ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ମାତ୍ ଦେଲା କେକେଆର, ତୃତୀୟ ଥର ଆଇପିଏଲ ଫାଇନାଲ୍‌ରେ ପ୍ରବେଶ

Published By : Prameya-News7 Bureau | October 13, 2021 IST

ସାରଜା ୧୩।୧୦: ବୋଲରଙ୍କ ଶାଣିତ  ବୋଲିଂ ପରେ ଦୁଇ ଓପନର ଭେଙ୍କଟେଶ ଆୟର ଓ ଶୁଭମାନ ଗିଲଙ୍କ ଦମଦାର  ବ୍ୟାଟିଂ ପରେ ଲାଗୁଥିଲା କୋଲକାତା ନାଇଟ୍ ରାଇଡର୍ସ ସହଜରେ ବିଜୟ ହାସଲ କରିବ। ହେଲେ ଶେଷ ୪ ଓଭରରେ ୫ ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। କ୍ରିକେଟ୍ ପ୍ରଶଂସକଙ୍କ ନିଃଶ୍ଵାସ ଅଟକି ଯାଇଥିଲା। ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ଶେଷ ଓଭରରେ ୭ ରନ ଦରକାର ଥିବା ବେଳେ ରାହୁଲ ତ୍ରିପାଠୀ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଦିଲ୍ଲୀକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରି ଆଇପିଏଲ ୨୦୨୧ର ଫାଇନାଲ୍‌ରେ ପ୍ରବେଶ କରିଛି କୋଲକାତା। ଦଳ ତୃତୀୟ ଥର ଫାଇନାଲ୍‌ରେ ପ୍ରବେଶ କରିଛି। 

କୋଲକାତା ଶେଷ ଥର ଆଇପିଏଲ ୨୦୧୪ରେ ଫାଇନାଲରେ ପ୍ରବେଶ  କରିଥିଲା। ଅନ୍ୟପଟେ ଅଙ୍କ ତାଲିକାର ଶୀର୍ଷରେ ଥିବା ଦିଲ୍ଲୀ ଦୁଇଟି ଯାକ କ୍ଵାଲିଫାୟର ମ୍ୟାଚ୍‌  ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏବେ ଆଇପିଏଲ ୨୦୨୧ରେ ଟାଇଟଲ୍ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ୧୫ ତାରିଖ ଖେଳାଯିବ। ଉଭୟ ଦଳ ଦ୍ଵିତୀୟ ଥର ଫାଇନାଲ୍‌ରେ ପରସ୍ପରକୁ ଭେଟିବେ। ଶେଷ ଥର ଚେନ୍ନାଇ ଓ କୋଲକାତା ଆଇପିଏଲ ୨୦୧୨ରେ ମୁହାଁମୁହଁ  ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା। ଦଳ ପକ୍ଷରୁ ଶିଖର ଧାଓ୍ଵନ ସର୍ବାଧିକ ୩୬ ରନ କରିଥିଲେ, କିନ୍ତୁ ତା ପୁଣି ୩୯ ବଲ୍‌ରୁ। ଶ୍ରେୟସ ଆୟର ଅପରାଜିତ ୩୦ ରନ କରିବାରୁ ଦିଲ୍ଲୀ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା।  କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ଵିକେଟ୍ ନେଇଛନ୍ତି। ଜବାବରେ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ୫୫ ରନ ଏବଂ ଶୁଭମାନ ଗିଲ୍‌ଙ୍କ ୪୬ ରନ  ବଳରେ କୋଲକାତା ୧୯.୫ ଓଭରରେ ୭ ଓ୍ଵିକେଟ୍ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀକୁ ନିରାଶର ସହ ଆଇପିଏଲ ୨୦୨୧ରୁ ବିଦାୟ ନେବାକୁ ପଡିଛି। ଦଳ ପ୍ରଥମ କ୍ଵାଲିଫାୟରରେ ଚେନ୍ନାଇଠୁ ହାରିଥିବା ବେଳେ ଦ୍ଵିତୀୟ କ୍ଵାଲିଫାୟରରେ ମଧ୍ୟ ପରାଜୟତ ମୁହଁ ଦେଖିବାକୁ ପଡିଛି।

୧୩୬ ରନର  ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାର ଦୁଇ ଓପନର ଭେଙ୍କଟେଶ ଆୟର ଓ ଶୁବମାନ ଗିଲଙ୍କ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଭେଙ୍କଟେଶ ଚୌକା ଓ ଛକା ମାରି ଦିଲ୍ଲୀ ବୋଲରଙ୍କୁ ନିରାଶ କରିଥିଲେ। ଭେଙ୍କଟେଶ ଆଇପିଏଲରେ ତୃତୀୟ ଅର୍ଦ୍ଧଶତକ ପୂରା କରିଥିଲେ। ସେ ୪୧  ବଲ୍‌ରୁ ୪ ଚୌକା ଓ ୩ ଛକା ସହ ୫୫ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍‌ଙ୍କ ସହ ପ୍ରଥମ ଓ୍ଵିକେଟ୍‌ରେ ୧୨.୨ ଓଭରରେ ୯୬ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ନୀତିଶ ରାଣା(୧୩) ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରାହୁଲ ତ୍ରିପାଠୀ ୫ ରନ କରି ପାଭିଲିୟନ ଫେରିଥିଲେ। ହେଲେ  ଶେଷ ଆଡକୁ ୧୭ ଏବଂ ୧୮ ତମ ଓଭରରେ କୋଲକାତା ମାତ୍ର ୩ ରନ କରି ୨ ଓ୍ଵିକେଟ୍  ହରାଇବାରୁ ମ୍ୟାଚ୍‌ ରୋମାଞ୍ଚକର  ହୋଇଥିଲା।  ୧୯ ତମ ଓଭରରେ ୩ ରନ ସହ ୧ ଓ୍ଵିକେଟ୍ ହରାଇଥିଲା କୋଲକାତା। ଶେଷ ଓଭରରେ ଦରକାର ଥିଲା ୭ ରନ। ହେଲେ ୨୦ ତମ ଓଭରର ପଞ୍ଚମ ବଲ୍‌ରେ ରାହୁଲ ତ୍ରିପାଠୀ ଛକା ମାରି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ।

ଦିଲ୍ଲୀ ପକ୍ଷରୁ ଅନରିଚ ନୋତର୍ଜେ, ରବିଚନ୍ଦ୍ରନ ଅଶ୍ଵିନ ଓ କାଗିସୋ ରାବଡା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.