କୋଲକାତାକୁ ସାହା ହେଲେ ପାଟ୍ କମିନ୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ୧୪୯ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

Published By : Prameya-News7 Bureau | October 16, 2020 IST

ଆବୁଧାବି ୧୬।୧୦: ଅଧିନାୟକ ପରିବର୍ତ୍ତନ ହେଲେ ମଧ୍ୟ କୋଲକାତା ନାଇଟ୍‌ ରାଇଡର୍ସର ବ୍ୟାଟିଂରେ ଥିବା ସମସ୍ୟା ସୁଧୁରି ନାହିଁ। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଶେଷ ଆଡକୁ ପାଟ କମିନ୍ସଙ୍କ ଅପରାଜିତ ଲଢୁଆ ଅର୍ଦ୍ଧଶତକ ବଳରେ ୫ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଛି। କମିନ୍ସ ୫୩ ରନ କରିଥିବା ବେଳେ  ଅଧିନାୟକ ଇଅନ ମୋର୍ଗାନ ୩୯ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଯିବା ପାଇଁ ମୁମ୍ବାଇ ସମ୍ମୁଖରେ ୧୪୯ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କୋଲକାତା ନାଇଟ୍ ରାଇଡର୍ସର ଆରମ୍ଭ ନିରାଶଜନକ ଥିଲା। ଦଳ ୧୮ ରନ ସ୍କୋରରେ ରାହୁଲ ତ୍ରିପାଠୀ(୫ ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଥରେ ବିଫଳ ହୋଇ ନୀତିଶ ରାଣା ମାତ୍ର ୫ ରନ କରି ବିଦାୟ ନେଇଥିଲେ। ୪୩ ରନ ସ୍କୋରରେ ଶୁଭମାନ ଗିଲ୍ ୨୩ ବଲରୁ ୨ ଚୌକା ସହ ୨୧ ରନ କରି ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଅଧିନାୟକ ପଦ ଛାଡିଥିଲେ ମଧ୍ୟ ଦିନେଶ କାର୍ତ୍ତିକ ଖରାପ ପ୍ରଦର୍ଶନ ଜାରି ରଖି ମାତ୍ର ୪ ରନ କରି ରାହୁଲ ଚହରଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ଆନ୍ଦ୍ରେ ରସେଲ ଚଳିତ ସଂସ୍କରଣରେ ନିଜର ଦୁର୍ବଳ ଫର୍ମ ଜାରି ରଖି ୧୨ ରନ କରି ପାଭିଲିୟନ ଫେରିଥିଲେ।

{"id":345674,"sizeSlug":"large"}

୧୦.୪ ଓଭରରେ ୬୧ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା କୋଲକାତା ନାଇଟ୍ ରାଇଡର୍ସର ଇନିଂସକୁ ଅଧିନାୟକ ଇଅନ ମୋର୍ଗାନ ଓ ପାଟ୍ କମିନ୍ସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଧୈର୍ଯ୍ୟ ଓ ସଂଯମତାର ସହ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ମୁମ୍ବାଇ ବୋଲରଙ୍କ ମୁକାବିଲା କରି ଅବିଭାବିତ ଷଷ୍ଠ ଓ୍ଵିକେଟ୍‌ରେ ୮୭ ରନ ଯୋଡିଥିଲେ। ଫଳରେ କୋଲକାତା ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୮ ରନର ସମ୍ମାନଜକ ସ୍କୋର କରିବାରେ ସକ୍ଷମ ହୋଇଛି। ପାଟ୍ କମିନ୍ସ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି ୩୬ ବଲରୁ ୫ ଚୌକା ଓ ୨ ଛକା ସହ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ମୋର୍ଗାନ ୩୯ ରନ କରି କ୍ରିଜରେ ଥିଲେ।

ମୁମ୍ବାଇ ପକ୍ଷରୁ ରାହୁଲ ଚହର ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା ଓ ନାଥନ କୁଲଟର ନାଇଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.