓ ସାଥୀ କଳାକାରମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନୃତ୍ୟନାଟିକା ମତ୍ସ୍ୟ ଅବତାର ମଞ୍ଚସ୍ଥ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଉଦଯାପନୀ ସଂଧ୍ୟାକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହା ସହ ରଙ୍ଗମଞ୍ଚରେ ପରିବେଶିତ ଶାସ୍ତ୍ରୀୟ ନୃତ୍ୟକୁ ଉପଭୋଗ କରିଥିଲେ । ଉଦଯାପନୀ ସଂଧ୍ୟାରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ବେଶ୍ ଗହଳି ହୋଇଥିଲା । ଚନ୍ଦ୍ରଭାଗା ବେଳଭୂମୀରେ ବାଲୁକା ଶିଳ୍ପୀମାନେ ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ବ ଦରବାରରେ ପରିଚିତ କରାଇଥିଲେ । ବାଲୁକା କଳା ମାଧ୍ୟମରେ ରଜ ଦୋଳି, ମାଣବସା ଗୁରବାର ଭଳି ଓଡିଆ ପର୍ବର ଦୃଶ୍ୟପଟକୁ ସ୍ଥାନିତ କରାଯାଇଥିଲା । ଦେଶ ବିଦେଶରୁ ଭାଗ ନେଇଥିବା ୧୦୬ ଜଣ ପ୍ରତିଯୋଗୀ ବିଶ୍ବର ସବୁ ଐତିହ୍ୟ, ସପ୍ତାଶ୍ଚର୍ଯ୍ୟକୁ ପ୍ରଦର୍ଶିତ କରିଥିଲେ। ଯାହା ଦେଖଣାହାରିଙ୍କୁ ବିମୁଗ୍ଧ କରିଥିଲା । ମୁକ୍ତାକାଶ ରଂଗମଞ୍ଚରେ ସମସ୍ତ ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ଦେଇଥିଲେ ରାଜ୍ୟପାଳ । ମୁକ୍ତକାଶ ରଙ୍ଗମଞ୍ଚରେ ୫ ଦିନ ଧରି ଚାଲିଥିବା ନୃତ୍ୟତ୍ସୋବ ଶେଷ ହୋଇଛି । ଚଳିତ ବର୍ଷ ଓଡ଼ିଶାରେ ହକି ବିଶ୍ବ କପ ଚାଲୁଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.