ପ୍ରଥମ ପିଙ୍କ ବଲ ଟେଷ୍ଟମ୍ୟାଚ୍: ଜାଣନ୍ତୁ କିପରି ରହିଛି କୋଲକାତା ଇଡେନ ଗାର୍ଡନର ପ୍ରସ୍ତୁତି

Published By : Prameya-News7 Bureau | November 21, 2019 IST

କୋଲକାତା : ଏବେ କୋଲକାତା ଗୋଲାପୀ ରଙ୍ଗରେ ରଙ୍ଗୀନ ।  ଦେଶରେ ପ୍ରଥମଥର କୋଲକାତାରେ ଅନୁଷ୍ଠିତ ହେବ ପିଙ୍କ ବଲ ଟେଷ୍ଟମ୍ୟାଚ୍।  ଏଥିଲାଗି ପଶ୍ଚିମବଙ୍ଗ ରାଜଧାନୀରେ ଏବେ ସୃଷ୍ଟି ହୋଇଛି ଉତ୍ସବର ପରିବେଶ। ଲୋକେ କ୍ରିକେଟ୍ ମ୍ୟାଚ୍ କୁ ନେଇ ଏତେମାତ୍ରାରେ ଉତ୍ସାହିତ ଯେ ଏବେ ବଜାରରେ ଗୋଲାପୀ ରଙ୍ଗର ମିଠା ବି ମିଳିଲାଣି। 

{"id":187757,"width":577,"height":380,"sizeSlug":"large"}

ଭାରତୀୟ କ୍ରିକେଟ ଏବେ ଗୋଲାପୀ ରଙ୍ଗରେ ରଙ୍ଗୀନ ହେବାକୁଯାଉଛି।  ବାଂଲାଦେଶ ବିପକ୍ଷରେ ଶୁକ୍ରବାରଠାରୁ ଇଡେନ ଗାର୍ଡନରେ ଆରମ୍ଭ ହେବ ଡେ ଏଣ୍ଡ ନାଇଟ୍ ଟେଷ୍ଟମ୍ୟାଚ୍ । ଏଥିରେ  ପିଙ୍କ ବଲରେ ଖେଳିବେ ଉଭୟ ଟିମ୍। ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଯୋଗୁ ବିସିସିଆଇ ଏହି ଟେଷ୍ଟ ମ୍ୟାଚ୍ ଖେଳିବା ଲାଗି ଅନୁମତି ଦେଇଛନ୍ତି।

{"id":187758,"sizeSlug":"large"}

ତେବେ ପିଙ୍କ ବଲ ମ୍ୟାଚ୍ ଲାଗି ଅନେକ ଦିନରୁ ଅନୁମତି ମିଳିଛି। ହେଲେ ଏପର୍ଯ୍ୟନ୍ତ ଏହାକୁ ଦେଶରେ କାର୍ଯ୍ୟକାରୀ କରାଯାଇନଥିଲା। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍ ପ୍ରତି  କ୍ରିଡାପ୍ରେମୀଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ସୌରଭ ଗାଙ୍ଗୁଲୀ ଦେଶରେ ପ୍ରଥମଥର ପିଙ୍କବଲ ଟେଷ୍ଟ ଆୟୋଜନ କରିବାକୁ ଯାଉଛନ୍ତି।  ଏଥିଲାଗି ସୌରଭ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ବି ରାଜି କରାଇଛନ୍ତି। ବିଶ୍ୱରେ ଏପର୍ଯ୍ୟନ୍ତ ମାତ୍ର ୧୧ଟି ଡେ-ନାଇଟ୍ ଟେଷ୍ଟ ଖେଳାଗଲାଣି। ୪ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମଥର ଡେ ନାଇଟ୍ ପିଙ୍କବଲ ଟେଷ୍ଟମ୍ୟାଚ୍ ଖେଳାଯାଇଥିଲା।

{"id":187759,"sizeSlug":"large"}

ତେବେ ଭାରତରେ ପିଙ୍କବଲ ଟେଷ୍ଟ ମ୍ୟାଚ୍ କୁ ନେଇ ବେଶ୍ ଉତ୍ସାହ ଦେଖାଯାଇଛି। ପ୍ରଥମ ୪ ଦିନର ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିବା ବେଳେ ବେଙ୍ଗଲ କ୍ରିକେଟ୍ ଆସୋସିଏସନ ଏହି ମ୍ୟାଚ୍ କୁ ଏକ ମେଳା ଶୈଳୀରେ ଆୟୋଜନ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ଏଣୁ ମ୍ୟାଚ୍ ନିମନ୍ତେ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଆମନ୍ତ୍ରିତ ହୋଇଛନ୍ତି। ଏଥିରେ ବାଂଲାଦେଶ ପ୍ରଧାନମନ୍ତ୍ରୀ  ଶେଖ ହସୀନା ମଧ୍ୟ ଯୋଗଦେଇପାରନ୍ତି ବୋଲି ଆଶା କରାଯାଉଛି। କିଛି ଭାରତୀୟ କ୍ରିକେଟର ପିଙ୍କବଲରେ ଖେଳିଛନ୍ତି। ହେଲେ ବାଂଲାଦେଶ ଲାଗି ଏପରି ବଲରେ ମ୍ୟାଚ୍ ସମ୍ପୂର୍ଣ୍ଣ ନୂଆ। ଅତୀତରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ପିଙ୍କବଲ ମ୍ୟାଚ୍ ଲାଗି ଅରାଜୀ ହୋଇଥିବାର ବି ନଜିର ଅଛି।

{"id":187760,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.