ଯାଜପୁରର ୫ ସଂକ୍ରମିତଙ୍କ କୋଲକାତା ଲିଙ୍କ୍: ସେମାନଙ୍କ ଗାଁ ସହ ପଞ୍ଚାୟତ ହୋଇପାରେ କଣ୍ଟେନମେଣ୍ଟ୍ ଜୋନ୍, କଣ୍ଟାକ୍ଟ ଟ୍ରେସିଂ ଜାରି
20/04/2020 at 7:12 PM

ଯାଜପୁର୨୦/୪: ରାଜ୍ୟରେ ୭୧, ୭୨, ୭୩ ଏବଂ ୭୪ ତମ କରୋନା ସଂକ୍ରମିତଙ୍କ ତାଲିକାରେ ଅଛନ୍ତି ଯାଜପୁରର ୫ ଜଣ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସୋମବାର ଅର୍ଥାତ ଗୋଟିଏ ଦିନରେ ୧୩ ଜଣ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଁଞ୍ଚିଛନ୍ତି। ସୋମବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରରେ ୫ ଜଣ ରହିଛନ୍ତି। ଏହି ୫ ଜଣ ସଂକ୍ରମିତଙ୍କ ରହିଛି କୋଲକାତା ଲିଙ୍କ୍। ଯାଜପୁରରେ ଏକକାଳୀନ ୫ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଲାଗି ଏକ ଚ୍ୟାଲେଞ୍ଜ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।
ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ କରୋନା ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ କୋରେଇ ବ୍ଲକର ମକନ୍ଦପୁରରେ ଜଣେ, ଯାଜପୁର ସଦର ବ୍ଲକର ବେହେରା ପଟଣା, ମାର୍କଣ୍ଡପୁରର ଜଳପୁର ଏବଂ ବାସୁଦେବପୁର ମିଶାଇ ମୋଟ୍ ୩ ଜଣ ଏବଂ ଦଶରଥପୁର ବ୍ଲକର ବିରଜାପୁରରେ ଜଣେ ରହିଛନ୍ତି। ଏହି ପାଞ୍ଚ ଜଣ ଗତ ୨୮/୨୯ ତାରିଖ ଭିତରେ କୋଲକାତାରୁ ଫେରିଥିଲେ। ସେମାନେ ସେଲ୍ଫ କ୍ବାରେନଣ୍ଟାଇନ୍ରେ ରହିଥିଲେ। ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରିବା ଲାଗି ପଠାଯାଇଥିଲା। ଆଜି ୫ ଜଣଙ୍କ ନମୁନା ପଜିଟିଭ୍ ଆସିବା ପରେ ଏବେ ସଂପୃକ୍ତ ଅଞ୍ଚଳ କିମ୍ବା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଉଥିବା ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହାସହ ଏହି ପାଞ୍ଚଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜିବାରେ ଜିଲ୍ଲା ପ୍ରାଶାସନ ଲାଗିପଡିଛନ୍ତି।
ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବା ସହ ସାଇନିଟାଇଜ କରାଯିବ। ଏପରି କି ଦେଶର ଅନ୍ୟପ୍ରାନ୍ତରୁ ଆସିଥିବା ବ୍ୟକ୍ତି ନଜ ଆଡ଼ୁ କହିବା ଉଚିତ୍ ବୋଲି ଜିଲ୍ଲାପାଳ କହିଛନ୍ତି। ଯାଜପୁରରେ ଚିହ୍ନଟ ସଂକ୍ରମିତ ସମସ୍ତେ ପୁରୁଷ। ସେମାନଙ୍କ ବୟସ ଯାଥକ୍ରମେ, ୨୮, ୩୨, ୫୦, ୫୮ ଏବଂ ୬୪ ବର୍ଷ। ଏହା ପୂର୍ବରୁ ଯାଜପୁରରେ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଯାଜପୁରରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଞ୍ଚିଛି।