ସେନ ଓ୍ଵାଟସନଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ରାହୁଲ ତ୍ରିପାଠୀଙ୍କ ବ୍ୟାଟିଂ, ଚେନ୍ନାଇକୁ ୧୦ ରନରେ ହରାଇଲା କୋଲକାତା

Published By : Prameya-News7 Bureau | October 07, 2020 IST

ଆବୁଧାବି ୦୭।୧୦: ସେନ ଓ୍ଵାଟସନଙ୍କ ଅର୍ଦ୍ଧଶତକ ଚେନ୍ନାଇକୁ ଚଳିତ ଆଇପିଏଲରେ ଚତୁର୍ଥ ପରାଜୟରୁ ବଞ୍ଚାଇ ପାରିନାହିଁ। ଗତ ମ୍ୟାଚ୍‌କୁ ୧୦ ଓ୍ଵିକେଟ୍‌ରେ ଜିତିଥିବା ଚେନ୍ନାଇ ସୁପରକିଙ୍ଗ୍ସ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ଆଜିର ମୁକାବିଲାରେ ୧୦ ରନରେ କୋଲକାତା ନାଇଟ୍ ରାଇଡର୍ସ ହାତରୁ ପରାଜିତ  ହୋଇଛି। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି କୋଲକାତା ରାହୁଲ ତ୍ରିପାଠୀଙ୍କ ୮୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୧୬୭ ରନ କରିଥିଲା। ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ସେନ ଓ୍ଵାଟସନଙ୍କ ୫୦ ଓ ଅମ୍ବତି ରାୟୁଡୁଙ୍କ ୩୦ ରନ ସହାୟତାରେ ୫ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି। ୧୦ ରନରେ ଏହି ମ୍ୟାଚ୍‌କୁ ଜିତି କୋଲକାତା ୫ ମ୍ୟାଚ୍‌ରୁ ୩ଟି ବିଜୟ ହାସଲ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଚେନ୍ନାଇ ୬ଟି ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି।  

୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଓପନିଂ ଯୋଡି ସେନ ଓ୍ଵାଟସନ ଓ ଫାଫ ଡୁପ୍ଲେସିସ୍  ୩୦ ରନ ଯୋଡିଥିଲେ। ଫାଫ ଡୁପ୍ଲେସିସ୍‌ ୧୦ ବଲରୁ ୩ ଚୌକା ସହ ୧୭ ରନ କରି ଶିବମ ମାଭିଙ୍କ ଶିକାର ହୋଇଥିଲେ। ଏହା ପରେ ଓ୍ଵାଟସନ ଓ ଅମ୍ବତି ରାୟୁଡୁ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୬୯ ରନ ଯୋଡି ଦଳର ବିଜୟରେ ମୂଳଦୁଆ ପକାଇଥିଲେ। ଏହା ପରେ ଚେନ୍ନାଇ ସଅଳ ଦୁଇଟି ଓ୍ଵିକେଟ୍ ହରାଇଥିଲା। ୯୯ ରନ ସ୍କୋରରେ ଅମ୍ବତି ରାୟୁଡୁ ୩୦ ରନ କରି ପାଭିଲିୟନ ଫେରିଥିଲେ। ଦଳୀୟ ସ୍କୋର ୧୦୧ରେ ସେନ ଓ୍ଵାଟସନ ୪୦ ବଲରୁ ୬ ଚୌକା ଓ ୧ ଛକା ସହ ୫୦ ରନ କରି ଆଉଟ୍ ହେବା ଚେନ୍ନାଇକୁ ଜୋରଦାର ଝଟକା ଲାଗିଥିଲା।

wp:html /wp:html

ଆଜି ଅଧିନାୟକ ଧୋନି ଉପରେ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ସେ ୧୧ ରନରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ବୋଲ୍ଡ ହୋଇଥିଲେ। ଚେନ୍ନାଇ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା। ସାମ କରନ ୧୧ ବଲରୁ ୧ ଚୌକା ଓ ୧ ଛକା ସହ ୧୭ ରନ କରି ଆଉଟ୍ ହୋଇଥିଲେ।

୧୨୯ ରନରେ ୫ ଓ୍ଵିକେଟ୍  ହରାଇବା ପରେ ଚେନ୍ନାଇକୁ ଶେଷ ୨ ଓଭରରେ ୩୬ ରନ ଦରକାର ଥିଲା। ହେଲେ ଦଳ ମାତ୍ର ୧୭ ରନ ସଂଗ୍ରହ କରିପାରିଥିଲା। ଚେନ୍ନାଇ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ରବିନ୍ଦ୍ର ଜାଡେଜା ୮ ବଲରୁ ୨୧ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। କେଦାର ଯାଦବ ୭ ରନ କରିଥିଲେ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, କମଲେସ ନାଗରକୋଟି,  ସୁନିଲ ନାରିନେ,  ଆନ୍ଦ୍ରେ ରସେଲ ଓ ଶିବମ ମାଭି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ବିଜୟୀ କରାଇଥିଲେ।

କୋଲକାତା ଇନିଂସ

ଟସ୍ ଜିତି ୫ ବର୍ଷ ଓ ୬୯ ମ୍ୟାଚ୍‌ ପରେ ପ୍ରଥମ ଥର ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୋଲକାତା ନାଇଟ ରାଇଡର୍ସକୁ ଦୁଇ ଓପନର ରାହୁଲ ତ୍ରିପାଠୀ ଓ ଶୁଭମାନ ଗିଲ ୪.୨ ଓଭରରେ ୩୭ ରନ ଯୋଡିଥିଲେ। ଗିଲ୍ ୧୧ ରନ କରି ପାଭିଲିୟନ ଫେରିଥିଲେ। ନୀତିଶ ରାଣା ମଧ୍ୟ କିଛି ଖାସ୍ କରିନପାରି ମାତ୍ର ୯ ରନ କରି କର୍ଣ୍ଣ ଶର୍ମାଙ୍କ ଶିକାର ହୋଇଥିଲେ। ଚତୁର୍ଥରେ ବ୍ୟାଟିଂ କରିବାକୁ ଆସି ସୁନିଲ ନାରିନେ ୯ ବଲରୁ ୧ ଚୌକା ଓ ୧ ଛକା ସହ ୧୭ ରନ କରି ପାଭିଲିୟନ ଫେରିଥିଲେ।

ଅନ୍ୟପଟେ ଦଳର ଇନିଂସ ସମ୍ଭାଳିଥିବା ରାହୁଲ ତ୍ରିପାଠୀ ଆଇପିଏଲରେ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ। ଫର୍ମରେ ଥିବା ଇଅନ ମୋର୍ଗାନ ୧୦ ବଲ୍‌ରୁ ୭ ରନ କରି ଆଉଟ୍ ହେବା କୋଲକାତାକୁ ଚତୁର୍ଥ ଝଟକା ଲାଗିଥିଲା। ଆନ୍ଦ୍ରେ ରସେଲ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୨ ରନ ସହ ବିଦାୟ ନେଇଥିଲେ। ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିବା ରାହୁଲ ତ୍ରିପାଠୀଙ୍କୁ ଆଉଟ୍ କରି ଓ୍ଵେନ ବ୍ରାଭୋ ଚେନ୍ନାଇକୁ ବଡ ସଫଳତା ଦେଇଥିଲେ। ରାହୁଲ ତ୍ରିପାଠୀ ୫୧ ବଲରୁ ୮ ଚୌକା ଓ ୩ ଛକା ସହ ସର୍ବାଧିକ ୮୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଅଧିନାୟକ କାର୍ତ୍ତିକ ମଧ୍ୟ କିଛି ଖାସ୍ କରିନପାରି ବ୍ୟକ୍ତିଗତ ୧୨ ରନରେ ପାଭିଲିୟନ ଫେରିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୧୬୭ ରନ କରି ଆଉଟ୍ ହୋଇଛି। ଶେଷ ଓଭରରେ  କୋଲକାତା ୩ଟି ଓ୍ଵିକେଟ୍ ହରାଇଥିଲା। ଏହି ଓଭରରେ ଡ୍ଵେନ ବ୍ରାଭୋ ୨ଟି ଓ୍ଵିକେଟ୍ ନେଇଥିଲେ।

ଚେନ୍ନାଇ ତରଫରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ସଫଳତା ପାଇଥିବା ବେଳେ କର୍ଣ୍ଣ ଶର୍ମା ୨୫ ରନ ଦେଇ ୨ଟି, ସାମ କରନ ୨୬ ରନ ଦେଇ ୨ଟି ଓ ଶାର୍ଦ୍ଦୁଳ ଠାକୁର ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.