ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୋଲକାତା ମିଠା ଦୋକାନୀଙ୍କ ଅପିଲ୍, ସମ୍ଭବ ନୁହେଁ ନୂତନ ଆଇନ ପାଳନ କରିବା, ଏହା ଆମ ପାଇଁ ବିନାଶକାରୀ

Published By : Prameya-News7 Bureau | September 28, 2020 IST

କୋଲକାତା ୨୮।୦୯: ପଶ୍ଚିମବଙ୍ଗର ମିଠା ଦୋକାନୀ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ(FSSAI) ପକ୍ଷରୁ ଜାରି ନିର୍ଦ୍ଦେଶକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ମିଠା ଦୋକାନୀ ସଂଘ କହିଛନ୍ତି FSSAIର ନୂତନ ନିର୍ଦ୍ଦେଶ ଛୋଟ ଓ ମଧ୍ୟମ ବର୍ଗର ମିଠା ଦୋକାନୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବ। ଉଲ୍ଲେଖନୀୟ ଏଫଏସଏସଏଆଇର ନୂତନ ନିର୍ଦ୍ଦେଶ ଅନୁଯାୟୀ ମିଠା ଦୋକାନୀ ଏବେ ବାସି ମିଠା ବିକି ପାରିବେ ନାହିଁ। ଦୋକାନୀ ଏବେ ପ୍ୟାକେଟ୍‌ ବନ୍ଦ ସାମଗ୍ରୀ ପରି ମିଠା ପ୍ୟାକିଂରେ ବେଷ୍ଟ ବିଫୋର ୟୁଜ୍‌ର ତାରିଖ ମଧ୍ୟ ଲେଖିବେ। ସେମାନେ ଜଣାଇବେ ଯେ ମିଠା କେତେ ଦିନ ପର୍ଯ୍ୟନ୍ତ ଖାଇବା ଯୋଗ୍ୟ ଏବଂ ସୁରକ୍ଷିତ ରହି ପାରିବ। ଗୋଟିଏ ଅର୍ଥରେ କହିବାକୁ ଗଲେ ମିଠା ଦୋକାନୀ ଏବେ ଆଉ ବାସି ମିଠା ବିକି ପାରିବେ ନାହିଁ।

ଏଫଏସଏସଏଆଇର ନୂତନ ନିୟମକୁ ନେଇ ଅଲ ଓ୍ଵେଷ୍ଟ ବେଙ୍ଗଲ ସୁଇଟ୍ ମ୍ୟାନୁଫେକଚର୍ସର ଯୁଗ୍ମ ସଚିବ ଅସିତ ପାଲ କହିଛନ୍ତି ସହରାଞ୍ଚଳ ଓ ଟାଉନ୍‌ରେ ଛୋଟ ଏବଂ ମଧ୍ୟମ ଦୋକାନ ପାଇଁ ଏହା ବଡ ଅସୁବିଧା ସୃଷ୍ଟି କରିପାରେ। କାରଣ ପଶ୍ଚିମବଙ୍ଗରେ ରିଟେଲ୍ ମିଠା ଉଦ୍ୟୋଗର ପ୍ରାୟ ୨୦୦୦ କୋଟି ଟଙ୍କାର ବେପାର ରହିଛି। ସଙ୍ଘ କହିଛି ଛୋଟ ଦୋକାନରେ ପ୍ରତି ଦିନ ପ୍ରାୟ ୨୦ ରୁ ୩୦ ପ୍ରକାରର ମିଠା ତିଆରି ହେଉଥିବା ବେଳେ ବଡ ଦୋକାନା ପାଇଁ ୧୦୦ ପ୍ରକାର ମିଠା ପ୍ରସ୍ତୁତ ହୁଏ।

ପାଲ୍ କହିଛନ୍ତି ଏମିତି ପ୍ରତ୍ୟେକ ମିଠାର ଟ୍ରେରେ ଏକ ଟ୍ୟାବ୍‌ କେମିତି ରଖାଯିବ ଯେଉଁଥିରେ ବେଷ୍ଟ ବିଫୋର ୟୁଜ୍ ଉଲ୍ଲେଖ ରହିବ। ଲେଖିବାକୁ ଏତେ ସମୟ କାହିଁ ଆମ ପାଖରେ। ସଂଘ କହିଛି ମିଠା ଶିଳ୍ପରେ ପୂର୍ବରୁ ଲୋକଙ୍କ ସଂଖ୍ୟା କମ ରହିଛି। ଏହି କାମ ପାଇଁ ପାଠପଢା ଲୋକ ଦରକାର। ମିଠା ଦୋକାନରେ ସବୁ ଶ୍ରମିକ ଏହି କାମ କରି ପାରିବେ ନାହିଁ। ଏଥିପାଇଁ ଆମକୁ ଜଣେ କି ଦୁଇ ଜଣ ଶିକ୍ଷିତ ଲୋକଙ୍କ ଆବଶ୍ୟକତା  ରହିଛି।

ବଙ୍ଗାଳି ମିଠା ଅଧିକାଂଶ କ୍ଷୀର ଓ ଛେନାରେ ପ୍ରସ୍ତୁତ ହୁଏ, ଯାହା କେବଳ ରାଜ୍ୟରେ ନୁହେଁ ପୂରା ଦେଶରେ ବହୁତ ଲୋକପ୍ରିୟ।  ଆସୋସିଏସନ ଅନୁଯାୟୀ ପଶ୍ଚିମବଙ୍ଗରେ ପ୍ରାୟ ୧.୫ ଲକ୍ଷ ସ୍ଵିଟେମ ନିର୍ମାତା ଓ ଦୋକାନ ରହିଛି। ସଂଘ କହିଛି ଆମେ ଏହି ନିୟମ ପାଳନ କରିବାକୁ ରାଜି ହେଲେ ଏଥିରେ କିଛିଟା କୋହଳ ଦରକାର। ଏହି ନୂତନ ନିୟମ ବଡ ବ୍ରାଣ୍ଡ ଓ ବ୍ୟବସାୟୀଙ୍କ ପାଇଁ ଉପଯୁକ୍ତ ହୋଇପାରେ ମାତ୍ର ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ବିନାଶକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.