ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ

Published By : Prameya-News7 Bureau | September 20, 2021 IST

ଆବୁଧାବି ୨୦।୦୯: ଆଇପିଏଲ ୨୦୨୧ର ୩୧ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଶୋଚନୀୟ ଭାବେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ। କେକେଆର ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ବିରାଟ କୋହଲିଙ୍କ ଆରସିବି। ସେପଟେ କୋଲକାତା ବୋଲରଙ୍କ ପରେ ବ୍ୟାଟସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୯ ଓ୍ଵିକେଟ୍‌ରେ ବଡ  ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇ ୧୯ ଓଭରରେ ୯୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ କୋଲକାତା ୧୦ ଓଭରରେ ୧ ଓ୍ଵିକେଟ୍ ହରାଇ ୯୪  ରନ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁଭମାନ ଗିଲ୍ ୪୮ ରନ କରି ଏକମାତ୍ର ବ୍ୟାଟସମାନ ଭାବେ ଆଉଟ୍ ହୋଇଥିଲେ। ପଦାର୍ପଣ କରିଥିବା ଭେଙ୍କଟେଶ ଆୟର ୪୧ ରନ କରି ଅପରାଜିତ ଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୯ ରନ ଦେଇ ୩ ଏବଂ  ବରୁଣ ଚକ୍ରବର୍ତ୍ତୀ ୧୩ ରନ ଦେଇ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୯୩ ରନର  ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକାତାର ଦୁଇ ଓପନର ଶୁବମାନ ଗିଲ୍ ଓ ପଦାର୍ପଣ କରିଥିବା ଭେଙ୍କଟେଶ ଆୟର  ବିସ୍ଫୋରକ  ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୯.୧ ଓଭରରେ ୮୨ ରନ ଯୋଡି ଦଳକୁ ଏକ ତରଫା ବିଜୟ ଦେଇଛନ୍ତି। ଶୁବମାନ ଗିଲ୍ ୩୪ ବଲରୁ ୬ ଚୌକା ଓ ୧ ଛକା ସହ ୪୮ ରନ କରି ଆଉଟ୍ ହୋଇଥିଲେ। ଆୟର ୨୭ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୪୧ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଦଳ ୧୦ ଓଭରରେ ଏକ ମାତ୍ର ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଆରସିବି ୮ଟି ମ୍ୟାଚ୍‌ରୁ ତୃତୀୟ ପରାଜୟ ଭୋଗିଥିବା ବେଳେ କେକେଆର ସମାନ ୮ଟି ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମକୁ ଉଠିଛି।

ପ୍ରଥମେ ବ୍ୟାଟିଂ କରିଥିବା ଆରସିବିର ଚାରି ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଦଳ  କୋଲକାତାର ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲଙ୍କ ବୋଲିଂର ସମ୍ମୁଖୀନ ହୋଇ ନପାରି ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଦେବଦତ୍ତ ପାଡିକଲ(୨୨) ସର୍ବାଧିକ ସ୍କୋରର ଥିଲେ। ଶ୍ରୀକର ଭରତ ୧୬ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୦ ରନ କରିଥିଲେ। ଅଧିନାୟକ ବିରାଟ କୋହଲି(୫ ରନ) କରିଥିବା ବେଳେ ଏବି ଡିଭିଲିୟର୍ସ ଖାତା ଖୋଲି ପାରିନଥିଲେ। ସଚିନ ବେବି(୭ ରନ), ଓ୍ଵାନିନ୍ଦୁ ହସରଙ୍ଗା(୦) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ହର୍ଷଲ ପଟେଲ୍ ୧୨ ରନ କରିଥିଲେ। ଶେଷରେ ଦଳ ୧୯ ଓଭରରେ ୯୨ ରନରେ ଅଲଆଉଟ୍ ହୋଇଥିଲା। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୯ ରନ ଦେଇ ୩ ଏବଂ  ବରୁଣ ଚକ୍ରବର୍ତ୍ତୀ ୧୩ ରନ ଦେଇ ୩ ଓ୍ଵିକେଟ୍ ନେଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.